ଭୁବନେଶ୍ୱର: ଭୁବନେଶ୍ବର ବ୍ଲକ ନଁପୁଟ ପଞ୍ଚାୟତ ଓ ଜଟଣୀ ବ୍ଲକ ପଞ୍ଚୁପଲ୍ଲୀ ପଞ୍ଚାୟତ ସମେତ ଆଖପାଖ ଅଞ୍ଚଳର ହଜାର ହଜାର ଉପଭୋକ୍ତାଙ୍କୁ ଉତ୍ତମ ବିଦ୍ୟୁତ୍ ସେବା ଯୋଗାଇବା ନିମନ୍ତେ ମହୁରାଠାରେ ନୂତନ ସବ୍ ଷ୍ଟେସନ ନିର୍ମାଣ ଆରମ୍ଭ ହୋଇଥିଲା। ଏହି ସବ୍ ଷ୍ଟେସନ କାର୍ଯ୍ୟକ୍ଷମ ହେଲେ କଳିଙ୍ଗନଗର ସେକ୍ସନ ଉପରେ ଚାପ କମିବା ସହିତ ଉପଭୋକ୍ତାମାନେ ଉତ୍ତମ ବିଦ୍ୟୁତ୍ ସେବା ପାଇବେ ବୋଲି ବିଭାଗ ଆଶା ରଖୁଥିଲା। ୨୦୧୯ ଠାରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପକୁ ଦୁଇବର୍ଷରେ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଖାମ ଖିଆଲି ମନୋଭାବ କାରଣରୁ ଇତିମଧ୍ଯରେ ୫ବର୍ଷ ହେବ ସମ୍ପୂର୍ଣ୍ଣ କାମ ସରିନାହିଁ। ସେପଟେ ୩୫୦ ମିଟର ଭୂତଳ ତାର ବିଛାଇବା ପାଇଁ ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷ ଅନୁମତି ଦେଉନଥିବାରୁ ସବ୍ ଷ୍ଟେସନ କାର୍ଯ୍ୟକ୍ଷମ ହୋଇପାରୁନାହିଁ ବୋଲି ଜଣେ ବିଭାଗୀୟ କର୍ମଚାରୀ କହିଛନ୍ତି।
ଖଣ୍ଡଗିରି ବିଦ୍ୟୁତ୍ ସବ୍ ଡିଭିଜନ ଅଧୀନରେ ଥିବା କଳିଙ୍ଗନଗର ସେକ୍ସନର ପ୍ରାୟ ୨୫ ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ୍ ସେବା ଯୋଗାଉଛି। କଳିଙ୍ଗନଗର କେ୩, କେ୪, କେ୫, କେ୬, କେ୭, କେ୯ ଏ, କେ୯ ବି, ପାତ୍ରପଡ଼ା, ସିଜୁଆ, ଭଗବାନପୁର, ସୁଆଙ୍ଗ, ରଣସିଂହପୁର, ଛୋଟରାୟପୁର, ଦାମୋଦରପୁର, ଫୁଲେଶ୍ୱରୀ, ପାଇକରାପୁର, ତମାଣ୍ଡୋ, ବାଲିଆପଡ଼ା, ମହୁରା, ନଁପୁଟ, ପାଣ୍ଠିଆପଡ଼ା, ରେତଙ୍ଗ, ପଞ୍ଚୁପଲ୍ଲୀ, ନୂଆଗାଁ, ବାଇରଙ୍ଗ, ବେରୁହାଁ ଓ ବ୍ରହ୍ମକୁଣ୍ଡଳ ଆଦି ଗ୍ରାମର ଉପଭୋକ୍ତାମାନେ ବିଦ୍ୟୁତ୍ ସେବା ନିମନ୍ତେ କଳିଙ୍ଗନଗର ବିଦ୍ୟୁତ୍ ସେକ୍ସନ ଉପରେ ନିର୍ଭରଶୀଳ। କଳିଙ୍ଗନଗର ସେକ୍ସନ ଏତେ ସଂଖ୍ୟକ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ଯୋଗାଉଥିବାରୁ ବିଭିନ୍ନ ସମୟରେ ବିଦ୍ୟୁତ୍ କାଟ୍ ହେଉଛି। ଗ୍ରାମାଞ୍ଚଳଗୁଡ଼ିକରେ ଭୋଲ୍ଟେଜ ମଧ୍ଯ ରହୁଛି।
ନଁପୁଟ ଓ ପଞ୍ଚୁପଲ୍ଲୀ ପଞ୍ଚାୟତର ପ୍ରାୟ ୫ହଜାର ଉପଭୋକ୍ତାଙ୍କ ସମେତ ଆଖପାଖ ଗାଁର ଲୋକଙ୍କୁ ବିଦ୍ୟୁତ୍ ସେବା ଯୋଗାଇବା ପାଇଁ ମହୁରାଠାରେ ୩୩ ଓ ୧୧ କେ.ଭି. ବିଶିଷ୍ଟ ନୂତନ ସବ୍ ଷ୍ଟେସନ ନିର୍ମାଣ ଆରମ୍ଭ କରାଯାଇଥିଲା। ଓଡିଏସ୍ଏସ୍ପି ସ୍କିମ୍ ଅଧୀନରେ ୨୦୧୯ରେ ଏହି ସବୁ ଷ୍ଟେସନ ନିର୍ମାଣ କାମ ଆରମ୍ଭ କରାଗଲା। ପ୍ରାୟ ୬ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଏହି ସବ୍ ଷ୍ଟେସନକୁ ଦୁଇ ବର୍ଷ ଭିତରେ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା, ହେଲେ ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ । ଉପଭୋକ୍ତାଙ୍କୁ ବିଦ୍ୟୁତ୍ ଯୋଗାଇବା ଦୂରର କଥା, ଏଯାଏଁ ସବ୍ ଷ୍ଟେସନକୁ ବିଦ୍ୟୁତ୍ ସଂଯୋଗ ହୋଇନାହିଁ ।
ରଣସିଂହପୁର ବିଦ୍ୟୁତ୍ ସରବରାହରୁ ଓଭରହେଡ୍ କେବଲିଂ ଦ୍ୱାରା ମହୁରା ସବ୍ ଷ୍ଟେସନ ପର୍ଯ୍ୟନ୍ତ କେବୁଲ ବିଛା ଯାଇଥିଲା। କେବଳ ଡିଏନ୍ ରେଗାଲିଆ ମଲ୍ ନିକଟରେ ୩୫୦ ମିଟର ଭୂତଳ ତାର ବିଛାଇବା ପାଇଁ ବିଦ୍ୟୁତ୍ ବିଭାଗ ପକ୍ଷରୁ ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷଙ୍କୁ ଅନୁମତି ମଗାଯାଇଥିଲା । ଦୁଇ ବର୍ଷ ତଳେ ଅନୁମତି ମଗାଯାଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ମିଳିନାହିଁ। ମାତ୍ର ୩୫୦ ମିଟର ଭୂତଳ କେବଲିଂ ପାଇଁ ୫ହଜାରରୁ ଅଧିକ ଲୋକଙ୍କୁ ବିଦ୍ୟୁତ୍ ଯୋଗାଇବା ନେଇ ଅନିଶ୍ଚିତତା ଦେଖାଦେଇଛି। ଅନ୍ୟପକ୍ଷେ ଭୂତଳ କେବଲିଂକୁ ଅନୁମତି ନ ମିଳିଲେ, ଓଭରହେଡ୍ କେବଲିଂ କରିବାକୁ ଯୋଜନା ରହିଛି। ଡିଏନ ରେଗାଲିଆ ମଲ୍ ପଛପାଖ ଦେଇ ଓଭରହେଡ୍ କେବଲିଂ କରାଯିବ ବୋଲି ଜଣେ କର୍ମଚାରୀ କହିଛନ୍ତି। ତମାଣ୍ଡୋ ଥାନା ସମ୍ମୁଖସ୍ଥିତ ଏମ୍ସିଏଲ(ମହାନଦୀ କୋଲ୍ ଫିଲ୍ଡ) ପ୍ରକଳ୍ପ ବିଦ୍ୟୁତ୍ ଆବଶ୍ୟକତା ନେଇ ଟାଟା ପାୱାର ନିକଟରେ ଆବେଦନ କରିଛି। ଏହି ଓଭରହେଡ୍ କେବଲିଂ ଏମ୍ସିଏଲ ଦ୍ୱାରା କରିବା ପାଇଁ ବିଭାଗ ଆଶା କରିଛି।
ଖଣ୍ଡଗିରି ସବ୍ ଡିଭିଜନର ଏସ୍ଡିଓ ଦେବଦତ୍ତ ଉପାଧ୍ୟାୟ କହିଛନ୍ତି ଯେ ମହୁରା ସବ୍ ଷ୍ଟେସନର କାମ ସରିଛି ଡିଏନ୍ ରେଗାଲିଆ ମଲ୍ ନିକଟରେ ରାଜପଥରେ ୩୫୦ ମିଟର ଭୂତଳ କେବୁଲିଂ ପାଇଁ ଜାତୀୟ ରାଜପଥ ବିଭାଗକୁ ଅନୁମତି ମଗାଯାଇଛି। ଅନୁମତି ମିଳି ନଥିବାରୁ ସବ୍ଷ୍ଟେସନ କାର୍ଯ୍ୟକ୍ଷମ ହେବାରେ ବିଳମ୍ବ ହେଉଛି।



