କରୋନା ଆତଙ୍କ, ଭାରତବାସୀଙ୍କ ଯୁଦ୍ଧ ଘୋଷଣା
ମାନବ ସମାଜ, ସାଧାରଣ ମଣିଷ ଓ ତା’ର ଜୀବନ କେତେ ଯେ ମୂଲ୍ୟବାନ, ତାକୁ ବର୍ତ୍ତମାନ ବିଶ୍ୱର ପ୍ରାୟ ସମସ୍ତ ରାଷ୍ଟ୍ରନାୟକ କରୋନା ଆତଙ୍କ ଯୋଗୁଁ ବୁଝିବାକୁ ଚେଷ୍ଟା କଲେଣି। କରୋନା ଗୋଟିଏ ପରେ ଗୋଟିଏ ଦେଶରେ ତା’ର କରାଳ କାୟା ବିସ୍ତାର କରିଚାଲିଛି। ଚାଲିଛି ମୃତ୍ୟୁର ତାଣ୍ଡବ। ସମଗ୍ର ବିଶ୍ୱ ଆଜି ଆତଙ୍କିତ। ସାଧାରଣ ମଣିଷ ମୁହଁର ହସକୁ କରୋନା ଛଡ଼ାଇ ନେଇଛି। ବିଭିନ୍ନରାଷ୍ଟ୍ର ପରସ୍ପରର ଶତ୍ରୁତା ଭୁଲି ତାଙ୍କ ଦେଶର ଓ ବିଶ୍ୱ ଜନସମାଜ ଏ ଆତଙ୍କ ବିରୁଦ୍ଧରେ କେମିତି ଲଢ଼େଇ କରିବେ ଓ ନିଜ ଦେଶକୁ ରକ୍ଷା କରିବେ ସେଇ ଚିନ୍ତାରେ ଅଛନ୍ତି। କେବଳ ରାଷ୍ଟ୍ରନାୟକମାନେ ନୁହନ୍ତି, ବିଭିନ୍ନ ଦେଶର ରାଜନୈତିକ ନେତା, ଶାସକ, ପ୍ରଶାସକ, ବୁଦ୍ଧିଜୀବୀ ଓ ସଚେତନ ଜନସାଧାରଣ ମଧ୍ୟ ଏ ବିପଦକୁ କିଭଳି ସାମ୍ନା କରିବେ, ସେ କଥା ଚିନ୍ତା କରୁଛନ୍ତି। ସ୍ରଷ୍ଟାଙ୍କର ଏଡ଼େ ସୁନ୍ଦର ପୃଥିବୀ, ସବୁଜିମାଭରା ପାହାଡ଼, ପର୍ବତ, ବନଜଙ୍ଗଲ, ନଦନଦୀ, ସୁନୀଳ ସାଗର, ମହାସାଗର, ନୀଳ ଆକାଶ, ସ୍ୱଚ୍ଛ ବାୟୁମଣ୍ଡଳ, ପଶୁପକ୍ଷୀର କଳରବ,ଏ ସବୁକୁ ଉପଭୋଗ କରୁଥିବା ମଣିଷ ସମାଜ କ’ଣ ଧ୍ୱସ୍ତ, ବିକଳାଙ୍ଗ ହୋଇଯିବ? ଚାରିଆଡ଼େ ଶୁଣାଯିବ ଦୁଃଖ, କଷ୍ଟ, ଯନ୍ତ୍ରଣାର ହାହାକାର ଧ୍ୱନି! ନା, ଏହା କେବେ ସମ୍ଭବ ନୁହେଁ। କାରଣ ସମଗ୍ର ମାନବ ସମାଜ ଓ ରାଷ୍ଟ୍ରନାୟକମାନେ ତାଙ୍କର ଗର୍ବ, ଅଂହକାର ଛାଡ଼ି ସମ୍ମିଳିତ ଭାବେ ଏ ଲଢ଼େଇରେ ସାମିଲ୍ ହୋଇଗଲେଣି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୨୦ ତାରିଖରେ ଦେଶବାସୀଙ୍କୁ ଉଦ୍ବୋଧନ ଦେବା ଅବସରରେ କରୋନା ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଦେଲେ।