ମାର୍ଚ୍ଚ ୨୬ରେ ୫୫ ରାଜ୍ୟସଭା ଆସନରେ ଭୋଟ
ନୂଆଦିଲ୍ଲୀ : ରାଜ୍ୟସଭାର ୫୫ଟି ଆସନ ନିମନ୍ତେ ଆସନ୍ତା ମାର୍ଚ୍ଚ ୨୬ରେ ଭୋଟ ଗ୍ରହଣ ହେବ। ଭୋଟ ଗ୍ରହଣ ଦିନ ଫଳ ପ୍ରକାଶ ପାଇବ। ମଙ୍ଗଳବାର ନିର୍ବାଚନ ସମ୍ପର୍କରେ ତାରିଖ ଘୋଷଣା କରି ନିର୍ବାଚନ ଆୟୋଗ କହିଛନ୍ତି ଯେ ୧୭ଟି ରାଜ୍ୟର ୫୫ ରାଜ୍ୟସଭା ସଦସ୍ୟ ଅବସର ଗ୍ରହଣ କରୁଥିବାରୁ ଏହି ନିର୍ବାଚନ ଅନୁଷ୍ଠିତ ହେବ। କାର୍ଯ୍ୟସୂଚୀ ଅନୁଯାୟୀ ନିର୍ବାଚନ ନିମନ୍ତେ ମାର୍ଚ୍ଚ ୬ରେ ବିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚ ୧୩ ମନୋନୟନ ପତ୍ର ଦାଖଲର ଶେଷ ତାରିଖ। ୧୬ ତାରିଖ ମନୋନୟନ ପତ୍ର ଯାଞ୍ଜ ଓ ୧୮ ତାରିଖ ମନୋନୟନ ପତ୍ର ପ୍ରତ୍ୟାହାର। ମାର୍ଚ୍ଚ ୨୬ ପୂର୍ବାହ୍ଣ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ। ଅପରାହ୍ଣ ୫ଟାରେ ଫଳାଫଳ ଘୋଷଣା କରାଯିବ। ଏହି ୫୫ ଆସନ ମଧ୍ୟରୁ ବିଜେପିର ୧୬ ସଦସ୍ୟ ଥିବାବେଳେ କଂଗ୍ରେସର ୧୨, ତୃଣମୂଳ କଂଗ୍ରେସ ୪, ଏଆଇଏଡିଏମ୍୍କେ ୪, ବିଜେଡି ୩, ଜେଡିୟୁ ୩ ଓ ଏନସିପି ୨ର ଦୁଇଜଣ ଲେଖାଏଁ ସଦସ୍ୟ ଅଛନ୍ତି। ଅନ୍ୟାନ୍ୟ ଦଳର ଜଣେ ଲେଖାଏଁ ସଦସ୍ୟ ଅଛନ୍ତି। ୧୭ଟି ରାଜ୍ୟ ମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୭ଟି ଆସନରେ ଭୋଟ ହେଉଥିବା ବେଳେ ତାମିଲନାଡୁର ୬ଟି, ପଶ୍ଚିମବଙ୍ଗର ୫, ବିହାର ୫, ଗୁଜରାଟ ୪, ଓଡିଶା ୪, ଆନ୍ଧ୍ରପ୍ରଦେଶ ୪, ଆସାମ, ମଧ୍ୟପ୍ରଦେଶ ଓ ରାଜସ୍ଥାନର ୩ଟି ଲେଖାଏଁ ଆସନରେ ଭୋଟ ହେବ।
Comments are closed.