ଯନ୍ତ୍ରଣା ଆଗରେ ବିଜୟ: ଚେହେରା ହଜିଛି, ଚେତନା ନୁହେଁ
ତରଳ ନିଆଁରେ ତରଳିଗଲା ମୁହଁର କୋମଳ ଚର୍ମ। ପ୍ରଭାବିତ ହେଲା ଦୃଷ୍ଟିଶକ୍ତି। ଆଇନାକୁ ଚାହିଁବାର ସାହସ ହଜିଗଲା। ନିମିଷକରେ ବଦଳିଗଲା ଜୀବନ। ନିଜ ପ୍ରତି ଏକ ଅସହ୍ୟ ଭାବ ଚାଲିଆସିଲା। ମନ, ମସ୍ତିଷ୍କ, ଶରୀରର ଯନ୍ତ୍ରଣା- ଓଃ! ବ୍ୟତିବ୍ୟସ୍ତ କରିପକାଉଥିଲା। ଜୀବନ ନା ମରଣ- କାହାକୁ ଗ୍ରହଣ କରିବା ଉଚିତ ବୋଲି ଦୋଛକିରେ ଖୁବ୍ ଛଟପଟ ଲାଗୁଥିଲା। ଚାରିଆଡ ଅନ୍ଧାର ଲାଗୁଥିବା ବେଳେ ଆତ୍ମାରୁ ସୃଷ୍ଟି ହେଲା, ଏକ ଉଳ, ଅଦମନୀୟ ଆଲୋକର ରେଖା। ସେହି ରେଖା ବାଟ କଢ଼ାଇଲା, ବଦଳାଇଦେଲା ବ୍ୟକ୍ତିତ୍ବର ପରିଭାଷା। ଯନ୍ତ୍ରଣା ଆଗରେ ଭେଟହେଲା ଜୀବନର ବିଜୟୀ ସ୍ବରୂପ।
କେତେଜଣ ବିକୃତ ମସ୍ତିଷ୍କଙ୍କ ଏସିଡ ମାଡରେ ଏମାନଙ୍କ ସୌନ୍ଦର୍ଯ୍ୟ ନଷ୍ଟ ହୋଇଯାଇଛି, କିନ୍ତୁ ନିଜକୁ ପ୍ରତିଷ୍ଠିତ କରାଇବାରେ ଆଦୌ ପଛଘୁଞ୍ଚା ଦେଇନାହାନ୍ତି ଏମାନେ। ଦୁର୍ବୃତ୍ତ ଭାବିଥିଲେ, ରୂପକୁ କୁରୂପ କରି ଏମାନଙ୍କ ଜୀବନକୁ ଅନ୍ଧାରରେ ଭରିଦେବେ, ଏହି ଯୁବତୀମାନେ କିନ୍ତୁ ସମାଜରେ ପରିବର୍ତ୍ତନର ସ୍ରୋତ ଆଣିଛନ୍ତି, ପ୍ରେରଣାର ଆଲୋକବର୍ତ୍ତିକା ପାଲଟିଛନ୍ତି।
ଲକ୍ଷ୍ମୀ ଅଗ୍ରୱାଲ:
ମୁକ୍ତିଲାଭ କରିଥିବା ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର ‘ଛପାକ୍’ର ପ୍ରକୃତ ନାୟିକା ଲକ୍ଷ୍ମୀ। ଦିଲ୍ଲୀର ଝିଅ ଲକ୍ଷ୍ମୀ ଘରର ଦୁର୍ବଳ ଆର୍ଥିକ ସ୍ଥିତିକୁ ସୁଧାରିବା ଲାଗି ଖାନ୍ ମାର୍କେଟରେ ଥିବା ଏକ ବହି ଦୋକାନରେ କାମ କରୁଥିଲେ। ୨୦୦୫ରେ ତାଙ୍କୁ ମାତ୍ର ୧୫ବର୍ଷ ବୟସ ହୋଇଥିଲା। ଜଣେ ୩୨ବର୍ଷର ବ୍ୟକ୍ତି ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଲା। ୧୫ବର୍ଷର ଝିଅଟି ବା ପ୍ରେମ, ବିବାହ ପରି ଶବ୍ଦର ଗୁରୁତ୍ବ କିପରି ଅନୁଭବ କରିଥାନ୍ତା! ସେ ତେଣୁ ସିଧାସଳଖ ମନା କରିଦେଲେ। ଉକ୍ତ ବ୍ୟକ୍ତି ବାରମ୍ବାର ତାଙ୍କ ବାଟ ଓଗାଳିଲା। ବିଭିନ୍ନ ଉପାୟରେ ରାଜି କରାଇବାର ଚେଷ୍ଟା କଲା। ହେଲେ, ବିଫଳ ହେବାରୁ ଏକ ଚରମ ନିଷ୍ପତ୍ତି ନେଇଥିଲା। ସବୁଦିନ ପରି ସେଦିନ ବି ସ୍କୁଲ ବସ୍କୁ ଅପେକ୍ଷା କରି ସେ ଛିଡା ହୋଇଥିବା ବେଳେ ସେହି ବ୍ୟକ୍ତି ନିଜ ଭାଇର ପ୍ରେମିକା ସହିତ ମିଶି ଲକ୍ଷ୍ମୀଙ୍କ ଉପରେ ଏସିଡ୍ ପକାଇ ପଳାଇଗଲା। ଏହି ଘଟଣାରେ ଲକ୍ଷ୍ମୀଙ୍କ ମୁହଁ ପୂରା ପୋଡିଯାଇଥିଲା। ସେ କହିବା ଅନୁସାରେ, ତାଙ୍କୁ ଲାଗୁଥିଲା, ତାଙ୍କ ମୁହଁ ଏକ ପ୍ଲାଷ୍ଟିକ ପରି ତରଳି ଯାଉଛି। ମୁଣ୍ଡ ଉପରେ ଏକାଧିକ ପଥର ରଖିଦିଆଯାଇଛି। ତୁରନ୍ତ ଲକ୍ଷ୍ମୀଙ୍କୁ ରାମମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଗଲା। ସେଠାରେ ସେ ନିଜ ପିତାଙ୍କୁ ଦେଖି ଜାବୁଡି ଧରିବା ମାତ୍ରେ ତାଙ୍କ ସାର୍ଟର ବି କେତେକ ସ୍ଥାନ ପୋଡି କଣା ହୋଇଗଲା। ଏକାଧିକ ଅସ୍ତ୍ରୋପଚାର ବାଦ୍ ଅଢେଇମାସ ପରେ ସେ ଘରକୁ ଫେରିଲେ। ପରିବାର ଲୋକେ ଘରେ ଥିବା ସମସ୍ତ ଆଇନା ହଟାଇ ଦେଇଥିଲେ। କାରଣ, ଲକ୍ଷ୍ମୀଙ୍କ ଚେହେରା ଖୁବ୍ ଭୟଙ୍କର ହୋଇଯାଇଥିଲା। ତଥାପି ଦିନେ ସାହସ କରି ଲକ୍ଷ୍ମୀ ନିଜକୁ ଆଇନାରେ ଦେଖିଲେ। ଚିତ୍କାର କରିଉଠିଲେ ସେ। ନିଜ ପ୍ରତି ତାଙ୍କର ଏତେ ଘୃଣା ଆସିଗଲା ଯେ ସେ ଆତ୍ମହତ୍ୟା କରିବା ଲାଗି ନିଷ୍ପତ୍ତି ନେଇଗଲେ। ତେବେ ପିତାଙ୍କ ଆଶ୍ବାସନା ଏବଂ ସାହସ ତାଙ୍କୁ ଏକ ନୂଆ ଜୀବନ ଦିଗରେ ଆଗେଇନେଲା। ଏସିଡ୍ ଆକ୍ରମଣ ଘଟଣାକୁ ପ୍ରତିରୋଧ କରିବାରେ ସବୁଠାରୁ ବଳିଷ୍ଠ ସ୍ବର ପାଲଟିଗଲେ ସେ। କୋର୍ଟରେ ଏ ସଂକ୍ରାନ୍ତରେ ଜନହିତକର ମାମଲା ରୁଜୁ କରିଥିଲେ। ଟେଡ୍ଟକ୍ରେ ନିଜ ଦୃଷ୍ଟିକୋଣ ଉପସ୍ଥାପନ କଲେ। ଏବେ ଲକ୍ଷ୍ମୀ ଜଣେ ପରିଚିତ ନାମ। ୨୦୧୪ରେ ଆମେରିକାର ତତ୍କାଳୀନ ପ୍ରଥମ ମହିଳା ମିଶେଲ ଓବାମା ତାଙ୍କୁ ‘ଇଣ୍ଟରନ୍ୟାସନାଲ ଓମ୍ୟାନ୍ ଅଫ୍ କରେଜ୍’ ସମ୍ମାନରେ ସମ୍ମାନିତ କରିଥିଲେ। ବିଭିନ୍ନ ସଂସ୍ଥା ସହ ଭାରତ ସରକାର ଏବଂ ୟୁନିସେଫ୍ ପକ୍ଷରୁ ମଧ୍ୟ ସେ ସମ୍ମାନିତ ହୋଇଛନ୍ତି। ସେ ଆଗ୍ରାରେ ‘ଶିରୋଜ୍’ ନାମରେ ଏକ କାଫେ ପ୍ରତିଷ୍ଠା କଲେ ଯାହା ଏବେ ତିନୋଟି ରାଜ୍ୟରେ ଚାଲିଛି। ଏଠାରେ ଏସିଡ୍ ଆକ୍ରମଣର ଶିକାର ଯୁବତୀମାନେ ହିଁ କାର୍ଯ୍ୟ କରୁଛନ୍ତି। ୨୦୧୪ରେ ଷ୍ଟପ୍ ଏସିଡ୍ ଆଟାକ୍ ଅଭିଯାନର ପ୍ରତିଷ୍ଠାତା ଆଲୋକ ଦୀକ୍ଷିତ ନାମକ ଜଣେ ସମଧର୍ମୀ ଯୁବକଙ୍କ ସହ ତାଙ୍କର ବନ୍ଧୁତା ବଢିଲା। ସେମାନେ ବିବାହ ନକରି ଏକାଠି ରହିବାର ନିଷ୍ପତ୍ତି ନେଇଥିଲେ। ଦୁହିଁଙ୍କର ଏକ ଝିଅଟିଏ ହୋଇଛି ଯାହାର ନାଁ ଦେଇଛନ୍ତି ପିହୁ। ତେବେ ତିନିବର୍ଷ ପରେ ସେମାନେ ଅଲଗା ହୋଇଯିବାକୁ ନିଷ୍ପତ୍ତି ନେଲେ। ଏହାର କାରଣ ଅର୍ଥାଭାବ ବୋଲି ଜଣାଇଛନ୍ତି ଦୁହେଁ। ଲକ୍ଷ୍ମୀ ମଧ୍ୟ ଚାକିରି ଅନ୍ବେଷଣରେ ରହିଛନ୍ତି। ଝିଅର ଦାୟିତ୍ବ ବି ତାଙ୍କ ଉପରେ। ଏବେ ‘ଛପାକ’ ପରେ ତାଙ୍କ ଜୀବନରେ କିଛି ପରିବର୍ତ୍ତନ ଆସିପାରେ ବୋଲି ସେ ଆଶା କରିଛନ୍ତି।
ରେଶ୍ମା କୁରେଶି:
