ଅନ୍ତ-ଆଦ୍ୟର ସଂକଟ ; ବିଗିଡ଼ିବ ବଜେଟ୍‌ ଗଣିତ

କରୋନା(କୋଭିଡ୍-୧୯) ଏଭଳି ଏକ ସମୟରେ ଆତ୍ମପ୍ରକାଶ କରିଛି ଯେତେବେଳେ ବିଶ୍ୱର ରାଜନୀତି, ଅର୍ଥନୀତି, ପ୍ରକୃତି ଏକ ଅନ୍ତ-ଆଦ୍ୟର ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି। ଫେବୃଆରୀ ଶେଷାର୍ଦ୍ଧରୁ ମାର୍ଚ୍ଚ ମାସର ସମୟ ହେଉଛି ପ୍ରକୃତିର ଋତୁକାଳୀନ ପରିବର୍ତ୍ତନର ବେଳା। ଏହି ସମୟ ସାଧାରଣତଃ ଋତୁ ପରିବର୍ତ୍ତନଜନିତ କେତେକ ପାରମ୍ପରିକ ରୋଗର ବାହକ ହୋଇଥିବାରୁ ସ୍ୱାସ୍ଥ୍ୟଗତ ସମସ୍ୟା ଅଧିକ। କରୋନା ଏହି ସମସ୍ୟାକୁ ଅଧିକ ଜଟିଳ କରିଛି। ବିଶ୍ୱର ସର୍ବଶକ୍ତିମାନ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଅଙ୍କକଷା ଆରମ୍ଭ ହୋଇସାରିଛି। କରୋନା ସଂକ୍ରମଣର ସାଂପ୍ରତିକ ସ୍ଥିତି ଓ ପରବର୍ତ୍ତୀ ପ୍ରଭାବ ସେଠାକାର ରାଜନୀତିକ ସମୀକରଣକୁ ଓଲଟପାଲଟ କରିଦେବା ଏକପ୍ରକାର ନିଶ୍ଚିତ। ଚିକିତ୍ସା ବିଜ୍ଞାନର ସଫଳତା ଓ ରାଜନୈତିକ ପଟ ପରିବର୍ତ୍ତନ ସହିତ କିଛିଦିନ ପରେ ଉପରୋକ୍ତ ଦୁଇ କ୍ଷେତ୍ରର ପ୍ରଭାବ ସମୟସ୍ରୋତରେ ପାସୋରା ହୋଇଯିବ, କିନ୍ତୁ ଯେଉଁ କ୍ଷେତ୍ରରେ କରୋନାର କ୍ଷତ ଦୀର୍ଘଦିନ ପର୍ଯ୍ୟନ୍ତ ଶୁଖିବ ନାହିଁ ତାହାକୁ ନେଇ ଚିନ୍ତା ଆରମ୍ଭ ହୋଇଛି। ଏହି ସମୟରେ ବିଶ୍ୱରେ ନୂଆ ଆର୍ଥିକ ବର୍ଷ(ଭାରତ ସମେତ କେତେକ ରାଷ୍ଟ୍ରରେ ଏପ୍ରିଲ୍ ୧ ତାରିଖ ଏବଂ ଆମେରିକା ସମେତ କେତେକ ରାଷ୍ଟ୍ରରେ ଜାନୁଆରୀ ୧ ତାରିଖ) ଆରମ୍ଭ ହେଉଛି। ନୂଆ ଆର୍ଥିକ ବର୍ଷ ପାଇଁ ବଜେଟ୍(ଆୟ-ବ୍ୟୟ)ର ବିବରଣୀ ଚୂଡ଼ାନ୍ତ ହୋଇସାରିଛି। ଏଭଳି ପରିସ୍ଥିତିରେ ବଜେଟ୍ ଗଣିତକୁ କରୋନା ଓଲଟପାଲଟ କରିଦେଇଛି। ବିଶ୍ୱସ୍ତରରୁ ଆରମ୍ଭ କରି ଆଞ୍ଚଳିକ ସ୍ତରର ଅର୍ଥନୀତି ଉପରେ ଏହି ବିଶ୍ୱ ମହାମାରୀର ପ୍ରଭାବ ଅନେକ ଦିନ ପର୍ଯ୍ୟନ୍ତ ରହିବ, ଯାହା ଏତେ ସହଜରେ ଭରଣା ହୋଇପାରିବ ନାହିଁ।
