ସଟଡାଉନ ମାନିଲେନି, ଗୋଡେଇ ଗୋଡେଇ ଦଂଶିଲେ ମହୁମାଛି
ଚିକିଟି: ଲକ ଡାଉନରେ ସାରା ଦେଶ। ଗଞ୍ଜାମ ଜିଲାରେ ୧୯ ଘଣ୍ଟିଆ ସଟଡାଉନ ବଲବତ୍ତର ରହିଛି। କରୋନା ଶୃଙ୍ଖଳ ଭାଙ୍ଗିବା ପାଇଁ ଓଡ଼ିଆ ନବବର୍ଷ, ହନୁମାନ ଜୟନ୍ତୀ ଓ ମେରୁପର୍ବ ଉପରେ ଜିଲା ପ୍ରଶାସନ କଟକଣା ଲଗାଇଛି ଏପରି ସ୍ଥଳେ ପ୍ରଶାସନର ଆଦେଶକୁ ଅବମାନନା କରି କେତେକ ସ୍ଥାନରେ ପୂଜାବିଧି ସହ ଜନ ସମାଗମ ହୋଇଥିବା ଖବର ମିଳିଛି। ଏପରି ଏକ ଖବର ଆସିଛି ଚିକିଟି ବ୍ଲକ ଗିରିସୋଲା ଗ୍ରାମରୁ। ହନୁମାନ ଜୟନ୍ତୀ ପାଳନ ବେଳେ ହୋଇଥିବା ହୋମ ନିଆଁରେ ନିକଟରେ ରହିଥିବା ମହୁମାଛି ଦଳ ଉଗ୍ର ହୋଇ ଆକ୍ରମଣ କରିବାରୁ ଶତାଧିକ ଆହତ ହୋଇଛନ୍ତି।
ମିଳିଥିବା ସୂଚନା ପ୍ରକାରେ ସୋମବାର ସକାଳ ୬ଟାରୁ ଜାତୀୟ ରାଜରାସ୍ତା ପାର୍ଶ୍ୱ ଅଭୟ ଅଞ୍ଜନେୟ ହନୁମାନଙ୍କ ପୀଠରେ ହନୁମାନ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ହୋଇଥିଲା। ବିଧି ବିଧାନ ଅନୁସାରେ ପୂଜାପାଠ ମଧ୍ୟ ହେଲା। ପୂଜାର୍ଚ୍ଚନା ପାଇଁ ଶହ ଶହ ଭକ୍ତଙ୍କ ସମାଗମ ମଧ୍ୟ ହୋଇଥିଲା। ଭକ୍ତଙ୍କ ନିମନ୍ତେ ଅନ୍ନପ୍ରସାଦର ବନ୍ଦୋବସ୍ତ କରାଯାଇ ରୋଷେଇ ମଧ୍ୟ ଚାଲିଥିଲା। କିନ୍ତୁ ବିଡମ୍ବନା ଅମାନିଆ ଭକ୍ତମାନେ ବଜରଙ୍ଗବାଲିଙ୍କ କୋପର ଶିକାର ହେଲେ। ଲକଡାଉନ ଓ ସଟ ଡାଉନ ନିୟମକୁ ଖାତିର ନକରି ଭକ୍ତଙ୍କ ମେଳଣ ଚାଲିଥିବା ବେଳେ ମହୁମାଛି ଦଂଶନରେ ଶତାଧିକ ଭକ୍ତ ଆହତ ହୋଇଛନ୍ତି।
ରାଜ୍ୟର ଦ୍ବିତୀୟ ଉଚ୍ଚତମ ହନୁମାନ ବିଗ୍ରହର ଉପର ଭାଗରେ ଏକ ବିରାଟ ବାଘୁଆ ମହୁମାଛି ବସା ଥିଲା। ପୂଜାପାଠ ବେଳେ ହୋମ ଆୟୋଜନ କରାଯାଇଥିଲା। ହୋମ ଧୂଆଁରେ ମହୁମାଛି ଉଗ୍ର ହୋଇ ଲୋକଙ୍କୁ ଗୋଡ଼ାଇଲେ। ମହୁମାଛି ଆକ୍ରମଣରେ ପ୍ରାୟ ଦୁଇ ଶହରୁ ଅଧିକ ଲୋକ ଇତଃସ୍ତଃ ହୋଇ ଦୌଡିଥିଲେ। ନିସ୍ତାର ପାଇବାକୁ କେତେକ ନିକଟସ୍ଥ ପୋଖରୀରେ ବୁଡି ରହିଥିଲେ। କେତେକ ଗାଁକୁ ଦୌଡିଥିଲେ। କିନ୍ତୁ ମହୁମାଛି ପିଛା ଛାଡିନଥିଲେ। ଏଥିରେ ପ୍ରାୟ ଶହେରୁ ଅଧିକ ଲୋକ ଅଳ୍ପବହୁତେ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର ଥିବା ଜଣା ପଡ଼ିଛି। ଲକଡାଉନରେ ବାରଣ ସତ୍ତ୍ୱେ ହନୁମାନ ଜୟନ୍ତୀ ପାଳୁଥିବାରୁ କାଳେ ଅସୁବିଧା ହେବା ଲକ୍ଷ୍ୟରଖି କେହି ଡାକ୍ତରଖାନାକୁ ନଆସି କ୍ବାକ ଚିକିତ୍ସା ଓ ଔଷଧ ଦୋକାନରୁ ଔଷଧ କିଣି ନିଜେ ନିଜେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ଆହତଙ୍କ ମଧ୍ୟରେ ୧୦ରୁ ଅଧିକ ଶିଶୁ ରହିଛନ୍ତି ଏବଂ ସେମାନେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ସକାଳ ୬ ଟାରୁ ୯ଟା ପର୍ୟ୍ୟନ୍ତ ଜନ ଗହଳି ଲାଗିଥିଲା ଓ ମହୁମାଛି ଆକ୍ରମଣରେ ଶହେରୁ ଅଧକ ଆହତ ହୋଇଥିବା ବେଳେ ପୁଲିସ କିପରି ଜାଣି ପାରିଲା ନାହିଁ ତାହାକୁ ନେଇ ନାନା ପ୍ରଶ୍ନ ଉଙ୍କି ମାରିଛି। ଭୟରେ ଘର ଭିତରେ ଲୁଚି ରହିଛନ୍ତି।
Comments are closed.