www.samajalive.in
Friday, December 5, 2025
20.1 C
Bhubaneswar

କୋଭିଡ-୧୯ର ବର୍ତ୍ତମାନର ସ୍ଥିତି, ପ୍ରସ୍ତୁତି ଓ ପରିଚାଳନା ପଦକ୍ଷେପ ସମ୍ପର୍କରେ ମନ୍ତ୍ରୀ ଗୋଷ୍ଠୀର ସମୀକ୍ଷା

ନୂଆଦିଲ୍ଲୀ : କୋଭିଡ-୧୯ ଲାଗି ଗଠିତ ମନ୍ତ୍ରୀ ଗୋଷ୍ଠୀର ୧୪ତମ ବୈଠକ ଆଜି ନୂଆଦିଲ୍ଲୀସ୍ଥିତ ନିର୍ମାଣ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଅଧ୍ୟକ୍ଷତା କରିଥିବା ବେଳେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ. ଜୟଙ୍କର, ଗୃହ ରାଷ୍ଟ୍ରମନ୍ତ୍ରୀ  ନିତ୍ୟାନନ୍ଦ ରାୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ  ଅଶ୍ବିନୀ କୁମାର ଚୌବେ, ଚିଫ ଅଫ ଡିଫେନ୍ସ ଷ୍ଟାଫ ବିପିନ ରାଓ୍ବତ, କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା ପ୍ରମୁଖ ଯୋଗ ଦେଇଥିଲେ।

ବର୍ତ୍ତମାନ ସାରା ବିଶ୍ବରେ ଏବଂ ଦେଶରେ କୋଭିଡ-୧୯ ମାମଲାର ସମ୍ପୂର୍ଣ୍ଣ ସ୍ଥିତି ମନ୍ତ୍ରୀଗୋଷ୍ଠୀ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା। କୋଭିଡ-୧୯ର ଅବରୋଧ ରଣନୀତି ଏବଂ ପରିଚାଳନାର ବିଭିନ୍ନ ଦିଗ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମନ୍ତ୍ରୀ ଗୋଷ୍ଠୀ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏହି ଅବସରରେ ମନ୍ତ୍ରୀ ଗୋଷ୍ଠୀଙ୍କୁ ଅବଗତ କରାଯାଇଥିଲା ଯେ ଦେଶର ସମସ୍ତ ଜିଲ୍ଲାକୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି। ରେଡ ଜୋନରେ ୧୩୦ଟି ଜିଲ୍ଲା, ଅରେଞ୍ଜ ଜୋନରେ ୨୮୪ଟି ଜିଲ୍ଲା ଓ ଗ୍ରୀନ ଜୋନରେ ୩୧୯ଟି ଜିଲ୍ଲା ରହିଛି। ବିଗତ ୨୧ ଦିନ ମଧ୍ୟରେ ଗୋଟିଏ ହେଲେ ସଂକ୍ରମିତ ମାମଲା ନଥିବା ଜିଲ୍ଲାଗୁଡ଼ିକୁ ଗ୍ରୀନ ଜୋନରେ ରଖାଯାଇଛି। ଜିଲ୍ଲାଗୁଡ଼ିକର ବର୍ଗୀକରଣ ଆଧାରରେ କୋଭିଡ-୧୯ ମୁକାବିଲା ନିମନ୍ତେ ସେମାନଙ୍କର ସହାୟକ ଯୋଜନାକୁ ଆହୁରି ସୁବୃଢ଼ ଭାବେ ଲାଗୁ କରିବା ଏବଂ ଧାର୍ଯ୍ୟ ନିୟମ ପାଳନ କରିବାକୁ ରାଜ୍ୟଗୁଡ଼ିକୁ କୁହାଯାଇଛି । ରାଜ୍ୟଗୁଡ଼ିକୁ ସାମର୍ଥ୍ୟ ବୃଦ୍ଧି ନିମନ୍ତେ ଆହୁରି କେତେକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ କୁହାଯାଇଛି। ସମର୍ପିତ କୋଭିଡ-୧୯ ହସ୍ପିଟାଲ ଖୋଲିବା ଲାଗି ଯଥେଷ୍ଟ ସମ୍ବଳ ସୃଷ୍ଟି, ଡାକ୍ତରଖାନାରେ ଯଥେଷ୍ଟ ସଂଖ୍ୟକ ପିପିଇ, ଭେଣ୍ଟିଲେଟର ଓ ଅନ୍ୟ ସରଞ୍ଜାମ ମହଜୁଦ କରି ରଖିବା ଆଦି ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା।

