ଲକ୍ଡ଼ାଉନ ପ୍ରେମ: ଖାଦ୍ୟ ବାଣ୍ଟୁବାଣ୍ଟୁ ଭିକାରୁଣୀକୁ ବୋହୂ କରିନେଲା କାନପୁର ଯୁବକ
କାନପୁର: ଘଟଣାଟି କାନପୁରର । ଆଉ ଏହି ଘଟଣା ଯିଏ ଶୁଣୁଛି ସିଏ ବିଶ୍ବାସ କରି ପାରୁନାହିଁ । ଲକ୍ଡ଼ାଉନ ବେଳେ ଅନାଥ ଓ ଗରିବଙ୍କୁ ଖାଦ୍ୟ ବାଣ୍ଟୁବାଣ୍ଟୁ ଜଣେ ଅନାଥିନୀର ପ୍ରେମରେ ପଡ଼ିବା ଓ ତାକୁ ବିବାହ କରିବା ପରି ବିରଳ ଘଟଣା ଏଠାରେ ଘଟିଛି । ଏହି ବିବାହରେ ବହୁ ଲୋକ ଯୋଗ ଦେଇଥିଲେ ଓ ଉଭୟଙ୍କୁ ଭରପୂର ଆଶୀର୍ବାଦ ମଧ୍ୟ ଦେଇଥିଲେ ।
ନୀଲମ ବୋଲି ଗୋଟିଏ ଅନାଥ ଝିଅ ରାସ୍ତାରେ ଭିକମାଗି ଚଳନ୍ତି । ତାଙ୍କର ବାପା ନାହାନ୍ତି, ମା ବେମାର ଓ ଭାଇ-ଭାଉଜ ଘରୁ ବାହାର କରି ଦେଇଛନ୍ତି । ଲକ୍ଡ଼ାଉନ ସମୟରେ ସେ ଖାଇବାକୁ ନ ପାଇ ଭାରି ଦୁଃଖରେ ଥିଲେ । ଖାଦ୍ୟ ସଂଗ୍ରହ ପାଇଁ ରାସ୍ତାରେ ଭିକାରୀମାନଙ୍କ ସହିତ ଧାଡ଼ିରେ ବସୁଥିଲେ । ଏତିକି ବେଳେ ତାଙ୍କ ଜୀବନରେ ଆବିର୍ଭବ ହେଲେ ଜଣେ ଯୁବକ । ସେ ହେଲେ ଅନୀଲ ।
ଅନିଲ ଜଣେ ଡ୍ରାଇଭର । ତାଙ୍କର ବାପା-ମା ଅଛନ୍ତି, ନିଜର ଘର ଅଛି । ସେ ଜଣେ ଜମି ବ୍ରୋକରଙ୍କ ପାଖରେ କାମ କରନ୍ତି । ଲକ୍ଡ଼ାଉନ ସମୟରେ ସେ ଲୋକମାନଙ୍କୁ ନେଇ ଖାଦ୍ୟ ବାଣ୍ଟିବା ସମୟରେ ନୀଲମ ସହ ପରିଚୟ ହୋଇଥିଲା । ଯେତେବେଳେ ନୀଲମର ଦୁଃଖ ବିଷୟରେ ଜାଣିବାକୁ ପାଇଲା ଅନିଲ, ସେତେବେଳେ ସେ ତାକୁ ଭଲ ପାଇ ବସିଲା । ଆଉ ସେଇଠୁ ଆରମ୍ଭ ହୋଇଥିଲା ପ୍ରେମ । ଯେତେବେଳେ ଅନିଲ ଦିନ ସମୟରେ ଖାଦ୍ୟ ବଣ୍ଟନ କରି ଫେରୁଥିଲା, ସେତେବେଳେ ନୀଲମଙ୍କ ବିଷୟରେ ତାର ଗାଡ଼ି ମାଲିକଙ୍କୁ ଜଣାଇଥିଲା । ସେ ଅନୀଲ ମନକଥା ବୁଝିପାରିଥିଲେ ଓ ତାର ପରିବାର ସହ କଥାବାର୍ତା କରି ସେମାନଙ୍କୁ ବିବାହ ପାଇଁ ରାଜି କରାଇଥିଲେ । ତା’ପରେ ଭିକାରୀଙ୍କ ଧାଡ଼ିରୁ ବାହାରି ନୀଲମକୁ ଜନ୍ମଜନ୍ମ ପାଇଁ ସାଥୀ କରି ନେଇଥିଲା । ଏହି ବିବାହରେ ଅନେକ ଲୋକ ଉପସ୍ଥିତ ଥିଲେ ଏବଂ ସାମାଜିକ ଦୂରତା ପାଇଁ ସମ୍ପୂର୍ଣ୍ଣ ଦୃଷ୍ଟି ଦିଆଯାଇଥିଲା ।
Comments are closed.