ସାମ୍ବାଦିକଙ୍କ ସନ୍ଦିଗ୍ଧ ହତ୍ୟାକାରୀଙ୍କ ସ୍କେଚ୍ ଜାରି
ନୂଆଦିଲ୍ଲୀ: ‘ରାଇଜିଂ କାଶ୍ମୀର’ର ସମ୍ପାଦକ ସୁଜାତ୍ ବୁଖାରିଙ୍କ ହତ୍ୟାରେ ସମ୍ପୃକ୍ତ ଥିବା ତିନି ସନ୍ଦିଗ୍ଦ ବ୍ୟକ୍ତିଙ୍କୁ ଆଂଶିକ ଚିହ୍ନଟ କରାଯାଇଛି। ଶୁକ୍ରବାର ସକାଳୁ ଶ୍ରୀନଗର ପୁଲିସ ତିନିଜଣଙ୍କ ସ୍କେଚ୍ ଜାରି କରିଛି। ଶ୍ରୀନଗର ପ୍ରେସ କଲୋନୀ ନିକଟରେ ଗୁରୁବାର ରାତିରେ ବୁଖାରି ଓ ତାଙ୍କ ଦୁଇ ସୁରକ୍ଷା କର୍ମୀଙ୍କୁ ଗୁଳିମାରି ହତ୍ୟା କରାଯାଇଥିଲା।
ସିସିଟିଭି ଫୁଟେଜ୍ରୁ ମିଳିଥିବା ଭିଡିଓ ଚିତ୍ରରେ ତିନି ଜଣ ବ୍ୟକ୍ତିଙ୍କୁ ଏକ ମୋଟରସାଇକଲ୍ରେ ଆସୁଥିବା ଦେଖାଯାଇଛି। ସେମାନଙ୍କ ମଧ୍ୟରୁ ଚାଳକ ହେଲମେଟ୍ ପିନ୍ଧିଥିବା ବେଳେ ପଛରେ ବସିଥିବା ଦୁଇ ଜଣ ମୁହଁକୁ ଅଧା ଘୋଡ଼ାଇଛନ୍ତି। ଦେଖଣାହାରୀଙ୍କ କହିବା ଅନୁଯାୟୀ, ‘ରାଇଜିଂ କାଶ୍ମୀର’ କାର୍ଯ୍ୟାଳୟ ବାହାରେ ହେଲ୍ମେଟ୍ ଓ ଶଲ୍ୱର କମିଜ୍ ପିନ୍ଧିଥିବା ଚାରିଜଣ ବ୍ୟକ୍ତି ଦୁଇଟି ମୋଟର ସାଇକଲ୍ରେ ଠିଆ ହୋଇଥିଲେ। ବୁଖାରୀ ତାଙ୍କ ଗାଡ଼ିରେ ଚଢ଼ୁଥିବାବେଳେ ପଛରେ ବସିଥିବା ଦୁଇ ସନ୍ଦିଗ୍ଧ ଆଖିବୁଜା ଗୁଳି ଚଳାଇଥିଲେ। ବୁଖାରିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଦୁଇ ସୁରକ୍ଷା କର୍ମୀଙ୍କ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ‘ରାଇଜିଂ କାଶ୍ମୀର’ର ଶୁକ୍ରବାର ସଂସ୍କରଣର ପ୍ରଥମ ପୃଷ୍ଠାରେ ଦିବଂଗତ ସମ୍ପାଦକ ବୁଖାରିଙ୍କ ଫଟୋଚିତ୍ର ସହିତ ଏକ ସନ୍ଦେଶ ଦିଆଯାଇଛି। ଏଭଳି ହିଂସା ଦ୍ୱାରା ଖବର କାଗଜ ବନ୍ଦ ହେବ ନାହିଁ ବୋଲି ଉକ୍ତ ସନ୍ଦେଶରେ ଉଲ୍ଲେଖ ରହିଛି।