ବାପୁଜୀଙ୍କ ଚିରନ୍ତନ ପଦଚିହ୍ନ
ମହାତ୍ମା ଗାନ୍ଧୀଙ୍କ ଜୀବନାଦର୍ଶ ପ୍ରତି ଯେଉଁମାନେ ଅନୁରକ୍ତ ସେମାନେ ୧୯୪୮ ମସିହା ଜାନୁଆରୀ ୩୦ ତାରିଖଟିକୁ କେବେହେଲେ ବିସ୍ମରି ଯାଇ ପାରିେବ ନାହିଁ। ଏହା ପୂର୍ବରୁ ମଧ୍ୟ ଗାନ୍ଧିଜୀଙ୍କ ପ୍ରତି ଆକ୍ରମଣର ଯେଉଁ ଯୋଜନା ହୋଇଥିଲା ତାହାର ଆଭାସ ପାଇସାରିଥିଲେ ସେ। ସେ ଏକଥା ଜାଣି ସାରିଥିଲେ ଯେ ତାଙ୍କୁ ଏକ ଅସାଧାରଣ ମୃତ୍ୟୁ ଅପେକ୍ଷା କରି ରହିଛି। ଅହିଂସା ଓ ପ୍ରେମର ଅନୁଭବରେ ଯାହାଙ୍କ ପ୍ରତିଟି ରକ୍ତକଣିକା ପରିଶୁଦ୍ଧ ଓ ପବିତ୍ର ହୋଇସାରିଥିଲା ସେଇ ମଣିଷଟିର ଅନ୍ତରରେ ନଥିଲା ମୃତ୍ୟୁର ଭୟ ବା ଆଶଙ୍କା। ତାଙ୍କର ଅନ୍ତରାତ୍ମା ପ୍ରସ୍ତୁତ ହୋଇ ରହିିଥିଲା ଯେ କୌଣସି ପ୍ରକାର ଆକ୍ରମଣକୁ ପ୍ରେମର ସହିତ ଗ୍ରହଣ କରିବା ନିମିତ୍ତ। ଅହିଂସାର ଅସାମାନ୍ୟ ଶକ୍ତି ବଳରେ ସେ ଯେପରି ସୁଦୃଢ଼ ଭାବରେ ଦଣ୍ଡାୟମାନ ହୋଇସାରିଥିଲେ ତାହା ସମଗ୍ର ଭାରତବାସୀଙ୍କୁ ଓ ପୃଥିବୀବାସୀଙ୍କୁ ସ୍ତମ୍ଭିତ କରି ସାରିଥିଲା। କାହାରି ପ୍ରତି ସାମାନ୍ୟ ବି ଘୃଣା ପ୍ରକାଶ କରିନଥିବା ଏହି ଚଳନ୍ତି ଠାକୁର ନିଜେ କେବଳ ଅହିଂସାର ଶକ୍ତି ଉପରେ ଦୃଢ଼ ବିଶ୍ବାସ ପ୍ରକଟ କରିନଥିଲେ, ଅନ୍ୟମାନଙ୍କ ମଧ୍ୟରେ ବି ସେହି ଶକ୍ତିକୁ ଜାଗ୍ରତ କରିବାରେ ଗ୍ରହଣ କରିିଥିଲେ ଅନନ୍ୟ ଭୂମିକା। ତାଙ୍କ ଦୁଇ ଆଖିର ଅନୁରାଗଭରା ଦୃଷ୍ଟିପାତରେ ଅହିଂସାର ଫୁଲ କେମିତି ପ୍ରସ୍ଫୁଟିତ ହୋଇଯାଉଥିଲା ତାହା ତାଙ୍କ ପାର୍ଶ୍ବବର୍ତ୍ତୀ ଓ ତାଙ୍କ ଚେତନାର ନିକଟବର୍ତ୍ତୀ ପ୍ରତ୍ୟେକ ମଣିଷ ଅନୁଭବ କରିପାରୁଥିଲେ ନିବିଡ଼ ଭାବରେ। ହାତର ସ୍ପର୍ଶରେ ତାଙ୍କର ଥିଲା ମା’ର ମମତା। ପ୍ରତିଟି ଶବ୍ଦ ଉଚ୍ଚାରଣରେ ଶ୍ରୁତ ହେଉଥିଲା ଏପରି ହୃଦୟସ୍ପର୍ଶୀ ସଙ୍ଗୀତ ଯାହା ସାରା ପୃଥିବୀବାସୀଙ୍କୁ ଶାଶ୍ବତ ପ୍ରେମରେ ଆଲିଙ୍ଗନବଦ୍ଧ କରିବାର ଆନ୍ତରିକତାରେ ଥିଲା ପରିପୂର୍ଣ୍ଣ। ମିତ୍ରକୁ କିଏ ବା ଭଲ ନପାଏ, କିନ୍ତୁ ଶତ୍ରୁକୁ ମଧ୍ୟ ଆଦରରେ କୋଳାଗ୍ରତ କରିବାର ଯେଉଁ ମମତା ଗାନ୍ଧିଜୀଙ୍କ ହୃଦୟ କକ୍ଷକୁ ସଂଗୀତମୟ କରି ରଖିଥିଲା ତାହାହିଁ ଥିଲା ବାସ୍ତବିକ ପ୍ରେରଣାଗର୍ଭିତ।
