ଆମ୍ବ ଖାଇବାରୁ ମହିଳାଙ୍କୁ ପିଟିପିଟି ମାରିଦେଲେ
ଲକ୍ଷ୍ନୌ : ବିହାରର ଖାଗାରିଆ ଜିଲାରେ ଗଛରେ ଚଢ଼ି ଆମ୍ବ ତୋଳିବାରୁ ଜଣେ ବାଳକକୁ ହତ୍ୟା କରାଯିବା ଘଟଣାର ପୁନରାବୃତ୍ତି ଘଟିଛି ଉତ୍ତର ପ୍ରଦେଶରେ। ଫତେପୁର ଅଞ୍ଚଳରେ ଗୋରୁ ଚରାଇବାକୁ ଯାଇଥିବା ଜଣେ ୬୫ବର୍ଷ ବୟସ୍କା ନିମ୍ନ ବର୍ଗର ମହିଳା ବଗିଚାରୁ ଆମ୍ବ ଖାଇଦେବା କାରଣରୁ ଉଚ୍ଚ ବର୍ଗର ବ୍ୟକ୍ତିମାନେ ତାଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ଏହି ଘଟଣା ରବିବାର ଘଟିଛି। ମହିଳାଙ୍କ ମୃତ୍ୟୁ ପରେ ବଗିଚା ମାଲିକ ଫେରାର ହୋଇଯାଇଛନ୍ତି। ଖବର ଅନୁଯାୟୀ, ରାଣୀ ଦେବୀ ଗୋରୁ ଚରାଇବାବେଳେ ବଗିଚାରେ ତଳେ ପଡ଼ିଥିବା ଆମ୍ବ ଗୋଟାଇ ଖାଇଥିଲେ। ଏହା ଦେଖିପାରି ବଗିଚା ମାଲିକ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଗୁରୁତର ଆହତ ରାଣୀ ଦେବୀ ଘୁସୁରି ଘୁସୁରି ଘରକୁ ଫେରିବା ପରେ ତାଙ୍କୁ ଚିକିତ୍ସା ପାଇଁ କାନପୁର ନିଆଯାଇଥିଲା। ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ଏହି ଘଟଣାର ତଦନ୍ତ କରୁଛି।