ପ୍ରଧାନମନ୍ତ୍ରୀଙ୍କ ଏ ଯୁଦ୍ଧ ହେଉଛି ଭିନ୍ନ ଢ଼ଙ୍ଗର। ଏଥିରେ ଅସ୍ତ୍ରଶସ୍ତ୍ରର ଆବଶ୍ୟକତା ନାହିଁ। ଏହା ହେଉଛି ମଣିଷର ବୁଦ୍ଧି, ବିବେକ, ସଚେତନତା, ସଂଯମ, ତ୍ୟାଗ ଓ ସଂକଳ୍ପର ଅସ୍ତ୍ରରେ ଯୁଦ୍ଧ। ପ୍ରଧାନମନ୍ତ୍ରୀ ୨୨ ତାରିଖ ରବିବାର ଦିନ ‘ଜନତା କର୍ଫ୍ୟୁ’ ପାଇଁ ଘୋଷଣା କଲେ। ସକାଳ ୭ ଟାରୁ ରାତି ୯ ପର୍ଯ୍ୟନ୍ତ କେହି ଘର ବାହାରକୁ ଆସିବେ ନାହିଁ ଓ ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସେ ନିବେଦନ କଲେ। ଏଥିରେ ଅଭୂତପୂର୍ବ ସଫଳତା ମିଳିଲା। ସମଗ୍ର ଦେଶର ଜନସାଧାରଣ ଏ ଲଢ଼େଇ ପାଇଁ ସତେ ଯେମିତି ସଂକଳ୍ପବଦ୍ଧ ହୋଇଛନ୍ତି, ସେଭଳି ପ୍ରତୀୟମାନ ହେଲା। ଜନସାଧାରଣ ଘର ଭିତରେ ତ ରହିଲେ; ଦୋକାନ ବଜାର, ଗାଡ଼ି ମୋଟର ସବୁ ବନ୍ଦ ହୋଇଗଲା। ରାସ୍ତାଘାଟ ସବୁ ଜନଶୂନ୍ୟ ହୋଇଗଲା। ୨୪ ତାରିଖରେ ପ୍ରଧାନମନ୍ତ୍ରୀ ପୁଣି ସେଦିନ ରାତି ୧୨ ଟାଠାରୁ ତିନି ସପ୍ତାହ ପାଇଁ ଦେଶରେ ଲକ୍ଡାଉନ୍ ଘୋଷଣା କଲେ ଓ ଏ ଲମ୍ବା ଲଢ଼େଇ ନିଜ ପାଇଁ, ନିଜର ପରିବାର ଓ ଦେଶ ପାଇଁ ଲଢ଼ିବାକୁ ହାତଯୋଡ଼ି ନିବେଦନ କଲେ। ତାଙ୍କର ଉଦ୍ବୋଧନରେ ସେ ଦେଶବାସୀଙ୍କୁ କହିଲେ ଯେ ଇଂଲଣ୍ଡ, ଆମେରିକା, ଇଟାଲି, ଫ୍ରାନ୍ସ ପ୍ରଭୃତି ଦେଶ, ଯେଉଁମାନେ ସ୍ୱାସ୍ଥ୍ୟସେବା ଓ ତା’ର ଭିତ୍ତିଭୂମି ଉପରେ ବହୁ ଉନ୍ନତ, ସେମାନେ ଆଜି କରୋନାର କରାଳ ଗର୍ଭରୁ ଦେଶକୁ ରକ୍ଷା କରିବା ପାଇଁ ପ୍ରାଣମୂର୍ଚ୍ଛା ଲଢ଼େଇ କରି ମଧ୍ୟ ସଫଳ ହୋଇପାରି ନାହାନ୍ତି। ସେ ସବୁ ଦେଶରେ କରୋନାର ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ଆତଙ୍କଜନକ ଭାବେ ବଢ଼ିଚାଲିଛି। ତେଣୁ ଏହାକୁ ଧ୍ୟାନରେ ରଖି ଆମେ ଭାରତବାସୀ ଏ ଲମ୍ବା ଲଢ଼େଇ ପାଇଁ ପ୍ରସ୍ତୁତ ହୋଇଯିବା। ସାମାଜିକ ଦୂରତା ରକ୍ଷା କରିବା, ନିହାତି ଜରୁରୀ ନଥିଲେ ଘରୁ କେହି ବାହାରିବା ନାହିଁ। କେବଳ ଖାଦ୍ୟ ପଦାର୍ଥ ଓ ଔଷଧ ଭଳି ଅତ୍ୟାବଶ୍ୟକ ପଦାର୍ଥ ପାଇଁ ଖୁବ୍ ସତର୍କତା ସହକାରେ ବାହାରକୁ ବାହାରିବା।
