ନୂଆଦିଲ୍ଲୀ: କରୋନା ଭୂତାଣୁକୁ ନେଇ ଲୋକଙ୍କ ମନରୁ ଭୟ ଦୂର ହେଉନାହିଁ, ଯେଉଁଥିପାଇଁ ଅନେକଙ୍କ ଜୀବନହାନି ହେଉଛି। କେତେକ ସ୍ଥାନରେ କରୋନା ଭୟରେ ଲୋକେ ଆତ୍ମହତ୍ୟା କରିବାକୁ ପଛଉ ନାହାନ୍ତି। ଦେଶରେ ଏପରି ଅନେକ ଘଟଣା ଦେଖିବାକୁ ମିଳୁଥିବାବେଳେ ଦିଲ୍ଲୀରେ ଜଣେ ଆଇଆରଏସ(ଭାରତୀୟ ରାଜସ୍ବ ସେବା) ଅଧିକାରୀ ଆତ୍ମହତ୍ୟା କରିଛନ୍ତି। ଏହି ଅଧିକାରୀ ଜଣକ ହେଉଛନ୍ତି ଶିବରାଜ ସିଂହ(୫୬)।
ସୂଚନା ଅନୁସାରେ, ଶିବରାଜ ଦ୍ବାରକା ଅଞ୍ଚଳର ସେକ୍ଟର-୬ ଅନ୍ତର୍ଗତ ସନ୍ମତି ଆପାର୍ଟମେଣ୍ଟରେ ରହୁଥିଲେ। ତାଙ୍କ ଦେହ ଖରାପ ଥିଲା। ୩ ଦିନ ତଳେ ତାଙ୍କର କରୋନା ପରୀକ୍ଷା ହୋଇଥିଲା, ଯାହାର ରିପୋର୍ଟ ନେଗେଟିଭ୍ ଆସିଥିଲା। ଏହା ସତ୍ବେ ସେ ଚିନ୍ତାରେ ଥିଲେ ଯେ, ତାଙ୍କୁ ଯଦି କରୋନା ହୁଏ, ତେବେ ତାଙ୍କ ପିଲା ଏବଂ ପରିବାରର ଅନ୍ୟମାନେ ସମସ୍ୟାରେ ପଡ଼ିଯିବେ। ଏହି ଚିନ୍ତାରେ ସେ ରବିବାର ଅପରାହ୍ନରେ ଏସିଡ୍ ପିଇ ଦେଇଥିଲେ। ପରିବାର ଲୋକେ ଜାଣିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।