୨୦୧୪ ମେ ମାସ। ଏକ ପରୀକ୍ଷା ଦେବା ଲାଗି ଆହ୍ଲାବାଦରେ ଥିଲେ ୧୭ବର୍ଷୀୟା ରେଶ୍ମା। ନିଜ ଭିଣୋଇ ସମେତ ଚାରିଜଣ ଲୋକ ତାଙ୍କ ଉପରେ ଏସିଡ୍ ଫିଙ୍ଗିଥିଲେ। ନିଜକୁ ଏବଂ ନିଜ ଭଉଣୀଙ୍କୁ ଏସିଡ୍ ମାଡରୁ ରକ୍ଷା କରିବା ଲାଗି ସେମାନଙ୍କ ହାତରୁ ଏସିଡ ବୋତଲ ଛଡାଇବାକୁ ଚେଷ୍ଟା କରିଥିଲେ ରେଶ୍ମା। ହେଲେ, ସେମାନେ ତାଙ୍କ ଉପରେ ହିଁ ଏସିଡ ପକାଇଦେଲେ। ଏହା ରେଶ୍ମାଙ୍କ ମୁହଁକୁ ଅତି କଦର୍ଯ୍ୟ ଭାବେ ପୋଡିଦେଇଥିଲା। ତାଙ୍କର ଗୋଟିଏ ଆଖି ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା। ତେବେ ନିଜକୁ ସମ୍ଭାଳିନେଲେ ରେଶ୍ମା। ଆନ୍ତରିକ ସୌନ୍ଦର୍ଯ୍ୟକୁ ନେଇ ଜୀବନରେ ଆଗେଇ ଚାଲିଲେ। ୨୦୧୬ରେ ନ୍ୟୁୟର୍କ ଫେଶନ୍ ୱିକ୍ରେ ସେ ର୍ୟାମ୍ପୱାକ୍ କରିଥିଲେ। ‘#ଟେକ୍ ବିୟୁଟି ବ୍ୟାକ୍’ ଅଭିଯାନକୁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା। ଭାରତରେ ଶିଳ୍ପକ୍ଷେତ୍ରରେ ବ୍ୟବହୃତ ଏସିଡ ଖୋଲାରେ ବିକ୍ରି କରାଯାଉଥିବା ବିରୋଧରେ କଡା ନିୟମ ପ୍ରଣୟନ କରିବା ଲାଗି ସେ ୟୁଟ୍ୟୁବ୍ ଭିଡିଓ ମଧ୍ୟ ପ୍ରସାରିତ କରିଛନ୍ତି।
ଅନ୍ମୋଲ ରୋଡ୍ରିଗ୍ଜ:
ଘରୋଇ ହିଂସାର ଶିକାର ହୋଇଥିଲେ ମାତ୍ର ଦୁଇମାସର ଅନ୍ମୋଲ। ସେତେବେଳେ ସେ ମା’ଙ୍କ କୋଳରେ ଥିଲେ। ରାଗରେ ଅନ୍ଧ ହୋଇଥିବା ପିତା ନିଜ ପତ୍ନୀଙ୍କ ଉପରକୁ ଏସିଡ୍ ଫିଙ୍ଗିବା ବେଳେ ଏଥିରୁ କିଛି କୁନିଝିଅ ଅନ୍ମୋଲ ଉପରେ ବି ପଡିଥିଲା। ମା’ ତ ଏହି ଆକ୍ରମଣରେ ମୃତ୍ୟୁବରଣ କଲେ, ଅନ୍ମୋଲ ବଞ୍ଚିଗଲେ ବି ତାଙ୍କ ଦେହରେ ଥିଲା ଏକାଧିକ ଯନ୍ତ୍ରଣାଦାୟକ କ୍ଷତ। ଏହା ତାଙ୍କ ମୁହଁ ଏବଂ ଶରୀରକୁ କଦାକାର କରିଦେଲା। ବଡ ହୋଇ କିପରି ଦେଖାଯିବେ ବୋଲି ଜାଣିବାର ସୁଯୋଗ ପାଇଲେନି ସେ। ଗୋଟିଏ ଆଖି ମଧ୍ୟ ହରାଇଲେ। ଏକ ଅନାଥାଶ୍ରମରେ ବଢିଥିଲେ ସେ। ପିଲାଦିନେ ନିଜ ପାଇଁ ସାଙ୍ଗ ଖୋଜିବାଠାରୁ ଚାକିରି ପାଇବା ପର୍ଯ୍ୟନ୍ତ ତାଙ୍କୁ ଖୁବ୍ ସଂଘର୍ଷ କରିବାକୁ ପଡିଥିଲା। ଏହାପରେ ସେ ଅନ୍ୟମାନଙ୍କୁ ସହାୟତା ଯୋଗାଇବା ଲାଗି ସାହସ ଫାଉଣ୍ଡେସନ୍ ନାମରେ ଏକ ଏନ୍ଜିଓ ପ୍ରତିଷ୍ଠା କଲେ। ଏବେ ଅନ୍ମୋଲ ଜଣେ ଫେସନ୍ ଆଇକନ୍। ଇନ୍ଷ୍ଟାଗ୍ରାମ ଏବଂ ୟୁଟ୍ୟୁବ୍ର କେତେକ ଚ୍ୟାନେଲ ପାଇଁ ସେ ମଡେଲିଂ ମଧ୍ୟ କରିଛନ୍ତି।
ଦୌଲତ ବି ଖାନ୍:
ମେକ୍ଅପ ଆର୍ଟିଷ୍ଟ ଦୌଲତ ୨୬ବର୍ଷର ହୋଇଥିବା ବେଳେ ଏକ ସୋଫା ଉପରେ ବସିଥିଲା ବେଳେ ନିଜ ଭଉଣୀ ଏବଂ ଭିଣୋଇ ତାଙ୍କ ଉପରେ ଏସିଡ୍ ପକାଇଦେଲେ। ସେମାନେ ମା’ଙ୍କୁ ଭଲ ବ୍ୟବହାର କରୁନଥିବାରୁ ଏହାକୁ ବିରୋଧ କରିଥିଲେ ଦୌଲତ। ତେଣୁ ରାଗିଯାଇ ସେମାନେ ଦୌଲତଙ୍କୁ ଶାସ୍ତି ଦେବାକୁ ଏପରି କରିଥିଲେ। ଏବେ ଦୌଲତ ମୁମ୍ବଇର ସାହସ ଫାଉଣ୍ଡେସନ୍ ସହ ଜଡିତ। ଏଠାରେ ପ୍ରାୟ ୨୬ଜଣ ଏସିଡ୍ ଆକ୍ରମଣ ପୀଡିତାଙ୍କୁ ସହାୟତା ଯୋଗାଇ ଦିଆଯାଉଛି।
ଡଲି:
୧୨ବର୍ଷ ବୟସର ହୋଇଥିଲେ ଡଲି। ତାଙ୍କଠାରୁ ଦୁଇଗୁଣ ବୟସର ଜଣେ ଯୁବକ ତାଙ୍କୁ ଅଶାଳୀନ ମନ୍ତବ୍ୟ ଦେଉଥିଲା। ଡଲି ଏହାକୁ ଉପେକ୍ଷା କରିଥିଲେ। ଦିନେ ଅନ୍ୟ ପିଲାଙ୍କ ସହ ସେ ଖେଳୁଥିବା ବେଳେ ଉକ୍ତ ଯୁବକ ତାଙ୍କ ଉପରେ ଏସିଡ୍ ଫିଙ୍ଗିଦେଲା। ମୁହଁ ସହିତ ନାକ ବି ଏମିତି କ୍ଷତିଗ୍ରସ୍ତ ହୋଇଥିଲା ଯେ ଏବେ ମଧ୍ୟ ଡଲି ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରନ୍ତି। ବର୍ଷେକାଳ ଘର ଭିତରେ ରହିବା