ପ୍ରଧାନମନ୍ତ୍ରୀ ତାଙ୍କ ଉଦ୍ବୋଧନରେ ଦେଶବାସୀଙ୍କୁ ସତର୍କ କରାଇ କହିଲେ ଯେ ମହାଭାରତ ମହାଯୁଦ୍ଧ ୧୮ ଦିନ ଧରି ଚାଲିଥିଲା। ଏ ମହାଯୁଦ୍ଧ ୨୧ ଦିନ ଧରି ଚାଲିବ ଓ ଆମେ ବିଜୟୀ ହେବା। ମହାଭାରତର ଧର୍ମଯୁଦ୍ଧରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ନେତୃତ୍ୱରେ ପାଣ୍ଡବମାନେ ଜିଣିଥିଲେ। ବର୍ତ୍ତମାନ ଏ ମହାଯୁଦ୍ଧର ନେତୃତ୍ୱ ନେବେ ଏ ଦେଶର ଶହେ ତିରିଶ କୋଟି ଜନତା ଓ ଆମ ଦେଶ ନିଶ୍ଚୟ ବିଜୟ ହାସଲ କରିବ। ପ୍ରଧାନମନ୍ତ୍ରୀ ମୋଦୀଙ୍କର ଦେଶବାସୀଙ୍କୁ ଆହ୍ୱାନ କେତେ ଯେ ଆବେଗଭରା ଥିଲା ଆପଣମାନେ ସେ ଦିନ ଉପଲବ୍ଧି କରିଥିବେ।
୨୧ ଦିନର ଏ ସମୟ ଯେ କେତେ ଭୟଙ୍କର ଓ ଜୀବନଯାପନ କରିବା ପାଇଁ ଯନ୍ତ୍ରଣାଦାୟକ ତାହା ସହଜେ କଳ୍ପନା କରିହେବ ନାହିଁ। ପ୍ରଧାନମନ୍ତ୍ରୀ ବାରମ୍ବାର ନିବେଦନ କରୁଥିଲେ ଯେ ଜନସାଧାରଣ ସାମାଜିକ ଦୂରତା ରକ୍ଷା କରନ୍ତୁ। ଘରୁ ବାହାରକୁ ଆସନ୍ତୁ ନାହିଁ। ପ୍ରଶ୍ନ ହେଲା ଏ ଭଳି ପରିସ୍ଥିତିରେ ସାଧାରଣ ମଣିଷଟିଏ ବଞ୍ଚିବ କିପରି? ତା’ ପରିଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଜରିଆରେ କେନ୍ଦ୍ର ସରକାର ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ଏକ ପ୍ୟାକେଜ୍ ଘୋଷଣା କଲେ।ଏହା ଫଳରେ ସମାଜର ସବୁ ସ୍ତରର ଲୋକଙ୍କ ପାଖରେ ଖାଦ୍ୟ ପଦାର୍ଥ କିମ୍ବା ସେଥିପାଇଁ ଆବଶ୍ୟକ ଅର୍ଥ ପହଞ୍ଚିବ ତା’ର ବ୍ୟବସ୍ଥା କରାଗଲା। କୃଷକ, ଡାକ୍ତର, ଶ୍ରମିକ ସମେତ ସବୁ ସ୍ତରର ଲୋକ କି ଭଳି କରୋନା ବିରୁଦ୍ଧରେ ସକ୍ରିୟ ଭାବରେ ଏ ଯୁଦ୍ଧରେ ସାମିଲ୍ ହେବେ ସେଥିପାଇଁ ବ୍ୟବସ୍ଥା କରାଗଲା। ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାସନ କାର୍ଡଧାରୀମାନଙ୍କୁ ୩ ମାସ ପାଇଁ ପ୍ରତି ମାସରେ ରାସନ ସହିତ ଜଣ ପିଛା ୫ କି.ଗ୍ରା ଅତିରିକ୍ତ ଚାଉଳ କିମ୍ବା ଗହମ, ପରିବାର ପିଛା ୧ କିଲୋ ଡାଲି ମାଗଣା ମିଳିବ। ଏହା ଦ୍ୱାରା ଦେଶର ୮୦ କୋଟି ଲୋକ ଉପକୃତ ହେବେ। ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ହିତାଧିକାରୀମାନଙ୍କୁ ଏପ୍ରିଲ୍ ପ୍ରଥମ ସପ୍ତାହରେ ଅତିରିକ୍ତ ୨ ହଜାର ଟଙ୍କା ଯୋଗାଇ ଦିଆଯିବ। ମନରେଗା ଯୋଜନାରେ ମଜୁରି ୧୮୨ ଟଙ୍କାରୁ ୨୦୨ ଟଙ୍କାକୁ ବଢ଼ା ଯାଇଛି। ସେହିପରି ଗରିବ, ବିଧବା, ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ୧୦୦୦ ଟଙ୍କାର ଅତିରିକ୍ତ ଭତ୍ତା ଘୋଷଣା ହେଲା। ମହିଳା ଧନଜନ ଯୋଜନାରେ ଆଗାମୀ ୩ମାସ ପାଇଁ ପ୍ରତି ମାସରେ ୫୦୦ ଟଙ୍କା ସେମାନଙ୍କ ଆକାଉଣ୍ଟରେ ଜମା କରାଯିବ। ଏହିଭଳି ସବୁସ୍ତରର ଲୋକ କିଭଳି ଉପକୃତ ହେବେ ଓ କରୋନା ବିରୁଦ୍ଧରେ ଲଢ଼େଇ କରିବାର ସାହସ ପାଇବେ ତା’ର ବ୍ୟବସ୍ଥା କରାଯାଇଛି। ଏହା ସହିତ ଆହୁରି ଏକ ବଡ଼ ଘୋଷଣା କରାଯାଇଛି ଯେ କରୋନା ବିରୋଧରେ ଦିନରାତି ଲଢ଼ି ସେବା ଯୋଗାଇ ଦେଉଥିବା ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ୫୦ ଲକ୍ଷ ଟଙ୍କା ବୀମାର ସୁବିଧା ଦିଆଯିବ।
ବଡ଼ ଆନନ୍ଦର କଥା ଯେ ରାଜ୍ୟ ସରକାରମାନେ ନିଜ ନିଜ ସ୍ତରରେ ଏ ଦୁର୍ଦିନରେ ଜନସାଧାରଣଙ୍କ ପାଇଁ ବିଭିନ୍ନ ପ୍ୟାକେଜ ଘୋଷଣା କରି କାର୍ଯ୍ୟକ୍ରମମାନ ଗ୍ରହଣ କଲେ ଓ ଲକ୍ଡାଉନ୍କୁ କଡ଼ାକଡ଼ି ଭାବେ ପାଳନ କଲେ।
