ମହାନଦୀର ଜଳ ବିନିଯୋଗରେ ସରକାର ବିଫଳ:ବିଜେପି

0

ଭୁବନେଶ୍ୱର:ମହାନଦୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଲିଯାତ୍ରା ପଡିଆରେ ଯେଉଁ ବକ୍ତବ୍ୟ ରଖିଛନ୍ତି ତାହା ସଂପୂର୍ଣ୍ଣ ତଥ୍ୟ ଆଧାରିତ। ରାଜ୍ୟ ସରକାର ଏକଥାକୁ ଯଦି ଅସ୍ୱୀକାର କରୁଛନ୍ତି ତେବେ ମହାନଦୀର କେତେ ପାଣି ସମୁଦ୍ରକୁ ଚାଲି ଯାଉଛି ତାହା ଦର୍ଶାନ୍ତୁ ବୋଲି ବିଜେପି ରାଜ୍ୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି। ବୁଧବାର ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ଦୀର୍ଘ ୧୮ବର୍ଷଧରି ଶାସନ କ୍ଷମତାରେ ରହିଥିବା ବିଜେଡି ସରକାର ମହାନଦୀରୁ ଜଳ ସୁବିନିଯୋଗ କରିବାରେ ବିଫଳ ହୋଇଛି । ଏହା ମିଥ୍ୟା କି ସତ୍ୟ ଏହାର ଜବାବ ବିଜେଡି ଦେବା ଆବଶ୍ୟକ । ରାଜ୍ୟ ସରକାରଙ୍କର ଅପାରଗତା କାରଣରୁ ରାଜ୍ୟର ଗରିବ ଓ ଚାଷୀଙ୍କ କାମରେ ମହାନଦୀର ପାଣି ଲାଗୁନାହିଁ ଏହା ମିଥ୍ୟା କି ସତ୍ୟ, ତା’ର ଜବାବ ବିଜେଡି ଦେଉ।
ସେହିପରି ଦୀର୍ଘ ଦିନ ଧରି ଲୋୟର ଇନ୍ଦ୍ର ସମେତ ଅନେକ ଜଳ ସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ବଦଳରେ ପଡି ରହିଥିବାବେଳେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଶ୍ଚିତ ସମୟସୀମା ମଧ୍ୟରେ ରାୟ ପ୍ରକାଶ ପାଇଁ ପ୍ରସ୍ତାବିତ ଏକକ ଟ୍ରାଇବୁନାଲକୁ ରାଜ୍ୟ ସରକାର ପ୍ରତ୍ୟାଖ୍ୟାନ କରି ନ ଥିଲେ କି ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି। ଦେଶର ୯୯ଟି ଜଳସେଚନ ପ୍ରକଳ୍ପ ମଧ୍ୟରୁ ଓଡିଶାରେ ଥିବା ୮ଟି ପ୍ରକଳ୍ପର କାମକୁ କେନ୍ଦ୍ର ସରକାର ନିଜ ମୁଣ୍ଡକୁ ଆର୍ଥିକ ଦାୟିତ୍ୱ ନେଇ ପୂରଣ କରିବାକୁ ଚାହୁଁଛି।୧୧୭ ବିଧାୟକ ଓ ୨୯ ସାଂସଦ ପ୍ରଧାନମନ୍ତ୍ରୀଙ୍କ ପାଖକୁ ମହାନଦୀ ସମସ୍ୟା ନେଇ ଯିବାକୁ କାହିଁକି ଉଚିତ ମନେ କରି ନାହାନ୍ତି ବୋଲି ସେ କହିଛନ୍ତି। କେନ୍ଦ୍ରରେ ବିଜେଡିର ଅର୍ଜୁନ ସେଠୀ ଜଳ ସମ୍ପଦ ମନ୍ତ୍ରୀ ଥିବା ବେଳେ ଓଡିଶାର ନଦୀ ଜଳ ସମସ୍ୟା ଓ ଓଡିଶାକୁ ନୂଆ ଜଳ ସେଚନ ପ୍ରକଳ୍ପ ପାଇଁ କିଛି ଉଦ୍ୟମ କରି ନ ଥିଲେ କାହିଁକି ଏହାର ଉତ୍ତର ମୁଖ୍ୟମନ୍ତ୍ରୀ ଦିଅନ୍ତୁ ବୋଲି ସେ କହିଛନ୍ତି। ଛତିଶଗଡ ଶିଳ୍ପକୁ ପାଣି ଦେଉଛି ବୋଲି ଅଭିଯୋଗ କରୁଥିବା ବିଜେଡି ସରକାର ୨୦୧୬ ମସିହାରେ ୩୭୬ ଶିଳ୍ପ ଓ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନକୁ ନଦୀରୁ ପାଣି ଯୋଗାଉଥିଲେ। ବିଜେଡି ଜନ ଆନ୍ଦୋଳନ ବେଳେ ଲୋକ ମାନଙ୍କୁ ପିଇବା ପାଣି ମିଳିବ ନାହିଁ ଏବଂ ଓଡିଶା ଅଧା ମରୁଭୂମି ହୋଇଯିବ ବୋଲି ଭୟ ଓ ଆତଙ୍କ ସୃଷ୍ଟି କରୁଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ସମ୍ମିଳନୀରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି ଉପସ୍ଥିତ ଥିଲେ।

Leave A Reply