www.samajalive.in
Monday, December 15, 2025
16.1 C
Bhubaneswar

ପୁରୁଣାସାଥୀଙ୍କୁ ଆପଣାଇବ ବିଜେପି

ପାଣାଜୀ : ନିକଟ ଅତୀତରେ ଏକାଧିକ ନିର୍ବାଚନ ପରାଭବ ଭୋଗିଥିବା ବିଜେପି ଭବିଷ୍ୟତ ପାଇଁ ବଡ଼ ଯୋଜନା କରୁଛି। କଂଗ୍ରେସ ଭଳି ବିଜେପି ୨୦୧୯ ସାଧାରଣ ନିର୍ବାଚନ ପାଇଁ ଜାତୀୟସ୍ତରରେ ବଡ଼ଧରଣର ମେଣ୍ଟ ଗଠନ ପାଇଁ ଉଦ୍ୟମ ଚଳାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ସମୟରେ ଯେମିତି ମେଣ୍ଟ ଥିଲା ସେମିତି ମେଣ୍ଟ ଗଠନ ନିମିତ୍ତ ଏବେ ପ୍ରୟାସ ଆରମ୍ଭ କରିଛି। ଏହାର ଅର୍ଥ ଏନ୍‍ଡିଏର ପୁରୁଣା ସହଯୋଗୀଙ୍କୁ ଫେରାଇ ଆଣି ଗୋଟିଏ ଛତା ତଳେ ଏକାଠି ରଖିବାକୁ ବିଜେପି ଉଦ୍ୟମ କରୁଛି। ଏ ନେଇ ନକ୍ସା ପ୍ରସ୍ତୁତ ହୋଇ ସାରିଥିବା ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ ନକ୍‍ଭି। ଆବଶ୍ୟକପଡ଼ିଲେ ୨୦୧୯ ପାଇଁ ନୂଆ ଦଳଙ୍କୁ ମେଣ୍ଟରେ ସାମିଲ କରାଯିବ ବୋଲି ନକ୍‍ଭି କହିଛନ୍ତି। ବିଜେପି ସମ୍ପୂର୍ଣ୍ଣ ଭାବେ ସଙ୍ଘୀୟ ବ୍ୟବସ୍ଥା ପ୍ରତି ଯତ୍ନଶୀଳ ରହିଛି। ଦଳର ନେତା କାହା ପ୍ରତି କୌଣସି ‘ନୋ ଏଣ୍ଟ୍ରି’ ଚିହ୍ନ ଲଗାଇ ନାହାନ୍ତି; ପୁରୁଣା ବନ୍ଧୁଙ୍କ ପାଇଁ ଏନ୍‍ଡିଏ ଦ୍ୱାର ଉନ୍ମୁକ୍ତ ରହିଛି ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।
ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ ଅନ୍ୟ କେତେକ ପ୍ରଦେଶରେ ଅନୁଷ୍ଠିତ ଉପନିର୍ବାଚନଗୁଡ଼ିକରେ ବିଜେପିର ପରାଜୟ ନେଇ ପ୍ରଶ୍ନ କରାଯିବାରେ ନକ୍‍ଭି କହିଛନ୍ତି ଯେ ଉପନିର୍ବାଚନ ପରାଜୟ ବିଜେପି ପାଇଁ ବଡ଼ କଥା ନୁହେଁ। ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ଉକ୍ତିକୁ ଉଦ୍ଧାର କରି ସେ କହିଛନ୍ତି ଯେ ‘ବଡ଼ ଲମ୍ଫ ପୂର୍ବରୁ ଦୁଇ ପାଦ ପଛକୁ ଘୁଞ୍ଚିବା ସ୍ୱାଭାବିକ। ଏହାର କୌଣସି ପ୍ରଭାବ ସାଧାରଣ ନିର୍ବାଚନ ଉପରେ ପଡ଼ିବ ନାହିଁ। ତେବେ ବିଜେପି କୌଣସି ‘ଅନୈତିକ ମେଣ୍ଟ’ କରିବା ସପକ୍ଷରେ ଆଦୌ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଯୁଦ୍ଧକ୍ଷେତ୍ରରେ ବିପକ୍ଷର ଯୋଜନା ଓ କୌଶଳକୁ ବୁଝିଗଲେ ଜିତିବା ସହଜ ହୋଇଯାଏ। ଉପନିର୍ବାଚନରୁ ବିଜେପି ଏହି ଶିକ୍ଷାଲାଭ କରିଛି। ବିପକ୍ଷ ଦଳଙ୍କ କୌଶଳକୁ ବିଜେପି ଠିକ୍‍ ବୁଝିଛି; କିନ୍ତୁ ମେଣ୍ଟ ପାଇଁ କୌଣସି ଅନୈତିକ ଓ ସ୍ୱେଚ୍ଛାଚାରୀ ମେଣ୍ଟ ଗଠନ ସପକ୍ଷରେ ନାହିଁ ବୋଲି ସେ କହିଛନ୍ତି।
୧୯୯୮ରେ ବିଜେପି ନେତୃତ୍ୱରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ଗଠନ ହୋଇଥିଲା। ୧୯୯୮ରେ ଏହା ପ୍ରଥମ କରି କ୍ଷମତାକୁ ଆସିଥିଲା। ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ୨୦୦୪ ପର୍ଯ୍ୟନ୍ତ ଏହି ମେଣ୍ଟ କେନ୍ଦ୍ରରେ ଶାସନ କରିଥିଲା। ପରବର୍ତ୍ତୀ ସମୟରେ ୨୦୧୪ରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏହି ମେଣ୍ଟ କ୍ଷମତା ଦଖଲ କରିଥିଲା। ଏନଡିଏ ଗଠନ ସମୟରେ ଏଥିରେ ସାମିଲ ଥିବା ଅନେକ ଦଳ ଏବେ ମେଣ୍ଟ ଛାଡି ଚାଲିଗଲେଣି। ପୂର୍ବରୁ ଏହି ମେଣ୍ଟରେ ଡିଏମ୍‍କେ, ବିଜୁ ଜନତା ଦଳ, ତୃଣମୂଳ କଂଗ୍ରେସ, ତେଲୁଗୁ ଦେଶମ ପାର୍ଟି, ଇଣ୍ଡିଆନ ନ୍ୟାସନାଲ ଲୋକ ଦଳ, ଏମଡିଏମ୍‍କେ, ଏଆଇଏଡିଏମ୍‍କେ ଭଳି ଦଳ ରହିଥିଲେ। ଏବେ ଏହିସବୁ ଦଳ ମେଣ୍ଟ ଛାଡି ଚାଲିଗଲେଣି। ୨୦୧୮ରେ ଟିଡିପି ଶେଷ ଦଳ ଭାବେ ମେଣ୍ଟ ଛାଡିଛି। ଏହା ପୂର୍ବରୁ ୨୦୦୭ରେ ତୃଣମୂଳ କଂଗ୍ରେସ, ୨୦୦୯ରେ ବିଜୁ ଜନତା ଦଳ, ୨୦୦୨ରେ ଡିଏମ୍‍କେ, ୨୦୦୪ରେ ଏଡିଏମ୍‍କେ, ୨୦୦୯ରେ ଇଣ୍ଡିଆନ ନ୍ୟାସନାଲ ଲୋକ ଦଳ ଭଳି ଅନେକ ଦଳ ଏନଡିଏ ମେଣ୍ଟ ଛାଡିଛନ୍ତି। ୨୦୧୩ରେ ସଂଯୁକ୍ତ ଜନତା ଜଳ (ଜେଡିୟୁ) ଏନଡିଏ ଛାଡିଥିବାବେଳେ ଏହା ଏବେ ମେଣ୍ଟକୁ ଫେରିଆସିଛି।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories