ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଜୟପୁର : ଜୈବିକ ପ୍ରକ୍ରିୟାରେ ଚାଷ କରି  ଲୋକଲୋଚନକୁ ଆସିଥିବା ଏବଂ ପରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିବା କମଳା ପୂଜାରୀ ଅସୁସ୍ଥ ହୋଇପଡିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ କୋରାପୁଟ ଜିଲ୍ଲା ଜୟପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନାଅନୁସାରେ ଗତ କାଲି ରାତି ପ୍ରାୟ ୧୨ଟା ବେଳେ ଉଚ୍ଚ ରକ୍ତଚାପ ପାଇଁ ସେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ । ଏହାପରେ ତାଙ୍କୁ ତୁରନ୍ତ ଜୟପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ତାଙ୍କୁ ଏକ ସ୍ୱତନ୍ତ୍ର କ୍ୟାବିନରେ ରଖି ଚିକିତ୍ସା କରାଯାଉଛି ।

ସୂଚନାଯୋଗ୍ୟ ପଦ୍ମଶ୍ରୀ କମଳା ପୁଝାରୀ ଲୁପ୍ତପ୍ରାୟ ଧାନ ବିହନକୁ ସଂରକ୍ଷିତ କରି ରଖିବା ସହ ତାକୁ  ଜୈବିକ ପ୍ରଣାଳୀରେ ଚାଷ କରି ଲୋକଲୋଚନକୁ ଆସିଥିଲେ । ଏହାପରେ ତାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା । କୋରାପୁଟ ଜିଲ୍ଲାର ଆଦିବାସୀ ମହିଳା କମଳା ପୂଜାରୀ । ଜଣେ ଆଦିବାସୀ ଏବଂ ଅଶିକ୍ଷିତ ହେବା ପରେ ମଧ୍ୟ ସେ ୧୦୦ରୁ ଅଧିକ କିସମର ଧାନକୁ ସଂରକ୍ଷିତ କରି ରଖିବା ସହ ତାକୁ ଜୈବିକ ଉପାୟରେ ଚାଷ କରୁଥିଳେ । ରାସାୟନିକ ସାରଠୁ ଦୂରରେ ରହି ସେ ଲୋକଙ୍କୁ ଜୈବିକ ପ୍ରକ୍ରିୟାରେ ଚାଷ କରିବାକୁ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ ମଧ୍ୟ ବୁଝାଇ ବେଶ ଲୋକପ୍ରିୟତା ହାସଲ କରିଥିଲେ ।

Comments are closed.