ଦେବଦମ୍ପତିଙ୍କ ମଙ୍ଗଳକୃତ୍ୟ , ଶିବ ବିବାହ ପାଇଁ ଆରଡି ଚଳ ଚଞ୍ଚଳ

0

ଆରଡି: ବାହାଘର ପୁଣି ଦେବଦେବ ମହାଦେବଙ୍କର। ଏଥିପାଇଁ ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ପୀଠ ଚଳଚଞ୍ଚଳ ହୋଇ ଉଠିଲାଣି  । ବିଶେଷକରି ଦେବଦମ୍ପତିଙ୍କ ଯୁଗଳ ମୂର୍ତ୍ତୀକୁ ଦର୍ଶନ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଚୂଡାନ୍ତ ପ୍ରର୍ଯ୍ୟାୟରେ ପହଞ୍ଚିଛି। ବାହାଘର ପାଇଁ ପୀଠ ଚିକ୍ ମିକ୍ ଆଲୋକମାଳାରେ ଝଲସି ଉଠିବା ସହ  ପାରମ୍ପରିକ ବାଦ୍ୟରେ ଦୁଲୁକିବ ସମଗ୍ର ପୀଠ। ଏଥିପାଇଁ କଟକସ୍ଥିତ ଲୋକନାଦା ପକ୍ଷରୁ ପୀଠର ବସଷ୍ଟାଣ୍ଡ ଠାରୁ ମନ୍ଦିର ପର୍ଯ୍ୟନ୍ତ ଆଲୋକମାଳାରେ ସଜ୍ଜିତ କରାଯାଇଥିବା ବେଳେ ରାଜ୍ୟର ବହୁ ପାରମ୍ପରିକ ଲୋକ ବାଦ୍ୟ ଓ ନୃତ୍ୟଶିଳ୍ପୀ ଏହି ବାହାଘରରେ ଯୋଗ ଦେବେ । ଶନିବାରରେ ମଙ୍ଗଳପାଗ ଅନୁଷ୍ଠିତ ହେବା ସହିତ ରବିବାର ବିବାହ ବନ୍ଧନରେ ବାନ୍ଧି ହେବେ ଦେବଦମ୍ପତି। ଏଥିପାଇଁ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ସ୍ଥିରିକୃତ ହୋଇଛି ନୀତିକାନ୍ତି। ପୂର୍ବ ପ୍ରସ୍ତୁତି ଅନୁଯାଇ ଶନିବାର ଭୋର ୪ଟାରେ ପହଡ ଖୋଲିବା ପରେ ରୀତିନୀତି ଅନୁଯାୟୀ ମଙ୍ଗଳ ଆଳତୀ, ଘର୍ଷଣଲାଗି ,ଜଳାଭିଷେକ, ରୁଦ୍ରାଭିଷେକ ଆଦି ଦିବା ୧୦ଟା ସୁଧା ସମସ୍ତ ସକାଳ ଧୂପ ସରିବା ପରେ ବାବାଙ୍କ ଚଳନ୍ତୀ ପ୍ରତିମା ହର ଓ ମା ପାର୍ବତୀଙ୍କ ଚଳନ୍ତୀ ପ୍ରତିମା ଗୈାରୀଙ୍କୁ ଦୁଇଟି ସୁସଜ୍ଜିତ ବିମାନରେ ବିଜେ କରାଯାଇ ଚଳିତ  ବିବାହ ଉତ୍ସବରେ ବରପିତା ସେବାୟତ ଚନ୍ଦ୍ରମଣୀ ପାଢୀ  ସ୍ୱଗୃହକୁ   ହରଙ୍କୁ ବିଜେ କରାଯିବା ସହିତ କନ୍ୟାପିତା ନାରାୟଣ ପଣ୍ଡା ଘରକୁ ଗୈାରୀ ଓ ତାଙ୍କ ଭ୍ରାତା ହନୁମାନଙ୍କୁ ବିଜେ କରାଯିବ। ବୈଦିକ ରୀତିନୀତି ଓ ଲୈାକାଚାରରେ ସାତଜଣ ମହିଳାଙ୍କ ପକ୍ଷରୁ ହଳଦୀ , ଘିଅ, ଚନ୍ଦନ ଆଦିରେ ମଙ୍ଗୁଳା କାର୍ଯ୍ୟ ଅନୁଷ୍ଠିତ ହେବ। ସେହିପରି ବିବାହ ଉତ୍ସବ ନିମନ୍ତେ ପୀଠରେ ଅଧିକାଂଶ ବାଦ୍ୟ ଦଳ ପହଞ୍ଚିଥିବା ବେଳେ ଶନିବାର  ସୁଧା ସମସ୍ତ ଲୋକବାଦ୍ୟ ଦଳ ପହଞ୍ଚିବେ ବୋଲି ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି। ଅନ୍ୟପଟେ ପୀଠର ବନ୍ଧୁ ପରିଜନଙ୍କ ସମେତ ଶ୍ରଦ୍ଧାଳୁ ଭକ୍ତମାନଙ୍କର ଭିଡ ଜମିବାରେ ଲାଗିଛି। ଦୀର୍ଘ ୫ଦିନ ଧରି ବାହାରିଥିବା ଶିବବିବାହ ନିମନ୍ତ୍ରଣ ରଥ ପୀଠରେ ପହଞ୍ଚିବା ପରେ ପୀଠରେ ଥିବା ସମସ୍ତ ଦେବାଦେବୀଙ୍କୁ ନିମନ୍ତ୍ରଣ ସ୍ୱରୁପ ମଙ୍ଗୁଳା ଗୁଆ ଓ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଛି।

Leave A Reply