www.samajalive.in
Wednesday, December 10, 2025
15.1 C
Bhubaneswar

ବିଏସ୍‌ଏନ୍‌ଏଲ୍‌ରେ ଚାକିରି ଛାଡ଼ିଲେ ଅଧାରୁ ଅଧିକ କର୍ମଚାରୀ : ଖାଁ ଖାଁ ଲାଗୁଛି ମୁଖ୍ୟ କାର୍ଯ୍ୟାଳୟ

ଭୁବନେଶ୍ବର : ଆର୍ଥିକ ମାନ୍ଦାବସ୍ଥା ହେଉ ଅବା ଅସୁରକ୍ଷିତ ଭବିଷ୍ୟତ, ବିଏସ୍‌ଏନ୍‌ଏଲ୍‌ର ଶହ ଶହ କର୍ମଚାରୀ ଏବେ ସ୍ବେଚ୍ଛାକୃତ ଅବସର (ଭିଆରଏସ୍‌) ପାଇଁ ଆବେଦନ କରୁଛନ୍ତି। ଚତୁର୍ଥଶ୍ରେଣୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ପାହ୍ୟାର ଅଧିକାରୀ ଧାର୍ଯ୍ୟ ସମୟ ପୂର୍ବରୁ ଚାକିରିରୁ ବିଦାୟ ନେବା ପାଇଁ ଚାହୁଁଛନ୍ତି। ଏବେ ସୁଦ୍ଧା ଓଡ଼ିଶା ସର୍କଲରେ ୨୭୦୦ ସ୍ଥାୟୀ କର୍ମଚାରୀଙ୍କ ମଧ୍ୟରୁ ୧୪୦୦ ଜଣ ଗତମାସରେ ଭିଆରଏସ୍‌ ନେଇ ସାରିଲେଣି। କିଛି ବର୍ଷ ତଳେ ଭୁବନେଶ୍ବରରେ ନୂଆକରି ନିର୍ମାଣ ହୋଇଥିବା ୫ ମହଲା ବିଶିଷ୍ଟ ବିଏସ୍‌ଏନ୍‌ଏଲ୍ ମୁଖ୍ୟାଳୟ ଏକଦା ଭରପୂର ଥିବାବେଳେ ଏବେ ଅଧିକାଂଶ ହଲ୍ ଭୂତକୋଠି ଭଳି ଲାଗୁଛି।
ହସ୍ତଗତ ସୂଚନା ଅନୁସାରେ ବିଏସ୍‌ଏନ୍‌ଏଲ୍‌ର ଓଡ଼ିଶା ସର୍କଲରେ ପ୍ରାୟ ୨୭୦୦ କର୍ମଚାରୀ ଥିବା ବେଳେ ଭିଆରଏସ୍‌ ପରେ ଅର୍ଦ୍ଧାଧିକ କର୍ମଚାରୀ ପଦ ଖାଲି ହୋଇଗଲାଣି। ଜାନୁଆରୀ ୩୧ ତାରିଖରେ ଅଧିକାରୀ ଓ କର୍ମଚାରୀଙ୍କୁ ମିଶାଇ ୧୪୦୦ ଜଣ ଅବସର ନେଇଛନ୍ତି। ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ଠାରୁ ନେଇ ଜେନେରାଲ ମ୍ୟାନେଜର, ମୁଖ୍ୟ ଆକାଉଣ୍ଟସ୍ ଅଧିକାରୀ, ସବ୍‌ ଡିଭିଜନ୍ ଇଞ୍ଜିନିୟର, ଜୁନିଅର ଟେଲିକମ୍ ଇଞ୍ଜିନିୟର୍ ପାହ୍ୟାର ଅଧିକାରୀ ଚାକିରି ଛାଡ଼ିଛନ୍ତି। ଏପରିକି ଓଡ଼ିଶାରେ ଥିବା ଏକମାତ୍ର ପ୍ରମୁଖ ସଚିବ ମଧ୍ୟ ସ୍ବେଚ୍ଛାକୃତ ଅବସର ନେବା ପରେ ସେହି ପଦବୀ ଖାଲିପଡ଼ିଛି। ବର୍ତ୍ତମାନ କାର୍ଯ୍ୟରେ ଥିବା ୧୩୦୦ କର୍ମଚାରୀଙ୍କ ମଧ୍ୟରୁ ୭୬୫ ଜଣ ଅଧିକାରୀ ପାହ୍ୟା ଓ ୫୩୫ ଜଣ କର୍ମଚାରୀ ପାହ୍ୟାରେ ଅଛନ୍ତି। ଭୁବନେଶ୍ବର ମୁଖ୍ୟ କାର୍ଯ୍ୟାଳୟରେ ତିନି ଶହ କର୍ମଚାରୀ ଥିବା ବେଳେ ଅର୍ଦ୍ଧାଧିକ କର୍ମଚାରୀ ଓ ଅଧିକାରୀ ଭିଆରଏସ୍ ନେଇଛନ୍ତି। ଯଦି ସର୍ବଭାରତୀୟ ସ୍ଥିତି ଦେଖା ଯାଏ ତା ହେଲେ ଦେଢ଼ ଲକ୍ଷ କର୍ମଚାରୀଙ୍କ ଭିତରୁ ୮୦ ହଜାର ଭିଆରଏସ୍ ନେଇ ସାରିଲେଣି। ବ୍ୟବସାୟ ଦୃଷ୍ଟିରୁ ଦୁର୍ଦିନ ମଧ୍ୟରେ ଗତି କରୁଥିବା ବିଏସ୍‌ଏନ୍‌ଏଲ୍‌ର ଓଡ଼ିଶା ସର୍କଲ କର୍ମଚାରୀଙ୍କୁ ଗତ ତିନିମାସ ହେଲା ଦରମା ମିଳିନଥିଲା। ଅପରପକ୍ଷେ ଅସ୍ଥାୟୀ କର୍ମଚାରୀଙ୍କୁ ମଧ୍ୟ ୬ ମାସ ହେଲା ଦରମା ମିଳିନଥିବାରୁ ସେମାନେ ମୁଖ୍ୟ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି। ବକେୟା ଦରମାର ଅଧା ଆସନ୍ତା ମାସ ସୁଦ୍ଧା ପ୍ରଦାନ କରାଯିବ ବୋଲି କର୍ତ୍ତୃପକ୍ଷ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ଅଧାରୁ ଅଧିକ କର୍ମଚାରୀ ଭିଆରଏସ୍‌ ନେବା ପରେ ମାନବସମ୍ବଳର ଘୋର ଅଭାବ ଦେଖା ଦେଇଛି। ଏହା ଦ୍ବାରା ଦୁର୍ଦଶା ମଧ୍ୟରେ ଗତି କରୁଥିବା ବିଏସ୍‌ଏନ୍‌ଏଲ୍ ସେବା ପାଇବା ଆହୁରି କଷ୍ଟକର ହେବ। ବିଶେଷକରି ଟେଲିଫୋନ୍ ଓ ବ୍ରଡ୍ ବ୍ୟାଣ୍ଡ ସଂଯୋଗ ଦେବା, କ୍ଷେତ୍ର ଉପରେ ମରାମତି କାମ ଗୁରୁତର ପ୍ରଭାବିତ ହେବା ଆଶଙ୍କା ରହିଛି। ଯଦିଓ ଠିକା କର୍ମଚାରୀ ଅଛନ୍ତି ତେବେ ଖର୍ଚ୍ଚ କାଟ କରିବା ଯୋଜନାରେ ଥିବା ବିଏସ୍‌ଏନ୍‌ଏଲ୍‌ ଏଣିକି ସେମାନଙ୍କୁ ଦରମା ବଦଳରେ ଦିନ ପିଛା କାମ ହିସାବରେ ମଜୁରି ଦେବ ବୋଲି ଯୋଜନା କରିଛି। ଭୁବନେଶ୍ବର ମୁଖ୍ୟ କାର୍ଯ୍ୟାଳୟରୁ ଭିଆରଏସ୍‌ ନେଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଏତେ ସଂଖ୍ୟକ କର୍ମଚାରୀ ଭିଆରଏସ୍ ନେଇଥିବାରୁ ଲୋକଙ୍କୁ ସେବା ଯୋଗାଇବା କଷ୍ଟକର ହେବ। କିନ୍ତୁ ଯଦି ସରକାର ୪-ଜି ସେବା ଆରମ୍ଭ କରନ୍ତି ତେବେ ସ୍ଥିତି ସୁଧୁରି ପାରିବ। କାରଣ ଓଡ଼ିଶାରେ ବିଏସ୍‌ଏନ୍‌ଏଲ୍‌ ପାଖରେ ସବୁ ସୁବିଧା ରହିଛି। ୪-ଜି ସେବା ପାଇଁ ବିଶେଷକରି କରିବାକୁ ପଡ଼ିବ ନାହିଁ। ଓଡ଼ିଶାରେ ଅନ୍ୟ କମ୍ପାନୀର ଗ୍ରାହକ କମୁଥିବା ବେଳେ ବିଏସ୍‌ଏନ୍‌ଏଲ୍‌ ପ୍ରତି ଲୋକଙ୍କ ଆସ୍ଥା ରହିଛି। ଏଥିସହ କେନ୍ଦ୍ର ସରକାର ପୂର୍ବ ଘୋଷଣା ଅନୁସାରେ ତୁରନ୍ତ ୮୫୦୦ କୋଟି ଆର୍ଥିକ ସହାୟତା ପ୍ରଦାନ କରିବା ଜରୁରୀ। ଏପରି ହେଲେ ବିଏସ୍‌ଏନ୍‌ଏଲ୍‌ ପୁଣିଥରେ ଜନାଦୃତି ହାସଲ କରିପାରିବ ବୋଲି ସେ ମତ ଦେଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories