ମୋଦିଙ୍କ ରାଲିକୁ ବିପଦ: ସୁରକ୍ଷା ବଢ଼ିଲା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆକ୍ରମଣ ଆଶଙ୍କା କ୍ରମଶଃ ବଢ଼ିବାରେ ଲାଗିଛି। ବିଶେଷକରି ମୋଦିଙ୍କ ରାଲିରେ ଏଭଳି ଆକ୍ରମଣ ଆଶଙ୍କା ଅଧିକ ବୋଲି ଗୁଇନ୍ଦା ରିପୋର୍ଟ ମିଳିଛି। ଏହାପରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରୋଡ୍ ଶୋକୁ ଯଥାସମ୍ଭବ ହ୍ରାସ କରିବାକୁ ପରାମର୍ଶ ଦିଆଯାଇଛି। ଏପରିକି ବିନା ଯାଞ୍ଚରେ କୌଣସି ମନ୍ତ୍ରୀ କିମ୍ବା ଅଧିକାରୀଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ନ ଛାଡ଼ିବାକୁ ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀଙ୍କୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ନିର୍ଦେଶ ଜାରି ହୋଇଛି। ସମସ୍ତ ରାଜ୍ୟର ପୁଲିସ୍ ମୁଖ୍ୟମାନଙ୍କୁ ମଧ୍ୟ ସମାନ ନିର୍ଦେଶ ଜାରି କରାଯାଇଛି।
ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନକ୍ସଲ୍ମାନଙ୍କ ଟାର୍ଗେଟ୍ ତାଲିକାର ସର୍ବାଗ୍ରେ ରହିଛନ୍ତି ବୋଲି ଜାତୀୟ ସୁରକ୍ଷା ପରିଷଦ କହିଛି। ମୋଦିଙ୍କୁ ରାଜୀବ ଗାନ୍ଧି ଶୈଳୀରେ ହତ୍ୟା କରିବା ପାଇଁ ନକ୍ସଲ୍ମାନେ ଷଡ଼ଯନ୍ତ୍ର କରୁଥିବା ପୁନେ ପୁଲିସ୍ ସୂଚନା ଦେବା ପରେ ଏହି ଆଶଙ୍କା ଦୃଢ଼ୀଭୂତ ହୋଇଛି। ବିଶେଷକରି ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ପଞ୍ଜାବ ପରି ରାଜ୍ୟରେ ମୋଦିଙ୍କ ପ୍ରତି ନକ୍ସଲ୍ ଆକ୍ରମଣ ଆଶଙ୍କା ଅଧିକ ରହିଥିବା ସୁରକ୍ଷା ପରିଷଦ କହିଛି। ସେହିପରି ଛଅସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭେଦ କରି ପଶ୍ଚିମବଙ୍ଗରେ ଜଣେ ବ୍ୟକ୍ତି ମୋଦିଙ୍କ ପାଦସ୍ପର୍ଶ କରିବା ପରେ ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।