ଦଶବର୍ଷ ଧରି ବଢ଼ିନି ଏହି ସର୍ବାଧିକ ଧନୀ ଶିଳ୍ପପତିଙ୍କ ଦରମା

0

ମୁମ୍ବଇ: ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ମୁକେଶ ଅମ୍ବାନୀଙ୍କ ଦରମା ବିଗତ ୧୦ ବର୍ଷ ଧରି ବଢ଼ିନି। ଦରମା, ଭତ୍ତା, କମିଶନ୍‍ ଓ ଅନ୍ୟାନ୍ୟ ଆର୍ଥିକ ସୁବିଧାକୁ ମିଶାଇ ମୁକେଶ ବାର୍ଷିକ ୧୫ କୋଟି ଟଙ୍କା ନେଉଛନ୍ତି। ଉଲ୍ଲେଖନୀୟ ହେଲା ଇତିମଧ୍ୟରେ କମ୍ପାନୀର ଅନ୍ୟ ନିର୍ଦେଶକ ଓ ଅଧିକାରୀଙ୍କ ଦରମା ବଢ଼ିଥିଲେ ମଧ୍ୟ ୨୦୦୮-୦୯ ଆର୍ଥିକ ବର୍ଷରେ ମୁକେଶ ଯେତିକି ଦରମା ନେଉଥିଲେ ତାହା ଅପରିବର୍ତ୍ତିତ ରହିଛି। ଦରମାର ବିଲ୍‍ରେ ଉଲ୍ଲେଖ ତଥ୍ୟ ଅନୁଯାୟୀ ମୁକେଶ ଧୀରୁଭାଇ ଅମ୍ବାନୀ ୨୦୧୭-୧୮ ଆର୍ଥିକ ବର୍ଷରେ ଦରମା ଓ ଭତ୍ତା ଆକାରରେ ୪.୪୯ କୋଟି ଟଙ୍କା ନେଇଥିଲେ। ପୂର୍ବ ଆର୍ଥିକ ବର୍ଷଠାରୁ ଏହା ୩୩ ଲକ୍ଷ ଟଙ୍କା ଅଧିକ। ପୂର୍ବବର୍ଷ ତୁଳନାରେ କମିଶନ୍‍ ପରିମାଣ ୯.୫୩ କୋଟି ଟଙ୍କାରେ ଅପରିବର୍ତ୍ତିତ ଥିବା ବେଳେ ଅନ୍ୟାନ୍ୟ ଆର୍ଥିକ ସହାୟତା ୨୦୧୬-୧୭ ଆର୍ଥିକ ବର୍ଷର ୬୦ ଲକ୍ଷ ଟଙ୍କା ତୁଳନାରେ ୨୦୧୭-୧୮ରେ ୨୭ ଲକ୍ଷ ଟଙ୍କାକୁ ଖସି ଆସିଛି। ଅବସରକାକାଳୀନ ସହାୟତା ବାବଦରେ ମୁକେଶ ୨୦୧୭-୧୮ ଆର୍ଥିକ ବର୍ଷରେ ପାଇଛନ୍ତି ୭୧ ଲକ୍ଷ ଟଙ୍କା।
ଏହି ସମୟରେ ମୁକେଶଙ୍କ ସମ୍ପର୍କୀୟ ତଥା କମ୍ପାନୀର ଅନ୍ୟତମ ନିର୍ଦେଶକ ନିଖିଲ୍‍ ମେସ୍‍ୱାନୀ ଓ ହିତ୍ତଲ୍‍ ମେସ୍‍ୱାନୀଙ୍କ ବାର୍ଷିକ ଦରମା ପୂର୍ବବର୍ଷର ୧୬.୫୮ କୋଟି ଟଙ୍କାରୁ ୨୦୧୭-୧୮ ଆର୍ଥିକ ବର୍ଷରେ ୧୯.୯୯ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ମୁକେଶ ଅମ୍ବାନୀଙ୍କ ପତ୍ନୀ ତଥା ଅଣ ନିର୍ବାହୀ ନିର୍ଦେଶକ ନିତା ଅମ୍ବାନୀଙ୍କ ଦରମା ମାତ୍ର ୨ ଲକ୍ଷ ବୃଦ୍ଧି ପାଇ ବାର୍ଷିକ ୧.୫ କୋଟି ଟଙ୍କାରେ ପହଞ୍ଚିଛି। ସିଟିଂ ଫି’ ବାବଦରେ ନିତା ୬ ଲକ୍ଷ ଟଙ୍କା ନେଉଛନ୍ତି।

Leave A Reply