କରୋନା ଯୋଗୁଁ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ହାରାହାରି ୧% ହ୍ରାସ ପାଇବ ବୋଲି ଜାତିସଂଘ ଆଶଙ୍କା କରିଛି। ଜାତିସଂଘର ‘ଡିପାର୍ଟମେଣ୍ଟ ଫର ଇକନୋମିକ୍ ଆଣ୍ଡ ସୋସିଆଲ୍ ଆଫେୟେର୍ସ’ ଦ୍ୱାରା ସଦ୍ୟ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି ଯେ ପ୍ରାୟ ୧୦୦ଟି ପ୍ରମୁଖ ଦେଶ ସେମାନଙ୍କ ସୀମା ବନ୍ଦ କରିଦେଇଥିବା ଯୋଗୁଁ ବିଶ୍ୱ ବାଣିଜ୍ୟ ଗୁରୁତର ପ୍ରଭାବିତ ହୋଇଛି। କରୋନା ସଂକ୍ରମଣଜନିତ ଆଶଙ୍କା ଯୋଗୁଁ ଆଗାମୀ କିଛି ମାସ ପର୍ଯ୍ୟନ୍ତ ଏଥିରେ ସୁଧାର ଆଶା ନାହିଁ। ବିକଶିତ ଦେଶମାନଙ୍କରୁ ସୃଷ୍ଟ ବାଣିଜ୍ୟ ସଙ୍କୋଚନ ବିକାଶଶୀଳ ଓ ଅନୁନ୍ନତ ଦେଶମାନଙ୍କୁ ପ୍ରଭାବିତ କରିବ। ବିଶେଷକରି ପର୍ଯ୍ୟଟନ ଶିଳ୍ପସମୃଦ୍ଧ ଦେଶଗୁଡ଼ିକର ଅର୍ଥନୀତି ଗୁରୁତର ପ୍ରଭାବିତ ହେବ। ବନ୍ଦ ପଡ଼ିଥିବା ଶିଳ୍ପ ଉତ୍ପାଦନ ଆରମ୍ଭ ହେବାକୁ ଆହୁରି ଅନେକ ଦିନ ଲାଗିବ। ବିଶ୍ୱ ବାଣିଜ୍ୟ ଚାହିଦା ହ୍ରାସ ଯୋଗୁଁ ଆଞ୍ଚଳିକ ରପ୍ତାନିଭିତ୍ତିକ ଶିଳ୍ପ ଅଭିବୃଦ୍ଧି ହାର ମନ୍ଥର ରହିବ। ଏହିସବୁ କାରଣରୁ ବେରୋଜଗାର ସମସ୍ୟା ଉତ୍କଟ ହେବ। ତେଣୁ କେବଳ ଆର୍ଥିକ ସହାୟତା ବଦଳରେ ଅର୍ଥନୀତିକୁ କିଭଳି ଗତିଶୀଳ କରାଯାଇପାରିବ ସେ ଦିଗରେ ଅର୍ଥନୀତିଜ୍ଞମାନେ ଚିନ୍ତା କରିବା ଆବଶ୍ୟକ ବୋଲି ରିପୋର୍ଟରେ ପରାମର୍ଶ ଦିଆଯାଇଛି।
ଭାରତ ପରିପ୍ରେକ୍ଷୀରେ ଚିନ୍ତା କଲେ ଏହି ସଙ୍କଟ ଆହୁରି ଉତ୍କଟ ହେବ ବୋଲି ଏବେଠାରୁ ଆଶଙ୍କା ପାଇଛି। ମାନ୍ଦାବସ୍ଥା ଓ ବେରୋଜଗାରୀ ସମସ୍ୟା ଦେଇ ଗତି କରୁଥିବା ଭାରତର ଅର୍ଥନୀତି ଏହି ବିରାଟ ବୋଝକୁ କିଭଳି ସହିବ ତାହା ଦେଶର ନୀତି ନିର୍ଦ୍ଧାରକଙ୍କ ଚିନ୍ତା ବଢ଼ାଇବା ସ୍ୱାଭାବିକ। ଗତ ୧ ତାରିଖରୁ ଭାରତରେ ନୂଆ ଆର୍ଥିକ ବର୍ଷ ଆରମ୍ଭ ହୋଇଛି। ଅନେକ କସରତ ସତ୍ତ୍ୱେ ଗତ ଆର୍ଥିକ ବର୍ଷରେ ଧାର୍ଯ୍ୟ ରାଜସ୍ୱ ଆଦାୟ ଲକ୍ଷ୍ୟରୁ କେନ୍ଦ୍ର ସରକାର ବହୁ ପଛରେ ପଡ଼ିଯାଇଛନ୍ତି। ଗତ ମାର୍ଚ୍ଚ ବା ଗତ ଆର୍ଥିକ ବର୍ଷର ଶେଷ ମାସରେ ଦ୍ରବ୍ୟ ଓ ସାମଗ୍ରୀ ଟିକସ(ଜିଏସ୍‌ଟି) ଆଦାୟ କ୍ଷେତ୍ରରେ ମଧ୍ୟ ନିରାଶାର ଧାରା ଜାରି ରହିଛି। ଇତିମଧ୍ୟରେ କରୋନା ଯୋଗୁଁ କ୍ଷତିଗସ୍ତ/ପ୍ରଭାବିତଙ୍କ ସାମାଜିକ-ଆର୍ଥିକ ସୁରକ୍ଷା ପାଇଁ କେନ୍ଦ୍ର ସରକାର ୧.