- Advertisement -

ଦେଶରେ ମୃତ୍ୟୁ ହାର ୩.୨ ପ୍ରତିଶତ ରହିଥିବା ବେଳେ ଆରୋଗ୍ୟ ହାର ୨୫ ପ୍ରତିଶତରୁ ଅଧିକ ରହିଛି ବୋଲି ମନ୍ତ୍ରୀ ଗୋଷ୍ଠୀଙ୍କୁ ଅବଗତ କରାଯାଇଥିଲା। ଲକଡାଉନ ଏବଂ କ୍ଲଷ୍ଟର ପରିଚାଳନା ଓ ଅବରୋଧ ରଣନୀତିକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରାଯିବା କାରଣରୁ ଏପରି ସକାରାତ୍ମକ ପ୍ରଭାବ ପଡ଼ିଥିବା କୁହାଯାଇଥିଲା। କୋଭିଡ-୧୯ର ପ୍ରଭାବୀ ମୁକାବିଲା ନିମନ୍ତେ ଅବରୋଧ ଅଞ୍ଚଳ ପରିଚାଳନା ନିମନ୍ତେ ସଙ୍କେତକକୁ ଗ୍ରହଣ କରିବା, ମୂଳ କାରଣ ଖୋଜିବା ଏବଂ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଭାରତ ସରକାରଙ୍କ ବିଭିନ୍ନ ସୁପାରିସକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ଯୋଗାଇ ଦିଆଯାଇଛି ।

ଏହି ଅବସରରେ ମନ୍ତ୍ରୀ ଗୋଷ୍ଠୀଙ୍କୁ ସୂଚନା ଦିଆଯାଇଥିଲା ଯେ ଦେଶରେ ଯଥେଷ୍ଟ ସଂଖ୍ୟକ ପିପିଇ, ମାସ୍କ, ଭେଣ୍ଟିଲେଟର, ଔଷଧ ଏବଂ ଅନ୍ୟାନ୍ୟ ଜରୁରି ସରଞ୍ଜାମ ଉତ୍ପାଦନ ବୃଦ୍ଧି କରାଯାଇଛି। କ୍ଷମତାପ୍ରାପ୍ତ ଗୋଷ୍ଠୀ-୩ ଏହା ସୁନିଶ୍ଚିତ କରିବା ଦିଗରେ କାର୍ଯ୍ୟ କରୁଛି। ବତ୍ତର୍ମନା ଦୈନିକ ୨.୫ ଲକ୍ଷ ପିପିଇ ଏବଂ ୨ ଲକ୍ଷ ଏନ୯୫ ମାସ୍କ ଉତ୍ପାଦନ ହେଉଛି ଯାହାକି ଆଗାମୀ ଭବିଷ୍ୟତରେ ଦେଶର ଆବଶ୍ୟକତା ପୂରଣ କରିବା ଲାଗି ଯଥେଷ୍ଟ। ସେହିପରି ଘରୋଇ ଭାବେ ଭେଣ୍ଟିଲେଟର ଉତ୍ପାଦନ ଆରମ୍ଭ ହୋଇଯାଇଛି ଓ କ୍ରୟ ନିମନ୍ତେ ଅର୍ଡର ଦିଆଯାଇଛି। ପିପିଇ, ମାସ୍କ ଓ ଭେଣ୍ଟିଲେଟର ଗୁଣବତ୍ତା ଉନ୍ନତ ରଖିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି ।

