୩ ଦିନ ଧରି ଗୁମ୍ପାରେ ଫସି ରହିଛନ୍ତି କୋଚ ସମେତ ୧୨ ଫୁଟବଲ ଖେଳାଳି
ବ୍ୟାଙ୍କକ୍ : ଉତ୍ତର ଥାଇଲାଣ୍ଡର ଚିଆଙ୍ଗ ସାଇ ଅର୍ନ୍ତଗତ ଥାମ ଲୁଆଙ୍ଗ ଗୁମ୍ପାରେ ଜଣେ ଫୁଟବଲ୍ ପ୍ରଶିକ୍ଷକଙ୍କ ସମେତ ୧୨ଜଣ କିଶୋର ଫୁଟବଲ ଖେଳାଳି ଦୀର୍ଘ ୩ ଦିନ ହେବ ଫସି ରହିଛନ୍ତି। ଥାଇଲାଣ୍ଡ ଗଣମାଧ୍ୟମ ଖବର ମୁତାବକ ଏହି ଖେଳାଳିମାନଙ୍କ ସାଇକେଲ ଏବଂ ବୁଟ ଅନ୍ୟ ଜିନିଷ ଗୁମ୍ପା ବାହାରୁ ମିଳିବା ପରେ ଅନୁସନ୍ଧାନ ଆରମ୍ଭ ହୋଇଥିଲା। ଉଦ୍ଧାର କାର୍ଯ୍ୟ କରୁଥିବା ଦଳର ମୁଖପାତ୍ର ଏତବାନ ପ୍ରତିସେନଙ୍କ କହିବା ମୁତାବକ ନିଖୋଜ ସମସ୍ତ ଖେଳାଳି ବଞ୍ଚିଥିବେ ବୋଲି ଆଶା କରାଯାଉଛି ଓ ଉଦ୍ଧାର ପାଇଁ ପଦକ୍ଷେପ ନିଆଯାଇଛି। ଥାଇଲାଣ୍ଡ ସେନା ଏବଂ ଭୂତତ୍ତ୍ୱ ବିଜ୍ଞାନୀଙ୍କ ଏକ ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଏହି ଫୁଟବଲ ଖେଳାଳିମାନଙ୍କ ବୟସ ୧୧ରୁ ୧୬ ବର୍ଷ ମଧ୍ୟରେ ହୋଇଥିବାବେଳେ ପ୍ରଶିକ୍ଷକ (କୋଚ୍)ଙ୍କ ବୟସ ୨୫ ବର୍ଷ। ଖେଳାଳିମାନେ କୋଚଙ୍କ ଗୁମ୍ପା ମଧ୍ୟକୁ ଯାଇଥିଲେ। ହେଲେ ପ୍ରବଳ ବର୍ଷାହେବା ଯୋଗୁଁ ଗୁମ୍ପାର ମୁଖ୍ୟ ଦ୍ୱାର ବନ୍ଦ ହୋଇଯାଇଥିଲା। ଫଳରେ ଖେଳାଳି ମାନେ ବାହାରକୁ ଆସିପାରିନାହାନ୍ତି ବୋଲି ଉଦ୍ଧାରକାରୀ ଦଳର ମୁଖପାତ୍ର କହିଛନ୍ତି।