୭ ଲକ୍ଷ କୋଟି ଟଙ୍କାର ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି। ଯଦି ସ୍ଥିତିରେ ଉନ୍ନତି ପରିଲକ୍ଷିତ ନ ହୁଏ ତେବେ ଲକଡାଉନ୍ ଅବଧି ସହିତ ଆର୍ଥିକ ସହାୟତା ପରିମାଣ ହୁଏତ ବୃଦ୍ଧି ହୋଇପାରେ। ଗୋଟିଏ ପକ୍ଷରେ ଜିଏସ୍‌ଟି ହ୍ରାସ ଏବଂ ଅନ୍ୟ ପକ୍ଷରେ ଆର୍ଥିକ ସହାୟତା ପରି ଅଣ-ଉତ୍ପାଦ ବ୍ୟୟ ଯୋଗୁଁ ବଜେଟ୍ ଗଣିତ ବିଗିଡ଼ିବା ଆଶଙ୍କା ଅମୂଳକ ନୁହେଁ। ଲକ୍ ଡାଉନ୍ ଯୋଗୁଁ ପେଟ୍ରୋଲ, ଡିଜେଲ୍ ବ୍ୟବହାର ପ୍ରାୟ ୮୦% ହ୍ରାସ ପାଇଛି। ଏଥିରୁ କେନ୍ଦ୍ର ସରକାର(ଉତ୍ପାଦ ଶୁଳ୍କ) ଓ ରାଜ୍ୟ ସରକାର(ଭାଟ) ବାବଦରେ ପାଉଥିବା ବିପୁଳ ରାଜସ୍ୱ ହରାଇଛନ୍ତି। ମଦ ଦୋକାନ ବନ୍ଦ ହୋଇଯିବା ଯୋଗୁଁ ରାଜ୍ୟମାନଙ୍କର ଅବକାରୀ ରାଜସ୍ୱ ମଧ୍ୟ ସଙ୍କୁଚିତ ହୋଇଛି। ପିଏମ୍ କେୟାର, ଏସଡିଆରଏଫ୍ ଆଦି ବିଭିନ୍ନ ଆପଦକାଳୀନ ପାଣ୍ଠିରୁ କରୋନା ବିପର୍ଯ୍ୟୟ ମୁକାବିଲା ଲାଗି ଆବଶ୍ୟକ ଅର୍ଥ ଯୋଗାଇ ଦିଆଯାଇପାରେ, କିନ୍ତୁ ରାଜସ୍ୱ ହାନିଜନିତ କ୍ଷତିକୁ କିଭଳି ଭରଣା କରାଯିବ ତାହା ଏକ ବିରାଟ ପ୍ରଶ୍ନ। ଏହି ସଙ୍କଟର ମୁକାବିଲା ଲାଗି ହୁଏତ ସରକାର ଆଗୁଆ ଅତିରିକ୍ତ ବଜେଟ୍ ଆଣିପାରନ୍ତି। କରୋନା ପ୍ରଭାବରେ ବିଶ୍ୱ ବାଣିଜ୍ୟ ଏତେ ଶୀଘ୍ର ସଜାଡ଼ି ହେବା ପରି ଦିଶୁନାହିଁ। ତେଣୁ ଅତିରିକ୍ତ ବଜେଟରେ ମଧ୍ୟ ବ୍ୟୟ ପାଇଁ ସମ୍ବଳ ସଂଗ୍ରହର ଉତ୍ସ ଖୋଜିବା କାଠିକର ପାଠ ହେବ। ଏଭଳି ପରିସ୍ଥିତିରେ ଖର୍ଚ୍ଚ କାଟ ହିଁ ଏକମାତ୍ର ବିକଳ୍ପ ବୋଲି କୁହାଯାଇପାରେ।
ଅର୍ଥନୀତିକୁ ଚଳଚଞ୍ଚଳ କରିବାକୁ ହେଲେ ଲୋକଙ୍କ ହାତକୁ ଅଧିକ ନଗଦ ରାଶି ଦେଇ ଚାହିଦା ବୃଦ୍ଧି କରିବାକୁ ହେବ। କେବଳ ଆର୍ଥିକ ପ୍ରୋତ୍ସାହନ ଏ ଦିଗରେ ଅଧିକ ଫଳପ୍ରଦ ହେବ ନାହିଁ। ତେଣୁ ଉତ୍ପାଦନଭିତ୍ତିକ ନିଯୁକ୍ତି ବୃଦ୍ଧି କରି ସରକାର ଏହି ସମସ୍ୟାର ସମାଧାନ କରିପାରିବେ। ଏଥିପାଇଁ ରହିଥିବା ସୁଯୋଗ ଓ ସମ୍ଭାବନା ଖୋଜିପାରିଲେ ସରକାର ଆର୍ଥିକ ସଙ୍କଟର ସଫଳ ମୁକାବିଲା କରିପାରିବେ।

kalyan agarbati

Comments are closed.