କେନ୍ଦ୍ର ଗୃହ ସଚିବ ତଥା କ୍ଷମତାପ୍ରାପ୍ତ ଗୋଷ୍ଠୀ-୧୧ର ଅଧ୍ୟକ୍ଷ  ଅଜୟ କୁମାର ଭଲ୍ଲା ଏହି ଅବସରରେ କହିଥିଲେ ଯେ ମହାମାରୀ ନିରାକରଣ ନିମନ୍ତେ ସମସ୍ତ ପଦକ୍ଷେପକୁ ଅନୁଧ୍ୟାନ ଏବଂ ପରିଚାଳନା ସଠିକ ଢଙ୍ଗରେ କରିବା ଲାଗି ପଦକ୍ଷେପ ନିଆଯାଉଛି । ବିଭିନ୍ନ ମନ୍ତ୍ରଣାଳୟ ଏବଂ କ୍ଷମତାପ୍ରାପ୍ତ ଗୋଷ୍ଠୀଙ୍କ ସମେତ ଅଂଶୀଦାରମାନଙ୍କ ସହିତ ଆଲୋଚନା କରାଯାଇ ଲକଡାଉନ ଆଦେଶକୁ ବର୍ଗୀକରଣ ଆଧାରରେ କୋହଳ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଥିବା ସେ ମନ୍ତ୍ରୀ ଗୋଷ୍ଠୀକୁ ଅବଗତ କରାଇଥିଲେ।

