ଶସ୍ତା ହେବ ସ୍ୱାସ୍ଥ୍ୟ ଉପକରଣ

0

ନୂଆଦିଲ୍ଲୀ: ଔଷଧ ପରେ ଏବେ ସ୍ୱାସ୍ଥ୍ୟ ଉପକରଣକୁ କେନ୍ଦ୍ର ସରକାର ନିୟନ୍ତ୍ରଣାଧୀନ କରିବାକୁ ଯାଉଛନ୍ତି। ଏ ଦିଗରେ ନିତି ଆୟୋଗ ସରକାରଙ୍କୁ ପରାମର୍ଶ ଦେଇଥିବା ବେଳେ ପିଏମ୍‍ରେ ଏ ସମ୍ପର୍କରେ ଆଲୋଚନା ହୋଇସାରିଛି। ତେଣୁ ଖୁବ୍‍ ଶୀଘ୍ର ତାହା କାର୍ଯ୍ୟକାରୀ ହେବ ବୋଲି କୁହାଯାଉଛି।
ନିତି ଆୟୋଗର ସୁପାରିସ ଅନୁଯାୟୀ, ବିକ୍ରି ବେଳେ ଉତ୍ପାଦ ମୂଲ୍ୟ ଉପରେ ସର୍ବାଧିକ ୩୦% ଲାଭ ରଖିବାକୁ ବିକ୍ରେତାଙ୍କୁ କୁହାଯିବ ଏବଂ ଦେଶର ସମସ୍ତ ଅଞ୍ଚଳରେ ଏକକ ମୂଲ୍ୟ ନିର୍ଦ୍ଧାରଣ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଏହାଫଳରେ ରୋଗୀମାନେ ଔଷଧ ଦୋକାନରୁ କିଣୁଥିବା ଏବଂ ବିଭିନ୍ନ ଡାକ୍ତରଖାନା ତରଫରୁ ରୋଗୀଙ୍କୁ ମୂଲ୍ୟଯୁକ୍ତ ସେବାରେ ଯୋଗାଇ ଦିଆଯାଉଥିବା ଓ ବ୍ୟବହାର କରାଯାଉଥିବା ଉପକରଣ ଶସ୍ତା ହେବ। ଦେଶରେ ସାର୍ବଜନୀନ ଓ ସୁଲଭ ସ୍ୱାସ୍ଥ୍ୟ ସେବା ଯୋଜନାରେ ଏହା ସହାୟକ ହୋଇପାରିବ ବୋଲି ନିତି ଆୟୋଗ ଚିନ୍ତା କରୁଛି।
ଏକକ ମୂଲ୍ୟ ନିର୍ଦ୍ଧାରଣ ପୂର୍ବରୁ ନିତି ଆୟୋଗ ଉପକରଣ ଓ ଔଷଧ ନିର୍ମାତାଙ୍କ ସହିତ ଆଲୋଚନା କରୁଛି। କେଉଁ ଉପକରଣର ମୂଲ୍ୟ ଓ ଲାଭାଂଶ ଅଧିକ ରହୁଛି ଓ କେଉଁଗୁଡ଼ିକ ନିତାନ୍ତ ଆବଶ୍ୟକ ତାହାର ଏକ ତାଲିକା ପ୍ରସ୍ତୁତ କରିବାକୁ ସ୍ୱାସ୍ଥ୍ୟ ସମ୍ପର୍କିତ ସଂସଦର ସ୍ଥାୟୀ କମିଟିକୁ ନିତି ଆୟୋଗ ଅନୁରୋଧ କରିଛି। ଏବେ ଚାହିଦାର ୭୫% ସ୍ୱାସ୍ଥ୍ୟ ଉପକରଣ ବାହାରୁ ଆମଦାନି କରାଯାଉଥିବା ବେଳେ ସେଗୁଡ଼ିକ ମଧ୍ୟରୁ ୮୦% ଭାଗ ରୋଗୀ ସେବା ପାଇଁ ନିତାନ୍ତ ଜରୁରୀ। ସେଗୁଡ଼ିକର ମୂଲ୍ୟ ଅଧିକ ରହୁଥିବାରୁ ଏବଂ ସରକାରୀ ନିୟନ୍ତ୍ରଣ ବାହାରେ ଥିବାରୁ ରୋଗୀମାନେ ଆର୍ଥିକ ବୋଝ ସହୁଛନ୍ତି। ଏବେ ହୃଦ୍‍ଶଲ୍ୟରେ ବ୍ୟବହୃତ ଷ୍ଟେଣ୍ଟସ୍‍ ଓ ଆଣ୍ଠୁ ପ୍ରତିରୋପଣରେ ବ୍ୟବହୃତ ଉପକରଣ ସମେତ କେବଳ ୫ ପ୍ରକାର ଉପକରଣର ମୂଲ୍ୟ ସରକାରୀ ନିୟନ୍ତ୍ରଣାଧୀନ ରହିଛି।

kalyan agarbati
Leave A Reply