ରାମ ମନ୍ଦିର ନିର୍ମାଣ ପାଇଁ ୪ମାସ ସମୟ ଦେଲେ ତୋଗଡ଼ିଆ
ଲକ୍ଷ୍ନୌ : ଅଯୋଧ୍ୟାରେ ରାମ ମନ୍ଦିର ୨୦୧୯ ନିର୍ବାଚନ ପୂର୍ବରୁ ନିର୍ମାଣ ହେବ ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିବାର ଗୋଟିଏ ଦିନ ପରେ ପୂର୍ବତନ ବିଶ୍ୱ ହିନ୍ଦୁ ପରିଷଦ ନେତା ପ୍ରବୀଣ ଭାଇ ତୋଗଡ଼ିଆ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୪ମାସ କଣ୍ଟ ଦେଇଛନ୍ତି। ବିଶ୍ୱ ହିନ୍ଦୁ ପରିଷଦରୁ ନିକଟରେ ତଡ଼ା ଖାଇଥିବା ପ୍ରବୀଣ ସମ୍ପ୍ରତି ଆନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ(ଏଏଚ୍ପି) ନାମରେ ନୂଆ ସଂଗଠନ ଗଢ଼ିଛନ୍ତି। ସେ ୪ମାସ ମଧ୍ୟରେ ରାମ ମନ୍ଦିର ନିର୍ମାଣ ପାଇଁ ଆଇନଗତ ପଦକ୍ଷେପ ନେବାକୁ ମଧ୍ୟ ମୋଦୀଙ୍କୁ ଆହ୍ୱାନ ଦେଇଛନ୍ତି। ଅକ୍ଟୋବର ମାସ ସୁଦ୍ଧା ଏହା ସମ୍ଭବ ନହେଲେ ହିନ୍ଦୁମାନେ ଦେଶ ତମାମ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ସେ ଚେତାବନୀ ଶୁଣାଇଛନ୍ତି। ନୂଆ ସଂଗଠନ ଗଢ଼ିବା ପରେ ଅଯୋଧ୍ୟା ଗସ୍ତରେ ଥିବା ପ୍ରବୀଣ ମଙ୍ଗଳବାର ରାମ ମନ୍ଦିର ନିର୍ମାଣ ସଂକ୍ରାନ୍ତ ନିଜ ପ୍ରସ୍ତୁତ ଏକ ବିଧେୟକ ଉନ୍ମୋଚନ କରିଛନ୍ତି। ଏହି ପ୍ରସ୍ତାବିତ ବିଧେୟକ ସମ୍ବିଧାନ ବିଶେଷଜ୍ଞ ଓ ବରିଷ୍ଠ ଆଇନଜୀବୀଙ୍କ ପରାମର୍ଶକ୍ରମେ ପ୍ରସ୍ତୁତ ହୋଇଥିବା ସେ କହିଛନ୍ତି। ସୋମନାଥ ନିର୍ମାଣ ପ୍ରକ୍ରିୟା ଆଧାରରେ ରାମ ମନ୍ଦିର ନିର୍ମାଣ କରିବାକୁ ସେ ଦାବି କରିଛନ୍ତି।
ବିଜେପି ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ଯେଉଁ ଆଭିମୁଖ୍ୟ ପୋଷଣ କରୁଛି ତାହା ଦେଶର ଲକ୍ଷାଧିକ ସନ୍ଥ, ଅଯୋଧ୍ୟାରେ ପ୍ରାଣବଳୀ ଦେଇଥିବା କରସେବକ ଓ କୋଟିକୋଟି ହିନ୍ଦୁଙ୍କ ପ୍ରତି ବିଶ୍ୱାସ ଘାତକତା ବୋଲି ସେ କହିଛନ୍ତି। ରାମ ମନ୍ଦିର ନିର୍ମାଣ ପାଇଁ ସେ ୨୦କୋଟି ହିନ୍ଦୁଙ୍କ ଦସ୍ତଖତ ସଂଗ୍ରହ କରିବେ। ୧୯୮୪ରେ ଧର୍ମ ସଂସଦ ପକ୍ଷରୁ ଅଯୋଧ୍ୟା, କାଶୀ ଓ ମଥୁରାକୁ ପ୍ରସଙ୍ଗ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ହିନ୍ଦୁଙ୍କ ପାଇଁ ଏହି ପ୍ରତିଶ୍ରୁତି ରଖିଥିଲେ। ଏବେ କିନ୍ତୁ ସବୁବେଳେ ବିଦେଶ ବୁଲୁଥିବା ମୋଦୀଙ୍କ ପାଇଁ ଏହି ପ୍ରତିଶ୍ରୁତି ପାଳନ କରିବାକୁ ସମୟ ନାହିଁ ବୋଲି ସେ କହିଛନ୍ତି। ଏହାଛଡ଼ା ଜାମ୍ମୁ-କାଶ୍ମୀରରୁ ଧାରା-୩୭୦ ଉଚ୍ଛେଦ, ଦୁଇ ସନ୍ତାନ ନୀତି ପ୍ରତ୍ୟାହାର, ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବହିଷ୍କାର, ଯୁବକଙ୍କୁ ନିଯୁକ୍ତି ଆଦି ପ୍ରତିଶ୍ରୁତି ଶୀଘ୍ର ପାଳନ ପାଇଁ ମୋଦୀଙ୍କୁ ଆହ୍ୱାନ ଦେଇଛନ୍ତି।