ପଳାତକ ଏନ୍‍ଆରଆଇ ସ୍ୱାମୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ହେବ

0

ନୂଆଦିଲ୍ଲୀ: ଭାରତରେ ବିବାହ କରି ଆଉ ଫେରୁ ନଥିବା ପ୍ରବାସୀ ଭାରତୀୟ(ଏନ୍‍ଆରଆଇ)ଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବାକୁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି। ଏ ସମ୍ପର୍କିତ ପ୍ରଚଳିତ ଆଇନ୍‍ରେ କେତେକ ସଂଶୋଧନ ଆଣିବା ପାଇଁ ଏକ ଉଚ୍ଚସ୍ତରୀୟ ମନ୍ତ୍ରୀସ୍ତରୀୟ କମିଟି ଗଠିତ ହୋଇଛି। ଏହି କମିଟିରେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧି, କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ସଦସ୍ୟ ଅଛନ୍ତି। କମିଟିର ସୁପାରିସ ଆଧାରରେ ଚିଠା ପ୍ରସ୍ତାବ କ୍ୟାବିନେଟ୍‍ରେ ଉପସ୍ଥାପନ କରାଯିବ। କ୍ୟାବିନେଟ୍‍ ଅନୁମୋଦନ ପରେ ସଂଶୋଧିତ ଆଇନ୍‍ କାର୍ଯ୍ୟକାରୀ ହେବ।
ଏନ୍‍ଆରଆଇମାନେ ଉନ୍ନତ ଜୀବନଶୈଳୀ ଓ ସୁଖସ୍ୱାଚ୍ଛନ୍ଦ୍ୟର ପ୍ରଲୋଭନ ଦେଖାଇ ଭାରତରେ ଯୁବତୀଙ୍କୁ ବିବାହ କରୁଛନ୍ତି। କିନ୍ତୁ କିଛି ଦିନ ପରେ ବିଦେଶ ଯାଇ ଆଉ ଫେରୁନାହାନ୍ତି କି ପତ୍ନୀଙ୍କୁ ନିଜ ପାଖକୁ ନେଉନାହାନ୍ତି। ବାରମ୍ବାର କୋର୍ଟ ସମନ୍‍ ସତ୍ତେ୍ୱ ସେମାନେ ହାଜର ହେଉନାହାନ୍ତି। ବିଶେଷକରି ପଞ୍ଜାବ ଅଞ୍ଚଳରେ ଏଭଳି ଉଦାହରଣ ବହୁଳ ଦେଖିବାକୁ ମିଳୁଛି। ସେମାନେ ବିଦେଶ ଯିବା ପରେ ଆଇନଗତ ଜଟିଳତାକୁ ଏଡ଼ାଇବା ପାଇଁ ନିଜ ନାମ ଓ ପରିଚୟ ବଦଳାଇ ଦେଉଛନ୍ତି। ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏକ ୱେବ୍‍ସାଇଟ୍‍ ବିକାଶ କରାଯାଉଛି। ସେଥିରେ ଏଭଳି ଆଇନ୍‍ ଖିଲାପୀ ଏନ୍‍ଆରଆଇଙ୍କ ତାଲିକା ରହିବ। ସେମାନେ କୋର୍ଟ ସମନ୍‍ ଗ୍ରହଣ ନ କଲେ କିଛି ଦିନ ପରେ ସେମାନଙ୍କ ନାମରେ ଥିବା କିମ୍ବା ପତ୍ନୀ/ପରିବାର ସଦସ୍ୟଙ୍କ ସହିତ ଯୁଗ୍ମ ନାମରେ ଥିବା ଜମି, ଘର ଓ ଅନ୍ୟାନ୍ୟ ସ୍ଥାବର ସମ୍ପତ୍ତି ଜବତ ହେବ। ବିବାହର ୪୮ ଘଣ୍ଟା ମଧ୍ୟରେ ପଞ୍ଜିକରଣ ବାଧ୍ୟତାମୂଳକ କରିବା ପାଇଁ ମଧ୍ୟ ଉକ୍ତ ଆଇନ୍‍ରେ ସଂଶୋଧନ ଅଣାଯିବ।

kalyan agarbati
Leave A Reply