ପିପିଲି : ପିପିଲି ଅଞ୍ଚଳରେ ବ୍ରାଉନସୁଗାର କାରବାର ବୃଦ୍ଧି ପାଉଥିବା ନେଇ ଅଭିଯୋଗ ହୋଇ ଆସୁଥିବା ବେଳେ ରବିବାର କ୍ରାଇମବ୍ରାଞ୍ଚ ପୁଲିସର ଏସ୍ଟିଏଫ୍ ଓ ପିପିଲି ପୁଲିସ ମିଳିତ ଭାବେ ସ୍ଥାନୀୟ ଜୟପୁରଶାସନ ଗ୍ରାମରେ ଚଢାଉ କରି ଜଣେ ଯୁବକକୁ ଗିରଫ କରିବା ସହ ତା’ ନିକଟରୁ ୧୪ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ଜଣାପଡ଼ିଛି। ଗିରଫ ଯୁବକ ହେଲେ ଜୟପୁରଶାସନ ଗ୍ରାମର ତୁଷାର କୁମାର ମହାନ୍ତି (୨୭)। ଜବତ ବ୍ରାଉନସୁଗାରର ମୂଲ୍ୟ ଦେଢ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।
ସୂଚନା ଅନୁଯାୟୀ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସ୍ଟିଏଫ୍ ଓ ପିପିଲି ପୁଲିସ ଉକ୍ତ ଗ୍ରାମରେ ଚଢାଉ କରି ତୁଷାରକୁ ଗିରଫ କରିଥିବା ବେଳେ ତାର ଅନ୍ୟ ସହଯୋଗୀଙ୍କୁ ଖୋଜୁଥିବା ସୂଚନା ମିଳିଛି। ଏନେଇ ପିପିଲି ପୁଲିସରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଗିରଫ ତୁଷାରକୁ ସଂନ୍ଧ୍ୟାରେ ପୁରୀ କୋର୍ଟକୁ ଚାଲାଣ କରାଯାଇଥିବା ସମ୍ପର୍କରେ ଆଇଆଇସି ଶରତ କୁମାର ସାହୁ ସୂଚନା ଦେଇଛନ୍ତି।