ପରେ ସେ ଯେତେବେଳେ ଶିରୋଜ୍ ସମ୍ପର୍କରେ ଜାଣିଲେ, ଆଗ୍ରା ଆସି ସେଠାରେ ଯୋଗଦେଇଥିଲେ। ତାଙ୍କୁ ଆକ୍ରମଣ କରିଥିବା ଯୁବକ ଏବେ ଜେଲ୍ରେ। ୨୦୧୬ରେ ଡଲି ତାକୁ ଏକ ଚିଠି ଲେଖିଥିଲେ ଯେ ତମେ ମୋ ମୁହଁ ପୋଡିଦେଲ ସିନା, ମୋ ଜିଇବାର ଇଚ୍ଛା ଉପରେ ଏସିଡ ଫିଙ୍ଗିପାରିଲ ନାହିଁ।
ଓଡ଼ିଶାରେ ଖୋଲିବ ‘ଶିରୋଜ୍’:
ଏସିଡ୍ ଆକ୍ରମଣ ପୀଡିତାଙ୍କୁ ରୋଜଗାର ଯୋଗାଇପାରୁଥିବା ‘ଶିରୋଜ୍’ ହ୍ୟାଙ୍ଗଆଉଟ୍ କାଫେ ଏବେ ଓଡ଼ିଶାରେ ଖୋଲିବ। ‘ଛପାକ୍’ ପ୍ରଦର୍ଶନ ପରେ ରାଜ୍ୟର ପ୍ରମୁଖ ସହରଗୁଡିକରେ ଏନ୍ଜିଓ ଦ୍ବାରା ପରିଚାଳିତ ‘ଶିରୋଜ୍’ ଖୋଲିବାର ପ୍ରୟାସ ଆରମ୍ଭ ହୋଇଛି। ପୂର୍ବରୁ ରାଜ୍ୟରେ ଏସିଡ୍ ପୀଡିତାଙ୍କ ଥଇଥାନ ଲାଗି ବିଶେଷ ଧ୍ୟାନ ଦିଆଯାଇ ପାରିନାହିଁ। ତେବେ ଶୁଭଶ୍ରୀ ଦାସଙ୍କ ପରି ସମାଜସେବୀ ଏଥିପାଇଁ ଉଦ୍ୟମ କରିଥିଲେ ମଧ୍ୟ ଉପଯୁକ୍ତ ସହଯୋଗ ଅଭାବରୁ ଏହା ମନ୍ଥର ହୋଇଯାଇଛି। ସେ ଷ୍ଟପ୍ ଏସିଡ ଆଟାକ୍ ବ୍ୟାନରରେ ପୀଡିତାମାନଙ୍କୁ ଆତ୍ମନିର୍ଭରଶୀଳ କରାଇବାର ଉଦ୍ୟମ ଚଳାଇଛନ୍ତି। ଏବେ ରାଜଧାନୀ ଭୁବନେଶ୍ବରରେ ଶିରୋଜ୍ କାଫେ ଖୋଲିବା ଲାଗି ସେ ନିଜ ପ୍ରୋଜେକ୍ଟର କପି ନାଲ୍କୋ ଏବଂ ସଲ୍ମାନ ଖାନ୍ଙ୍କ ଫାଉଣ୍ଡେସନ୍ ସହିତ ରାଜ୍ୟ ସରକାରଙ୍କ ସମାଜ କଲ୍ୟାଣ ବିଭାଗର ସଚିବଙ୍କୁ ମଧ୍ୟ ଦେଇଛନ୍ତି। ଏସିଡ୍ ଆକ୍ରମଣ ପୀଡିତାଙ୍କ ଲାଗି ଦିବ୍ୟାଙ୍ଗ ଆଇନ୍ରେ ବ୍ୟବସ୍ଥା ରହିଛି ତଥା ବିଭାଗ ସେମାନଙ୍କୁ ପ୍ରାଥମିକତା ଦେଇଥାଏ ବୋଲି ରାଜ୍ୟ ଦିବ୍ୟାଙ୍ଗ କମିସନର ଅଧ୍ୟକ୍ଷା ସୁଲୋଚନା ଦାସ କହିଛନ୍ତି।
ଉପସ୍ଥାପନା: ଲହରିକା ପଟ୍ଟନାୟକ
Comments are closed.