mission shakti banner

ଚିଲିକାରେ ଡଙ୍ଗା ଡୁବି ୨ ମୃତ

BSKY banner  750×100
0

କୃଷ୍ଣପ୍ରସାଦ/ବାଣପୁର : କାଳୀଜାଈ ଦର୍ଶନ ସାରି ବାଲୁଗାଁ ଫେରୁଥିବା ବେଳେ ମଝି ଚିଲିକାରେ ଡଙ୍ଗାଟି ବୁଡ଼ି ଯିବାରୁ ଜଣେ ୮ ବର୍ଷର ଝିଅ ଓ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ଶେଷ ଖବର ସୁଦ୍ଧା ୧୨ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ୨ ଜଣ ନିଖୋଜ ଅଛନ୍ତି। ଉଦ୍ଧାର ପର୍ଯ୍ୟଟକଙ୍କୁ ବାଲୁଗାଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ ବାଳିକା ହେଲେ ନୟାଗଡ଼ ଜିଲା ଡିମିସର ଗ୍ରାମର ରବୀନ୍ଦ୍ର ଦାସଙ୍କ କନ୍ୟା ଶ୍ରଦ୍ଧାଞ୍ଜଳି (୮)ା ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଜଣେ ମହିଳାଙ୍କ ମୃତଦେହ ଚିଲିକା ଜଳରାଶିରୁ ଉଦ୍ଧାର କରାଯାଇଛି। ସେ ନୟାଗଡ଼ ଜିଲା ରଣପୁର ଥାନା ନରସିଂହପୁର ଗ୍ରାମର ପ୍ରଦୀପ ମହାନ୍ତିଙ୍କ ପତ୍ନୀ ବୋଲି ସନ୍ଦେହ କରାଯାଉଛି। ପ୍ରଦୀପଙ୍କୁ ଚିଲିକାରୁ ଉଦ୍ଧାର କରାଯାଇଥିବାବେଳେ ନିଖୋଜ ୨ ପର୍ଯ୍ୟଟକ ତାଙ୍କ ଦୁଇ ଝିଅ ବୋଲି ସନ୍ଦେହ କରାଯାଉଛି। ରାତି ହୋଇଯାଇଥିବାରୁ ମୃତକ ଓ ଉଦ୍ଧାର ହୋଇଥିବା
ପର୍ଯ୍ୟଟକଙ୍କ ସମ୍ପର୍କରେ ବିଶେଷ କିଛି ତଥ୍ୟ ମିଳିପାରିନି। ତେବେ ଉଦ୍ଧାରଙ୍କ ଭିତରେ ଶଶିଦେଈ ଦାସ ଓ ସ୍ୱର୍ଣ୍ଣପ୍ରଭା ଦାସ ନାମକ ଦୁଇଜଣ ମହିଳା ଅଛନ୍ତି। ବୁଡ଼ି ଯାଇଥିବା ଦୁଇ ନାଉରିଆଙ୍କ ସମ୍ପର୍କରେ କିଛି ଜଣାପଡ଼ିନି। ନିଖୋଜ ଓ ଉଦ୍ଧାର ଯାତ୍ରୀ ନୟାଗଡ଼, ରଣପୁର ଓ ଭୁବନେଶ୍ୱର ଅଞ୍ଚଳର ବୋଲି ସୂଚନା ମିଳିଛି। ରାତି ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରଖାଯାଇଛି।
ଘଟଣାରୁ ପ୍ରକାଶ ଯେ ରଜ ଉପଲକ୍ଷେ ବିଭିନ୍ନ ପ୍ରାନ୍ତରୁ ଚିଲିକା ପରିଭ୍ରମଣ ନିମନ୍ତେ ପର୍ଯ୍ୟଟକଙ୍କ ଆଗମନ ହୋଇଥିଲା। ଏପରିସ୍ଥଳେ ବାଲୁଗାଁ ଚିଲିକାକୂଳ ଜେଟିଠାରୁ ଶନିବାର ଅପରାହ୍ମ ୫ଟାରେ ୧୬ଜଣ ଯାତ୍ରୀଙ୍କୁ ନେଇ ଏକ ଡଙ୍ଗା କାଳୀଜାଈ ଅଭିମୁଖେ ବାହାରିଥିଲା। ସେଠାରୁ ମା’ଙ୍କ ଦର୍ଶନସାରି ସନ୍ଧ୍ୟା ୬ଟା ସମୟରେ ଡଙ୍ଗାଟି ଯାତ୍ରୀଙ୍କୁ ନେଇ ବାଲୁଗାଁ ବାହାରିଥିଲା। ସେହି ସମୟରେ ହଠାତ୍‍ କାଳବୈଶାଖୀ ପ୍ରଭାବରେ ପ୍ରବଳ ବେଗରେ ଝଡ଼ତୋଫାନ ଆସିଥିଲା। ଯାତ୍ରୀମାନେ ଭୟଭୀତ ଅବସ୍ଥାରେ ଥିବାବେଳେ ଚାଳକ ଝଡ଼ତୋଫାନକୁ ଖାତିର ନ କରି ଡଙ୍ଗାଧରି ଆସିଥିଲେ। କାଳୀଜାଈ ଗଣ୍ଡରେ ଡଙ୍ଗାଟି ହଠାତ୍‍ ଝଡ଼ତୋଫାନରେ ଭାରସାମ୍ୟ ହରାଇ ଗଭୀର ଜଳରେ ବୁଡ଼ି ଯାଇଥିଲା। ଫଳରେ ଡଙ୍ଗାରେ ବସିଥିବା ସମସ୍ତ ଯାତ୍ରୀ ଓ ୨ ନାଉରିଆ ବୁଡ଼ି ଯାଇଥିଲେ। ଏହି ଘଟଣା ଦେଖି ନିକଟରେ ଥିବା ଅନ୍ୟ ଡଙ୍ଗା ସଙ୍ଗେ ସଙ୍ଗେ ପହଞ୍ଚି ବୁଡ଼ି ଯାଉଥିବା ଯାତ୍ରୀଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ। ସେମାନେ କିଛି ଯାତ୍ରୀଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ସେମାନଙ୍କ ମଧ୍ୟରୁ କିଛି ଆହତ ଯାତ୍ରୀଙ୍କୁ ମୁମୂର୍ଷୁ ଅବସ୍ଥାରେ ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ବାଳିକାର ମୃତ୍ୟୁ ଘଟିଛି।
ନିଖୋଜ ପର୍ଯ୍ୟଟକଙ୍କ ସନ୍ଧାନରେ ଦମକଳ ବାହିନୀ, ଓଡ୍ରାଫ ଟିମ୍‍, ନୌସେନା, ପୁଲିସ, ବଡ଼କୂଳ ବୋଟ ଆସୋସିଏସନ୍‍ କର୍ମଚାରୀ ଓ ସ୍ଥାନୀୟ ମତ୍ସ୍ୟଜୀବୀ ସାମିଲ ଥିଲେ। ଉଦ୍ଧାର ହୋଇଥିବା ଯାତ୍ରୀଙ୍କ ମଧ୍ୟରେ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ବାଲୁଗାଁ ଡିଏସ୍‍ପି ସୁବାସ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୂର୍ବରୁ ଚିଲିକାରେ ଏପରି ଅଘଟଣ ଘଟୁଥିଲେ ବି ପର୍ଯ୍ୟଟକଙ୍କ ସୁରକ୍ଷା ଦିଗରେ ଦୃଷ୍ଟି ଦିଆଯାଉ ନ ଥିବା ଅଭିଯୋଗ ହେଉଛି।

ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର  : ଆଜି ସଂଧ୍ୟାରେ ଚିଲିକା ଡଙ୍ଗାବୁଡ଼ି ଏବଂ ଏଥିରେ ଜଣେ ଶିଶୁର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖବ୍ୟକ୍ତ କରିଛନ୍ତି। ଉଦ୍ଧାର କାର୍ଯ୍ୟ ସହିତ ଆହତଙ୍କ ଚିକିତ୍ସା ପାଇଁ ପଦକ୍ଷେପ ନେବାକୁ ସ୍ୱତନ୍ତ୍ର ରିଲିଫ୍‍ କମିଶନର, ଖୋର୍ଦ୍ଧା ଓ ଗଞ୍ଜାମ ଜିଲା ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। ଏଥିସହ ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଧର୍ମେନ୍ଦ୍ରଙ୍କ ଶୋକ ପ୍ରକାଶ

ଡଙ୍ଗାବୁଡ଼ି ଘଟଣାରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖ ପ୍ରକାଶ କରିଛନ୍ତି। ଟ୍ବିଟ୍‌ ଯୋଗେ ଶ୍ରୀ ପ୍ରଧାନ ଜଣାଇଛନ୍ତି, ‘ଏହି ଘଟଣାରେ ମୁଁ ଦୁଃଖିତ। ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ମୁଁ ଆଶା କରୁଛି, ନିଖୋଜମାନେ ଖୁବ୍‌ଶୀଘ୍ର ଉଦ୍ଧାର ହେବେ।

Leave A Reply