କରୋନା ପ୍ରଭାବ : କର୍ମଚାରୀଙ୍କ ଦରମା ହ୍ରାସ କରିବ ରିଲାଏନ୍ସ
ମୁମ୍ବଇ : କରୋନା ମହାମାରୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବ୍ୟବସାୟକୁ ପ୍ରଭାବିତ କରିଛି। ରିଲାଏନ୍ସର ବିଶୋଧିତ ଉତ୍ପାଦ ଏବଂ ପେଟ୍ରୋକେମିକାଲ୍ସର ଚାହିଦା ହ୍ରାସ ହେତୁ, କମ୍ପାନି କର୍ମଚାରୀମାନଙ୍କ ଦରମା ହ୍ରାସ କରିବାକୁ ଘୋଷଣା କରିଛି। କରୋନା ପାଇଁ ହୋଇଥିବା ଲକଡ଼ାଉନ୍ ଯୋଗୁଁ ବିଶେଷକରି ହାଇଡ୍ରୋକାର୍ବନ୍ ବ୍ୟବସାୟ ପ୍ରଭାବିତ ହୋଇଛି। ତେବେ ବର୍ତ୍ତମାନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ନେତୃତ୍ୱରେ କମ୍ପାନୀ ହାଇଡ୍ରୋକାର୍ବନ୍ ବ୍ୟବସାୟ ସହ ଜଡିତ କର୍ମଚାରୀଙ୍କ ଦରମା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ରିଲାଏନ୍ସର ହାଇଡ୍ରୋକାର୍ବନ୍ ବ୍ୟବସାୟରେ କାର୍ୟ୍ୟ କରୁଥିବା କର୍ମଚାରୀ, ଯାହାର ଦରମା ବାର୍ଷିକ ୧୫ ଲକ୍ଷ ଟଙ୍କାରୁ ଅଧିକ ସେମାନଙ୍କ ଦରମା ୧୦ ପ୍ରତିଶତ ହ୍ରାସ କରାଯିବ।
କମ୍ପାନି କହିଛି ଯେ, ଯେଉଁମାନଙ୍କର ଦରମା ବାର୍ଷିକ ୧୫ ଲକ୍ଷ ଟଙ୍କାରୁ କମ୍। ସେମାନଙ୍କ ଦରମା କଟାଯିବ ନାହିଁ। ଏଥି ସହିତ ରିଲାଏନ୍ସ କମ୍ପାନିରେ କାର୍ୟ୍ୟ କରୁଥିବା ସମସ୍ତ ନିର୍ଦ୍ଦେଶକଙ୍କ ଦରମାକୁ ୩୦-୫୦ ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ, କାର୍ୟ୍ୟଦକ୍ଷତା ଭିତ୍ତିକ ବୋନସଗୁଡିକ ମଧ୍ୟ ବର୍ତ୍ତମାନ ପର୍ୟ୍ୟନ୍ତ ସ୍ଥଗିତ ରଖାଯାଇଛି।
ବିଜନେସ୍ ଷ୍ଟାଣ୍ଡାର୍ଡର ଏକ ରିପୋର୍ଟ ଅନୁଯାୟୀ, କମ୍ପାନୀ କହିଛି ଯେ ଲକଡାଉନ୍ ହେତୁ ପେଟ୍ରୋଲିୟମର ଚାହିଦା ଯଥେଷ୍ଟ ହ୍ରାସ ପାଇଛି, ଯେଉଁ କାରଣରୁ ହାଇଡ୍ରୋକାର୍ବନ୍ ବ୍ୟବସାୟର ରାଜସ୍ୱ ଯଥେଷ୍ଟ ହ୍ରାସ ପାଇଛି।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ହିଟାଲ ଆର ମେସୱାନି କମ୍ପାନିର ଏହି ନିଷ୍ପତ୍ତି ସମ୍ପର୍କରେ କର୍ମଚାରୀମାନଙ୍କୁ ଏକ ଚିଠି ପ୍ରଦାନ କରିଛନ୍ତି। ଯେଉଁଥିରେ ଲାଭ ହ୍ରାସକୁ ଦୃଷ୍ଟିରେ ରଖି ଦରମା ହ୍ରାସର ଏହି ନିଷ୍ପତ୍ତି ନିଆଯାଇଥିବା ଦର୍ଶାଯାଇଛି।
Comments are closed.