ବିପଦରୁ ତାମିଲନାଡ଼ୁ ସରକାରଙ୍କୁ ସାମୟିକ ଆଶ୍ୱସ୍ତି

0

ଚେନ୍ନାଇ: ତାମିଲନାଡ଼ୁର ୧୮ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ମାମଲାରେ ମାଡ୍ରାସ୍‍ ହାଇକୋର୍ଟ ଖଣ୍ଡପୀଠ ଆଜି ମିଶ୍ରିତ ରାୟ ଦେଇଛନ୍ତି। ମାମଲାର ବିଚାର କରୁଥିବା ଦୁଇ ଜଣିଆ ଖଣ୍ଡପୀଠ ପରସ୍ପର ବିରୋଧୀ ରାୟ ଦେଇଥିବାରୁ ବିଧାୟକଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇପାରିନାହିଁ। ଅର୍ଥାତ୍‍ ୧୮ ବିଧାୟକ ପୂର୍ବପରି ଅଯୋଗ୍ୟ ବୋଲି ବିବେଚିତ ହେବେ। ଏହି ପରିପ୍ରେକ୍ଷୀରେ ତାମିଲ୍‍ନାଡ଼ୁ ସରକାର ଉପରେ ଆସନ୍ନ ବିପଦ କିଛି ଦିନ ପାଇଁ ଟଳି ଯାଇଛି।
ସରକାରୀ ମୁଖ୍ୟ ସଚେତକ ଏସ୍‍ ରାଜେନ୍ଦ୍ରନ୍‍ଙ୍କ ଅଭିଯୋଗ ଆଧାରରେ ବିଚାରପତି ୨୦୧୭, ଡିସେମ୍ବର ୧୮ ତାରିଖରେ ୧୮ ସଦସ୍ୟଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ସେମାନେ ରାଜ୍ୟପାଳଙ୍କୁ ଭେଟି ସରକାର ପ୍ରତି ଅନାସ୍ଥା ଭାବ ପ୍ରକଟ କରିଥିବା ଅଭିଯୋଗ ଆସିଥିଲା। ବାଚସ୍ପତିଙ୍କ ଘୋଷଣା ବିରୋଧରେ ସେପ୍ଟେମ୍ବର ୨୦ ତାରିଖରେ ବିଧାୟକମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ମାଡ୍ରାସ୍‍ ହାଇକୋର୍ଟ ମୁଖ୍ୟ ବିଚାରପତି ଇନ୍ଦିରା ବାନାର୍ଜୀ ଓ ବିଚାରପତି ଏମ୍‍ ସୁନ୍ଦରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ବିଚାର କରୁଥିଲେ। ପାଞ୍ଚ ମାସ ପୂର୍ବେ ଏହି ମାମଲାର ଶୁଣାଣି ଶେଷ ହୋଇଥିବା ବେଳେ ରାୟ ସଂରକ୍ଷିତ ରହିଥିଲା। ଆଜି ରାୟ ପ୍ରକାଶ ପାଇଛି। ମୁଖ୍ୟ ବିଚାରପତି ଇନ୍ଦିରା ବାନାର୍ଜୀ ତାମିଲନାଡ଼ୁ ବିଚାରପତିଙ୍କ ନିର୍ଦେଶକୁ କାଏମ ରଖିଥିବା ବେଳେ ଖଣ୍ଡପୀଠର ଅନ୍ୟତମ ବିଚାରପତି ଏମ୍‍ ସୁନ୍ଦର ଏହାକୁ ବିରୋଧ କରିଥିଲେ। ତେଣୁ ମାମଲାରେ କୌଣସି ନିର୍ଦ୍ଦିଷ୍ଟ ଓ ସ୍ପଷ୍ଟ ରାୟ ମିଳିପାରିନାହିଁ। ପରବର୍ତ୍ତୀ ସମୟରେ ମାମଲା ଏକ ତିନିଜଣିଆ ଖଣ୍ଡପୀଠକୁ ସ୍ଥାନାନ୍ତରିତ ହେବ ବୋଲି ଜଣାପଡ଼ିଛି।
ଯଦି ମାମଲାରେ ବିଧାୟକମାନେ ବିଜୟୀ ହୋଇଥାନ୍ତେ ତେବେ ସରକାର ପ୍ରତି ବିପଦ ଆସିଥାନ୍ତା। ଯଦି ସେମାନେ ମାମଲା ହାରିଥାନ୍ତେ ତେବେ ସରକାର ତିଷ୍ଠି ରହିଥାନ୍ତା; କିନ୍ତୁ ୧୮ଟି ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥାନ୍ତା। ଉକ୍ତ ଉପ ନିର୍ବାଚନର ଫଳାଫଳ ଆଧାରରେ ସରକାରର ଭାଗ୍ୟ ନିର୍ଦ୍ଧାରଣ ହୋଇଥାନ୍ତା।
୨୩୪ ଆସନ ବିଶିଷ୍ଟ ତାମିଲନାଡ଼ୁ ବିଧାନସଭାରେ ସରକାର ଗଠନ ପାଇଁ ୧୧୭ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ବର୍ତ୍ତମାନ ସ୍ଥିତିରେ ତାମିଲ୍‍ନାଡ଼ୁ ବିଧାନସଭାରେ ଏଆଇଏଡିଏମ୍‍କେର ବାଚସ୍ପତି ପି ଧନପାଲ୍‍ଙ୍କୁ ମିଶାଇ ୧୩୧ ଜଣ ବିଧାୟକ ଥିବାବେଳେ ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କୁ ବାଚସ୍ପତି ଅଯୋଗ୍ୟ ଘୋଷଣା କରିଛନ୍ତି।
ସରକାରଙ୍କୁ ଏଆଇଏଡିଏମ୍‍କେ ମେଣ୍ଟର ତିନି ଜଣ ସଦସ୍ୟ ବିରୋଧ କରୁଛନ୍ତି। ଡିଏମ୍‍କେର ୮୯ ଜଣ, କଂଗ୍ରେସର ୮ ଜଣ ଓ ଆଇୟୁଏମ୍‍ଏଲ୍‍ର ଜଣେ ଓ ଜଣେ ସ୍ୱାଧୀନ ବିଧାୟକ ଅଛନ୍ତି। ତେଣୁ ଏଭଳି ସ୍ଥିତିରେ ବିଧାୟକମାନେ ଜୟଯୁକ୍ତ ହୋଇଥିଲେ ସେମାନେ ସରକାର ବିରୋଧରେ ଭୋଟ ଦେଇଥାନ୍ତେ ଓ ସରକାର ଭାଙ୍ଗିଯାଇଥାନ୍ତା। ଯଦି ସେମାନେ ହାରିଯାଇଥାନ୍ତେ ତେବେ ସରକାରଙ୍କୁ ଆଉ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ପଡ଼ି ନଥାନ୍ତା।

Leave A Reply