ଗାନ୍ଧିଜୀ ଯେଉଁ ଆଦର୍ଶର ପଥ ଅନୁସରଣ କରିଥିଲେ ଓ ଅନ୍ୟମାନଙ୍କୁ ସେଇ ପଥର ଯାତ୍ରୀ ହେବା ପାଇଁ ଆହ୍ବାନ କରିଥିଲେ ତାହା କାହାକୁ ଅଜଣା ନୁହେଁ। ତାଙ୍କୁ ଏ ନିଷ୍ଠୁର ସତ୍ୟ କିନ୍ତୁ ବେଦନାବିଦ୍ଧ କରୁଥିଲା ଅହରହ ଯେ – ତାଙ୍କର ଦୃଷ୍ଟି ସମକ୍ଷରେ ସେ ଦେଖିଥିଲେ ହିଂସାର ପ୍ରଚଣ୍ଡ ତାଣ୍ଡବ ଲୀଳା। ତଥାପି ଅବିଚଳିତ ଭାବରେ ସେ ଆବୃତ୍ତି କରୁଥିଲେ ଅହିଂସାର ଅନ୍ତର୍ଭେଦୀ ମନ୍ତ୍ରକୁ। ହିଂସା ଭିତରେ ଥାଇ ଅହିଂସାର ସଂଗୀତ ଗାନ କରିବା, ଅବିଶ୍ବାସର ବୃତ୍ତ ମଧ୍ୟରେ ରହି ବିଶ୍ବାସର ଶବ୍ଦ ଉଚ୍ଚାରଣ କରିବା,ଘୃଣାର ବଳୟରେ ବନ୍ଦୀ ହୋଇ ପ୍ରେମର ପୁଷ୍ପ ପ୍ରସ୍ଫୁଟିତ କରିବା ପାଇଁ ସେ ଯେଉଁ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିଥିେଲ ତାହା ତାଙ୍କ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଥିଲା ହିମାଳୟ ପରି ଅଟଳ ହୋଇ। ଗାନ୍ଧିଜୀଙ୍କୁ ଯେଉଁମାନେ ସେ ସମୟରେ ଦେଖୁଥିଲେ ସେମାନଙ୍କ ଆଖିରେ ଗାନ୍ଧିଜୀ କେେତବେଳେ ଦିଶୁଥିଲେ ଯିଶୁଖ୍ରୀଷ୍ଟଙ୍କ ପରି ତ ଆଉ କେତେବେଳେ ଦିଶୁଥିଲେ କରୁଣାର ଅବତାର ବୁଦ୍ଧଙ୍କ ସଦୃଶ। କ୍ରୂଶବିଦ୍ଧ ହେଉଥିବାବେଳେ ମଧ୍ୟ ଭଲପାଇବାର ମହାନ ସଂଗୀତ ଯାହାଙ୍କ ପ୍ରତିଟି ରକ୍ତ କଣିକାରେ ଝଙ୍କୃତ ହେଉଥିଲା ସେ ପ୍ରକଟିତ ହେଉଥିଲେ ଗାନ୍ଧୀ ରୂପ ଧରି। ସକଳ ସୃଷ୍ଟି ଅଚେତନତାର ଅନ୍ଧକାରରେ ଆବୃତ୍ତ ଥିଲାବେଳେ ଚେତନାର ଆଲୋକ ପ୍ରଜ୍ବଳିତ କରିଥିବା ବୁଦ୍ଧଦେବଙ୍କ କରୁଣା ବିଗଳିତ ଆତ୍ମାର ସ୍ପନ୍ଦନ ଭାରତ ଭୂମିରେ ଦଣ୍ଡାୟମାନ ହୋଇଥିଲେ ‘ଗାନ୍ଧୀ’ ଭୂମିକାରେ। ୧୯୪୮ ମସିହା ଜାନୁଆରୀ ୩୦ ତାରିଖ ଦିନ ଗୁଳିବିଦ୍ଧ ହେବା ପୂର୍ବରୁ ସହସ୍ରସହସ୍ର ହିଂସାର ଶରାଘାତରେ ସେ ରକ୍ତ ଜର୍ଜରିତ ହୋଇ ସାରିଥିଲେ। କେବଳ ବାକି ରହିଯାଇଥିଲା ତାଙ୍କର ପାର୍ଥିବ ଶରୀରଟି ଯାହା ଆତାତାୟୀର ନୃଶଂସ ଆଚରଣରେ ବିଦୀର୍ଣ୍ଣ ହୋଇଯିବା ପାଇଁ ପ୍ରସ୍ତୁତ ହୋଇସାରିଥିଲା।
‘ବିରଳା ଭବନ’ରେ ପ୍ରାର୍ଥନାର ମୁହୂର୍ତ୍ତ ହୋଇ ଆସୁଥିଲା ନିକଟବର୍ତ୍ତୀ। ଗାନ୍ଧିଜୀ ସେଥିପାଇଁ ଚଞ୍ଚଳ ପ୍ରାର୍ଥନା ସଭାକୁ ପହଞ୍ଚିବା ଲାଗି ବ୍ୟଗ୍ର ହୋଇ ଉଠୁଥାନ୍ତି। ଠିକ୍ ଏହି ସମୟରେ ତାଙ୍କର ପ୍ରେମପୂର୍ଣ୍ଣ ହୃଦୟକୁ ବିଦ୍ଧ କରିଥିଲା ହିଂସାର ବନ୍ଧୁକରୁ ନିଃସୃତ ଘୃଣାର ଗୁଳି। ‘ହେ ରାମ୍ ହେ ରାମ୍’ ମନ୍ତ୍ର କ୍ଷୀଣ କଣ୍ଠରେ ଉଚ୍ଚାରଣ କରି ମରଣକୁ ବରଣ କରିଥିଲେ ଭାରତର ଆତ୍ମାର ବିଭୂତି, ଜାତିର ଜନକ ବାପୁଜୀ।
ଯେଉଁ ସ୍ଥାନରୁ ଗାନ୍ଧିଜୀ ପାଦ ପରେ ପାଦ ଭୂମି ଉପରେ ପକାଇ ପ୍ରାର୍ଥନା ସଭାକୁ ଅଗ୍ରସର ହେଉଥିଲେ ସେଇସବୁ ‘ପାଦଚିହ୍ନ’କୁ ଚିରନ୍ତନ ଶକ୍ତିର ଯାତ୍ରା ଭାବରେ ସଂରକ୍ଷିତ ରଖିବା ପାଇଁ ପ୍ରଚେଷ୍ଟା କରାଯାଇଛି। ଗାନ୍ଧିଜୀଙ୍କ ‘ପାଦଚିହ୍ନ’ରୁ ଆଜି ବି ସେଥିରୁ ସଂଚରି ଆସେ ଅହିଂସାର ଅମାପ ତେଜ। ଯେଉଁ ସ୍ଥାନରେ ଗାନ୍ଧିଜୀ ‘ହେ ରାମ୍’ ଉଚ୍ଚାରଣ କରି ଟଳି ପଡ଼ିଥିଲେ, ସେଇ ସ୍ଥାନରେ ନିର୍ମିତ ହୋଇଛି ଏକ ପବିତ୍ର ସ୍ମୃତିସ୍ତମ୍ଭ ଓ ସେହି ସ୍ତମ୍ଭର ଅଗ୍ର ଭାଗରେ ଲିପିବଦ୍ଧ ହୋଇ ରହିଛି ‘ହେ ରାମ’। ଗାନ୍ଧିଜୀଙ୍କ ଚିରନ୍ତନ ପଦଚିହ୍ନ ଦେଖିଦେଖି ହାତରେ ସ୍ପର୍ଶ କରିକରି, ପ୍ରତିଟି ପଦଚିହ୍ନ ଉପରେ ମଥା ସ୍ଥାପନ କରିକରି କେହି ଯଦି ପହଞ୍ଚେ ସେଇ ସ୍ମୃତିସ୍ତମ୍ଭ ନିକଟକୁ, ତା’ହେଲେ ଏବେବି ସେ ଶୁଣି ପାରିବ ଗାନ୍ଧିଜୀଙ୍କ ଅନ୍ତରାତ୍ମାର ଅମର ସ୍ପନ୍ଦନକୁ। ଗାନ୍ଧିଜୀଙ୍କ ‘ଚିରନ୍ତନ ପଦଚିହ୍ନ’ ସମଗ୍ର ଭାରତ ଓ ପୃଥିବୀ ପାଇଁ ଆଜି ବି ଅବିଚଳିତ ଭାବରେ ପ୍ରଦାନ କରୁଛି ଶାନ୍ତି, ସଂହତି, ଅହିଂସା ଓ ପ୍ରେମର ମହନୀୟ ବାର୍ତ୍ତା। ତାହାକୁ ହୃଦୟରେ ଧାରଣ କରି ପାରିଲେ ଓ ଗାନ୍ଧିଜୀଙ୍କ ପରି ଅଟଳ ବିଶ୍ବାସ ନେଇ ବାଟ ଚାଲିପାରିଲେ ଯେ କୌଣସି ମଣିଷ ହୋଇଯାଇପାରେ ବର୍ତ୍ତମାନ ମଧ୍ୟ ଅହଂିସାର ବାର୍ତ୍ତାବହ।
ମଣିନ୍ଦ୍ର କୁମାର ମେହେର
ସ୍ନାତକୋତ୍ତର ଓଡ଼ିଆ ବିଭାଗ,
ଉତ୍କଳ ବିଶ୍ବବିଦ୍ୟାଳୟ, ବାଣୀବିହାର,
Comments are closed.