ଜାମ୍ମୁ କାଶ୍ମୀର ଯୌନ କେଳେଙ୍କେରୀ : ପୂର୍ବତନ ଡିଆଇଜି, ଡିଏସ୍ପିଙ୍କ ସମେତ ୫ ଦୋଷୀ ସାବ୍ୟସ୍ତ
ନୂଆଦିଲ୍ଲୀ : ୧୨ ବର୍ଷ ପୁରୁଣା ଜାମ୍ମୁ କାଶ୍ମୀର ଯୌନ କେଳେଙ୍କେରୀ ମାମଲାରେ ଚଣ୍ଡିଗଡ଼ ଜିଲା କୋର୍ଟ ବୁଧବାର ପୂର୍ବତନ ଡିଆଇଜି ଏବଂ ଡିଏସ୍ପିଙ୍କ ସମେତ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଦାଲତ ଏହି ମାମଲାରେ ଦୁଇ ଜଣଙ୍କୁ ଦୋଷ ମୁକ୍ତ କରିଛନ୍ତି। ଅଦାଲତ ଜୁନ୍ ୪ରେ ଏହି ମାମଲାରେ ଦୋଷୀଙ୍କୁ ଦଣ୍ଡାଦେଶ ଶୁଣାଇବେ। ଏହି ମାମଲାରେ ବିଏସ୍ଏଫର ପୂର୍ବତନ ଡିଆଇଜି କେ.ସି ପାଢି, ଜାମ୍ମୁ କାଶ୍ମୀର ପୂର୍ବତନ ପୁଲିସ୍ ଡିଏସ୍ପି ମହମ୍ମଦ ଅସ୍ରଫ ମୀର ଏବଂ ୩ଜଣ ସ୍ଥାନୀୟ ଯୁବକ ଶବୀର ଅହମଦ, ମୌସାଦ ଅହମଦ ଏବଂ ଶବୀର ଅହମଦ ଲାଗହୁଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଜାମ୍ମୁ କାଶ୍ମୀର ଆଡଭୋକେଟ ଜେନେରାଲ ଅନୀଲ ସେଠୀ ଏବଂ ବ୍ୟବସାୟୀ ମେହରାଜୁଦ୍ଦିନ ମାଲିକଙ୍କୁ ଦୋଷ ମୁକ୍ତ କରାଯାଇଛି। ୨୦୦୬ରେ ଏହି ଯୌନ କେଳେଙ୍କେରୀ ଘଟଣା ପଦାକୁ ଆସିଥିଲା। ସେତେବେଳେ ଜଣେ ୧୫ ବର୍ଷିୟା ନାବାଳିକାକୁ ଯୌନ ଶୋଷଣ କରାଯାଉଥିବାର ଦୁଇଟି ଭିଡ଼ିଓ ପୁଲିସ୍ ହାତରେ ଲାଗିଥିଲା। ନାବାଳିକାଙ୍କୁ ବଳପୂର୍ବକ ଦେହ ବେପାରରେ ଲଗାଯାଉଥିବା ଏବଂ ସେମାନଙ୍କୁ ରାଜନେତା, ବରିଷ୍ଠ ପ୍ରଶାସନିକ ଓ ପୁଲିସ୍ ଅଧିକାରୀଙ୍କୁ ନିକଟକୁ ପଠାଯାଉଥିବା ଜଣାପଡ଼ିଥିଲା। ପୁଲିସ୍ ଏହି ଘଟଣାରେ ମୁଖ୍ୟଅଭିଯୁକ୍ତ ଭାବେ ଶ୍ରୀନଗରରେ ବେଶ୍ୟାଳୟ ଚଲାଉଥିବା ସବିନା ନାମକ ଜଣେ ମହିଳା ଏବଂ ତାଙ୍କ ସ୍ୱାମୀ ଅବଦୁଲ ହମିଦଙ୍କୁ ଗିରଫ କରିଥିଲା। ତଦନ୍ତରୁ ପୁଲିସ୍ ଏହି ଘଟଣାରେ ସମ୍ପୃକ୍ତ ୫୬ ଜଣ ବଡ଼ ବଡ଼ ଲୋକଙ୍କ ଏକ ତାଲିକା ପ୍ରସ୍ତୁତ କରିଥିଲା। ପୁଲିସ୍ ତଦନ୍ତରୁ ଏହି ଘଟଣାରେ ସଂପୃକ୍ତ ଥିବା ନେଇ ଜାମ୍ମୁ କାଶ୍ମୀରର ଦୁଇ ମନ୍ତ୍ରୀ, କେତେକ ବିଧାୟକଙ୍କ ନାମ ପଦାକୁ ଆସିବା ପରେ ମାମଲାକୁ ସିବିଆଇ ନିକଟକୁ ସ୍ଥାନାନ୍ତର କରାଯାଇଥିଲା। ଏହି ମାମଲା ଚାପରେ ୨୦୦୯ରେ ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ପଦରୁ ଓମାର ଅବଦୁଲ୍ଲା ଇସ୍ତଫା ଦେଇଥିଲେ; ମାତ୍ର ଜାମ୍ମୁ କାଶ୍ମୀର ରାଜ୍ୟପାଳ ତାଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିନଥିଲେ। ଇତି ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ସବିନା ଏବଂ ତାଙ୍କ ସ୍ୱାମୀ ଅବଦୁଲଙ୍କ ମୃତ୍ୟୁ ହୋଇଯାଇଛି। ଦୀର୍ଘ ୧୨ ବର୍ଷ ପରେ ଏହି ମାମଲାରେ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।