ଆମେ ସମସ୍ତେ ଜାଣିଛେ, କରୋନା ଆକ୍ରମଣରୁ ରକ୍ଷା ପାଇବା ପାଇଁ ସେଭଳି କୌଣସି ଔଷଧ ଭାରତ କିମ୍ବା ପୃଥିବୀର କୌଣସି ଦେଶ ଉଦ୍ଭାବନ କରିପାରି ନାହିଁ। ତେଣୁ କରୋନା ଆମ ଦେଶରେ, ଆମ ପରିବାର ଭିତରେ କି ଭଳି ଅବାଧରେ ପ୍ରବେଶ କରି ନପାରିବ ସେଥିପାଇଁ ଆମେ ସବୁ ପ୍ରକାର ଚେଷ୍ଟା କରିବା। ସେଥିରେ ପ୍ରଥମେ ହେଲା ମଣିଷ ମଣିଷ ଭିତରେ ସାମାଜିକ ଦୂରତା ରକ୍ଷା। ପରସ୍ପର ପାଖରୁ ଦୂରେଇ ରହିବା ଓ କୌଣସି ନିର୍ଦିଷ୍ଟ ସ୍ଥାନରେ ଏକାଠି ହେବା ନାହିଁ। ବାହାଘର, ବ୍ରତଘର କିମ୍ବା ଅନ୍ୟ କୌଣସି ସାମାଜିକ କାର୍ଯ୍ୟକ୍ରମରେ ଏକାଠି ନହୋଇ ସେଥିରୁ ଦୂରେଇ ରହିବାର ଆବଶ୍ୟକତା ଅଛି। ଆମେ ପରିଷ୍କାର ପରିଚ୍ଛନ୍ନ ରହିବା ଓ ଆକ୍ରାନ୍ତ ବ୍ୟକ୍ତିକୁ ଏକାକୀ ରଖି, ତା’ର ଚିକିତ୍ସା କରିବାର ବ୍ୟବସ୍ଥା କରିବା। ସବୁଠାରୁ ବଡ଼କାମ ହେଲା ସମସ୍ତେ ନିଜ ଘର ବାହାରକୁ ନ ଯିବାକୁ ଚେଷ୍ଟା କରିବା। ସମଗ୍ର ଦେଶରେ ଲକ୍ଡାଉନ୍ ଘୋଷଣା ହୋଇଛି ଓ ସାଧାରଣ ଯାତାୟାତ ଉପରେ କଟକଣା ଲଗାଯାଇଛି।
ରାଜ୍ୟ ବାହାରକୁ ଯାଇଥିବା ବ୍ୟକ୍ତିମାନେ ଓ ବିଶେଷଭାବରେ ଶ୍ରମିକମାନେ ନିଜ ଘରକୁ ଫେରିବା ପାଇଁ ଆକୁଳ ନିବେଦନ କରୁଛନ୍ତି, କିନ୍ତୁ ଉପାୟ ନାହିଁ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ରାଜ୍ୟମାନଙ୍କୁ ନିର୍ଦେଶ ଦିଆଯାଇଛି, ଯେ ଯେଉଁଠି ଅଛନ୍ତି ସେହିଠାରେ ରହିବେ ଓ ତାଙ୍କର ରହିବା ଓ ଖାଇବାପିଇବା ବ୍ୟବସ୍ଥା ସେଠାକାର ରାଜ୍ୟ ସରକାର କରିବେ। ଅନେକ ରାଜ୍ୟରେ ଏ ଲୋକମାନଙ୍କ ପାଇଁ ଏଭଳି ବ୍ୟବସ୍ଥା ହୋଇଥିଲେ ମଧ୍ୟ ସେମାନେ ନିଜର ଜନ୍ମମାଟି ଓ ପରିବାର ପାଖକୁ ଫେରିବାକୁ ବ୍ୟଗ୍ର। ଦେଶର ସବୁ ସ୍ତରର ଲୋକ ବୁଝିବା ଦରକାର ଯେ ଦେଶପାଇଁ ଓ ଜନସାଧାରଣଙ୍କ ପାଇଁ ଏକ ବିରାଟ ସଂକଟ ଆସିଛି। କରୋନାର ପ୍ରତିରୋଧ ନକଲେ ନିଜେ ନିଜ ପରିବାର ଓ ଦେଶର ଯେ ସର୍ବନାଶ ହୋଇଯିବ, ସେ କଥା ଚିନ୍ତାକରି ଆମେ ସମସ୍ତ କଷ୍ଟ ସହ୍ୟ କରିବା ଓ ସଂଯମ ଆଚରଣ କରିବା।
କରୋନାର ଭୟାବହତା ଓ ଦେଶ ପରେ ଦେଶକୁ ଏହା ଯେଭଳି ଦ୍ରୁତ ଗତିରେ ସଂକ୍ରମିତ କରିଚାଲିଛି, ତା’ର ସମ୍ୟକ ଧାରଣା ଦେବା ହୁଏତ ଏଠାରେ ପ୍ରାସଙ୍ଗିକ ହେବ। ବର୍ତ୍ତମାନ ବିଶ୍ୱର ୧୯୯ଟି ରାଷ୍ଟ୍ର କରୋନା ଦ୍ୱାରା ସଂକ୍ରମିତ ହୋଇଛି। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଓ ସମୃଦ୍ଧ ଦେଶ ଆମେରିକାର ପରିସ୍ଥିତି ସବୁଠାରୁ ଉଦ୍ବେଗଜନକ। କରୋନା ଅତି ତୀବ୍ରଗତିରେ ଆମେରିକା ଓ ଇଉରୋପୀୟ ରାଷ୍ଟ୍ରମାନଙ୍କରେ କାୟାବିସ୍ତାର କରିଚାଲିଛି। ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭,୯୭,୪୯୦ହେଲା ବେଳେ ମୃତ୍ୟୁବରଣ କରିଛନ୍ତି ୩୮,୫୪୦।ଇଟାଲିରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ୧୧,୫୯୧ ହେଲାବେଳେ, ଆମେରିକାରେ ୩୧୭୨, ଚାଇନା ୩୩୦୫,ସ୍ପେନ୍ ୮୧୮୯, ଜର୍ମାନୀ୬୫୩, ଫ୍ରାନ୍ସ ୩୦୧୮, ଇରାନ ୨୮୯୮, ବ୍ରିଟେନ୍ ୧୪୦୮। ପ୍ରତ୍ୟେକ ଦିନ ଏ ଦେଶମାନଙ୍କରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ଆତଙ୍କଜନକ ଭାବେ ବଢ଼ିଚାଲିଛି। ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୧୪୧୭ ହୋଇଥିଲା ବେଳେ ୩୫ଜଣ ମୃତ୍ୟୁବରଣ କଲେଣି। ପାକିସ୍ତାନର ମଧ୍ୟ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୧୮୬୫ ଓ ମୃତ୍ୟୁବରଣ କଲେଣି ୨୫ ଜଣ।
ପ୍ରତ୍ୟେକ ଦିନ ବିଶ୍ୱର ବିଭିନ୍ନ ଦେଶରେ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ଆତଙ୍କଜନକ ଭାବେ ବଢ଼ିଚାଲିଛି। ଏହାକୁ ସଫଳଭାବେ ପ୍ରତିହତ କରିବାକୁ ଓ ଏ ଯୁଦ୍ଧରେ ବିଜୟୀ ହୋଇ ନିଜକୁ, ନିଜ ପରିବାରକୁ ଓ ଦେଶକୁ ରକ୍ଷା କରିବା ଆମ ଭାରତବାସୀଙ୍କ ଆଗରେ ଏକ ବିରାଟ ଆହ୍ୱାନ। ଏଥିପାଇଁ ଆମେ ସଂକଳ୍ପବଦ୍ଧ ହେବା। ବିଜୟ ଆମର ସୁନିଶ୍ଚିତ।
ବିଶ୍ବଭୂଷଣ ହରିଚନ୍ଦନ
ରାଜ୍ୟପାଳ, ଆନ୍ଧ୍ରପ୍ରଦେଶ
Comments are closed.