କୋଭିଡ-୧୯ ମୁକାବିଲା ଲାଗି ପ୍ରଯୁକ୍ତି ସମାଧାନ ଓ ଡାଟା ମ୍ୟାନେଜମେଣ୍ଟ ସମ୍ପର୍କରେ କ୍ଷମତାପ୍ରାପ୍ତ ଗୋଷ୍ଠୀ-୯ର ଅଧ୍ୟକ୍ଷ ତଥା ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ସଚିବ ଅଜୟ କୁମାର ସାଓନୀ ଏକ ଉପସ୍ଥାପନା କରିଥିଲେ। ଆରୋଗ୍ୟ ସେତୁ ଆପର ପ୍ରଦର୍ଶନ, ପ୍ରଭାବ ଓ ଲାଭ ବିଷୟରେ ଆଲୋଚନା କରାଯାଇଥିଲା। ମେ ୪ ତାରିଖ ସୁଦ୍ଧା ୯ କୋଟି ଲୋକ ଆରୋଗ୍ୟ ସେତୁ ଆପ ଡାଉନଲୋଡ କରିସାରିଥିବା ସେ ସୂଚନା ଦେଇଥିଲେ। ଡ. ହର୍ଷ ବର୍ଦ୍ଧନ କହିଥିଲେ ଯେ କୋଭିଡ-୧୯କୁ ପ୍ରଭାବୀ ଢଙ୍ଗରେ ମୁକାବିଲା କରିବା ଦିଗରେ ପ୍ରଯୁକ୍ତିର ପ୍ରୟୋଗ ରାଜ୍ୟଗୁଡ଼ିକୁ ବିଶେଷ ଭାବେ ଲାଭ ପହଞ୍ଚାଇପାରିବ ।
ମନ୍ତ୍ରୀଗୋଷ୍ଠୀକୁ ସୂଚନା ଦିଆଯାଇଥିଲା ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ପ୍ୟାକେଜ ଅନ୍ତର୍ଗତ ନିମ୍ନୋକ୍ତ ଅଗ୍ରଗତି ହୋଇପାରିଛି :
-ଏବେ ସୁଦ୍ଧା ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ୫୮.୭୭ କୋଟି ହିତାଧିକାରୀଙ୍କୁ ଏପ୍ରିଲ ମାସ ପାଇଁ ୨୯.୩୮ ଲକ୍ଷ ମେଟ୍ରିକ ଟନ ଖାଦ୍ୟ ଶସ୍ୟ ବିତରଣ କରିସାରିଛନ୍ତି। ସେହିପରି ୨୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ପକ୍ଷରୁ ମେ ମାସ ପାଇଁ ୫.୮୨ ଲକ୍ଷ ମେଟ୍ରିକ ଟନ ଖାଦଶସ୍ୟ ୧୧.୬୩ କୋଟି ହିତାଧିକାରୀଙ୍କୁ ବଣ୍ଟନ କରିସାରିଛନ୍ତି। ବର୍ତ୍ତମାନସୁଦ୍ଧା ଭାରତୀୟ ଖାଦ୍ୟ ନିଗମ ପକ୍ଷରୁ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶକୁ ୬୬.୦୮ ଲକ୍ଷ ମେଟ୍ରିକ ଟନ ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଇସାରିଛି।
-ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା ଅନ୍ତର୍ଗତ ହିତାଧିକାରୀମାନଙ୍କୁ ୬୮୬୮.୭୪ କୋଟି ଟଙ୍କା ଗ୍ୟାସ ରିଫିଲ କ୍ରୟ ନିମନ୍ତେ ସହାୟତା ଯୋଗାଇ ଦିଆଯାଇସାରିଛି। ଏପ୍ରିଲ-ମେ ୨୦୨୦ରେ ୪.୯୮ କୋଟି ହିତାଧିକାରୀ ସିଲିଣ୍ଡର ପାଇଁ ବୁକିଂ କରିଥିବା ବେଳେ ୪.୭୨ କୋଟି ହିତାଧିକାରୀଙ୍କୁ ସିଲିଣ୍ଡର ଯୋଗାଇ ଦିଆଯାଇଛି।
-୮.୧୮ କୋଟି କୃଷକଙ୍କୁ ୨୦୨୦-୨୧ ଆର୍ଥିକ ବର୍ଷର ପିଏମ-କିସାନ ଯୋଜନା ଅଗ୍ରୀମ କିସ୍ତି ବାବଦକୁ ୨ ହଜାର ଟଙ୍କା ଲେଖାଏଁ ଯୋଗାଇ ଦିଆଯାଇଛି। ବର୍ତ୍ତମାନସୁଦ୍ଧା ଏଥିପାଇଁ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ୧୬,୩୬୪ କୋଟି ଟଙ୍କା ହସ୍ତାନ୍ତର କରାଯାଇସାରିଛି।
-ବରିଷ୍ଠ ନାଗରିକ, ବିଧବା ଓ ଦିବ୍ୟାଙ୍ଗମାନଙ୍କୁ ସହାୟତା କରିବା ନିମନ୍ତେ ପ୍ରତ୍ୟେକଙ୍କୁ ୫୦୦ ଟଙ୍କା ଲେଖାଏଁ ଯୋଗାଇ ଦିଆଯାଇଛି। ଦେଶର ମୋଟ ୨.୮୧୨ କୋଟି ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୪୦୫ କୋଟି ଟଙ୍କା ହସ୍ତାନ୍ତର କରାଯାଇସାରିଛି। ଆସନ୍ତା ୧୫ ଦିନ ମଧ୍ୟରେ ଦ୍ବିତୀୟ କିସ୍ତି ଯୋଗାଇ ଦିଆଯିବ।
-ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଅନ୍ତର୍ଗତ ୨୦.୦୫ କୋଟି ମହିଳା ହିତାଧିକାରୀଙ୍କୁ ୫୦୦ ଟଙ୍କା ଲେଖାଏଁ ଗୋଟିଏ ମାସର ସହାୟତା ବିତରଣ କରାଯାଇସାରିଛି।
-୯.୨୭ ଲକ୍ଷ ଇପିଏଫଓ ସଦସ୍ୟ ୨୮୯୫ କୋଟି ଟଙ୍କାର ଅନଲାଇନ ଉଠାଣ ସୁବିଧା ହାସଲ କରିଛନ୍ତି।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବ ପ୍ରୀତି ସୁଦାନ, ସଚିବ ତଥା ଓଏସଡି ରାଜେଶ ଭୂଷଣ, ବୈଦେଶିକ ବ୍ୟାପାର ସଚିବ ଏଚ. ବର୍ଦ୍ଧନ ଶ୍ରୀଙ୍ଗଲା, ବୟନ ସଚିବ ରବି କପୁର, ବେସାମରିକ ବିମାନ ଚଳାଚଳ ସଚିବ ପ୍ରଦୀପ ସିଂ ଖାରୋଲା, ଔଷଧ ସଚିବ ପି.ଡି. ବାଘେଲା, ବାଣିଜ୍ୟ ସଚିବ ଅନୁପ ୱାଧୱାନ, ଟେଲିକମ ସଚିବ ଅଂଶୁ ପ୍ରକାଶ, ଆଇସିଏମଆର ଡିଜି ପ୍ରଫେସର ବଳରାମ ଭାର୍ଗବ, ଗୃହ ମନ୍ତ୍ରଣାଳୟ ଅତିରିକ୍ତ ସଚିବ ଅନୀଲ ମଲିକ, ଏନଆଇସି ଡିଜି ଡ. ନୀତା ବର୍ମା, ଏଏଫଏମଏସ ଡିଜି ଲେଫ୍ଟନାଣ୍ଟ ଜେନେରାଲ ଅନୁପ ବାନାର୍ଜୀ, ଡିଜିଏଚଏସ ଡିଜି ଡ. ରାଜୀବ ଗର୍ଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories