Patra electronics

ପ୍ରଥମ ପର୍ଯ୍ୟାୟରେ ୧୦ ଆଦର୍ଶ ବିଦ୍ୟାଳୟ ସାମିଲ

0

ଭୁବନେଶ୍ୱର : ଆଗାମୀ ଦିନରେ ‘ରୋବଟିକ୍ସ’ (ରୋବଟ ସମ୍ବନ୍ଧୀୟ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା) ମାନବ ଜୀବନ ଧାରା ପାଇଁ ଅପରିହାର୍ଯ୍ୟ ହେବ। ଏହାର ଉପାଦେୟତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଉଚ୍ଚମାଧ୍ୟମ ବିଦ୍ୟାଳୟସ୍ତରରେ ପାଠ୍ୟକ୍ରମରେ ଏହାକୁ ସାମିଲ କରିବାପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ଛାତ୍ରଛାତ୍ରୀମାନେ ରୋବଟ ସମ୍ବନ୍ଧରେ ଖାଲି ଯେ ଜ୍ଞାନ ଆହରଣ କରିବେ ତାହା ନୁହେଁ ଏହାର ସହାୟତାରେ ନିଜର ଜ୍ଞାନର ଅଭିବୃଦ୍ଧି କରିପାରିବେ। ବିଜ୍ଞାନର ଜଟିଳ ରହସ୍ୟ ବୁଝିବା ସହିତ ଭବିଷ୍ୟତରେ ନୂତନ ଆବିଷ୍କାର ଲାଗି ନିଜକୁ ପ୍ରସ୍ତୁତ କରିପାରିବେ। ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ୧୦ଟି ଆଦର୍ଶ ବିଦ୍ୟାଳୟରେ ୧୦ଟି ‘ରୋବଟିକ୍ସ ଲ୍ୟାବ୍‍’ଖୋଲା ଯାଇ ଏହି ପାଠ୍ୟକ୍ରମ ଆରମ୍ଭ କରାଯିବ ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି। ଶ୍ରୀ ମହାପାତ୍ରଙ୍କ ସୂଚନା ଅନୁଯାୟୀ ବେଙ୍ଗାଲୁରୁସ୍ଥିତ ଏକ ସଂସ୍ଥା ପକ୍ଷରୁ ଏହି ପାଠ୍ୟକ୍ରମ ଆରମ୍ଭ ହେବ। ଯଦି ଏହା ସଫଳ ହେଲା ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ବିଦ୍ୟାଳୟକୁ ସାମିଲ କରାଯିବ। ପୂର୍ବରୁ ସିବିଏସ୍‍ଇ ବୋର୍ଡ ଦ୍ୱାରା ଏହି ରୋବର୍ଟିକ୍ସ ପାଠ୍ୟକ୍ରମକୁ ସାମିଲ କରାଯାଇଥିବାବେଳେ ଓଡ଼ିଶାରେ ଏହି ନୂତନ ପାଠ୍ୟକ୍ରମ ପ୍ରଚଳନ କରି ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ଓ ବୈଷୟିକ ଜ୍ଞାନର ଅଭିବୃଦ୍ଧିରେ ସହାୟତା କରିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
ସେହିପରି + ୨ ଏବଂ ମାଟ୍ରିକ ପରୀକ୍ଷାକୁ ଅଧିକ ଶୃଙ୍ଖଳିତ ଓ ସ୍ୱଚ୍ଛ କରିବା ପାଇଁ ପରୀକ୍ଷାକେନ୍ଦ୍ରରେ ଆସନ୍ତା ଶିକ୍ଷା ବର୍ଷରୁ ସିସି କ୍ୟାମେରା ଲଗାଇବାକୁ ବିଭାଗ ନିଷ୍ପତ୍ତି ନେଇଥିବା ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

Leave A Reply