ବେଜିଂ: ଚୀନରେ ‘କରୋନା’ ଭୂତାଣୁ ଗୋଟିକ ପରେ ଗୋଟିଏ ଜୀବନ ନେଇଚାଲିଛି। ଏହାକୁ ନେଇ ଦେଶରେ ଆତଙ୍କର ବାତାବରଣ ଲାଗି ରହିଛି। କିନ୍ତୁ ଏହି ‘କରୋନା’ ଜଣେ ମହିଳାଙ୍କ ଜୀବନ ବଞ୍ଚାଇ ଦେଇଛି। କରୋନା ଯୋଗୁ ମହିଳା ଜଣଙ୍କ ବଳାତ୍କାରୀଠାରୁ ନିଜକୁ ରକ୍ଷା କରିପାରିଛନ୍ତି। ଘଟଣାଟି ସେହି ଚୀନରେ ଘଟିଛି।
ଚୀନର ଜିଙ୍ଗଶାନ୍ ଅଞ୍ଚଳରେ ଏହି ଘଟଣା ଘଟିଛି। ମହିଳା ଜଣକ ତାଙ୍କ ଘରେ ଶୋଇଥିଲେ। ଜଣେ ଦୁର୍ବୃତ୍ତ ତାଙ୍କ ଘରେ ପଶିଥିଲେ। କିଛି ଶବ୍ଦ ଶୁଣି ମହିଳା ଜଣକ ଉଠିଯାଇଥିଲେ। ତେବେ ଦୁର୍ବୃତ୍ତ ଜଣକ ମହିଳାଙ୍କ ବେଡ୍ରୁମରେ ପଶି ତାଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। ମହିଳା ଜଣକ ଦୁର୍ବୃତ୍ତ କବଳରୁ ବର୍ତ୍ତିବା ଲାଗି ଯେତେ ଚେଷ୍ଟା କଲେ ବି ସଫଳ ହୋଇପାରିଲେ ନାହିଁ। ବଳାତ୍କାରର ଶିକାର ହେବା ନିଶ୍ଚିତ ବୋଲି ଜାଣିବା ପରେ ମହିଳା ଜଣକ ଉପାୟଶୂନ୍ୟ ହୋଇପଡ଼ିଥିଲେ। କିନ୍ତୁ ହଠାତ୍ ତାଙ୍କ ମୁଣ୍ଡକୁ ଉପସ୍ଥିତ ବୁଦ୍ଧି ଜୁଟିଥିଲା ଏବଂ ସେ କାଶିବା ଆରମ୍ଭ କରିଦେଇଥିଲେ। ଏହା ପରେ ସେ ନିକଟରେ ଉହାନରୁ ଆସିଥିବା ଏବଂ କରୋନାରେ ଆକ୍ରାନ୍ତ ହୋଇଥିବା କହିଥିଲେ। ତେଣୁ ସେ ଘରେ ଏକୁଟିଆ ଅଲଗା ରହୁଥିବା କହିଥିଲେ। ଫଳରେ ଦୁର୍ବୃତ୍ତ ଭୟଭୀତ ହୋଇ ମହିଳାଙ୍କୁ ଛାଡ଼ି ସେଠାରୁ ଦୌଡ଼ି ପଳାଇଥିଲେ। ଏହା ପରେ ମହିଳା ଜଣକ ପୁଲିସକୁ ଫୋନ କରିଥିଲେ। ପୁଲିସ ପହଞ୍ଚି ତଦନ୍ତ କରି ଅଭିଯୁକ୍ତକୁ ଧରିଥିଲା।



