ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ଗୋପାଳପୁରବାସୀ

0

 -ସ୍ୱଛ ଭାରତ ମିଶନ ଗାଁ ପାଇଁ ସାତ ସପନ, -ଗୋଟିଏ କୋଠରୀରେ ଚାଲିଛି ୫ଟି ଶ୍ରେଣୀ ଓ ଅଫିସ୍‍

ଆରଡି : ଗାଁ ହସିଲେ ଦେଶ ହସିବ, ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ନାନାବିଧ ଯୋଜନା ପ୍ରଣୟନ କରିବା ସହ ବାର୍ଷିକ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି । ବିଶେଷକରି ପକ୍କା ସଡକ, ବିଜୁଳି, ପାନୀୟଜଳ, ପରିମଳ, ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱ ଦେବା ସହ ପଞ୍ଚାୟତ ଜରିଆରେ କାର୍ଯ୍ୟକାରୀ କରିବା ପାଇଁ ପ୍ରତିନିଧିମାନଙ୍କୁ ପୂର୍ଣ୍ଣ କ୍ଷମତା ମଧ୍ୟ ଦିଆଯାଇଛି। ହେଲେ ଏହି ଯୋଜନା ଠିକ ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ ତାହା ସାଧାରଣ ଲୋକମାନଙ୍କ ପାଖରେ ପହଁଚି ପାରୁନାହିଁ। ଏଭଳି ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ତିହିଡି ବ୍ଲକ ଅଧିନସ୍ଥ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଗୋପାଳପୁର ଗାଁରେ।

ଏହି ଗାଁରେ ୪ଶହରୁ ଅଧିକ ଲୋକ ବସବାସ କରୁଥିଲେ ମଧ୍ୟ ସବୁଦିନିଆ ରାସ୍ତା, ପାନୀୟଜଳ, ସ୍ୱାସ୍ଥ୍ୟ, ପରିମଳ ଓ ଶିକ୍ଷା ଯେପରି ଅପହଞ୍ଚ ହୋଇ ରହିଛି।  ଖରାଦିନେ ଗ୍ରାମବାସୀ ଯେନତେନ ପ୍ରକାରରେ  ଯାତାୟତ କରୁଥିବା ବେଳେ ବର୍ଷାଋତୁ ୩/୪ମାସ ନାନା ଅସୁବିଧାରେ ସମୁଖିନ ହୋଇଥାନ୍ତି। ବିଶେଷକରି ଗାଁକୁ ୧୦୮ ଓ ୧୦୨ ଆମ୍ବୁଲାନ୍ସ ଗାଡି ଯାଇପାରୁନଥିବାରୁ ଗର୍ଭବତି ମହିଳା ଓ ରୋଗୀଙ୍କୁ ସାଙ୍ଗିଭାର ଗ୍ରାମବାସୀ କରି ଦୀର୍ଘ ୧/୨ କି .ମି ଆଣିଥାନ୍ତି  । ତାହା ସହ ଗାଁରେ ୯୫ଭାଗ କଚା ଓ ନଡା ଛପର ଘର ହୋଇଥିବାରୁ ଅନେକ ସମୟରେ ଅଗ୍ନିକାଣ୍ଡ ଘଟିଥାଏ। ହେଲେ ଏହି ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ଗାଁ ପାଖକୁ ଯାଇ ପାରେନାହିଁ ଅଗ୍ନଶମ ଗାଡି। ସେହିପରି ଗାଁ ମୁଣ୍ଡ ପର୍ଯ୍ୟନ୍ତ ଭୂତଳ ପାନୀୟଜଳ ପାଇପ ଲମ୍ବି ଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ନହେବାରୁ ବିଭିନ୍ନ ସ୍ଥାନରେ ପାଇପ ଫାଟି ଆଁ କରିଛି। ଦୀର୍ଘବର୍ଷ ତଳେ ଗାଁକୁ ସବୁଦିନିଆ ଯାତାୟତ ନିମନ୍ତେ ପକ୍କା ସଡକ ନିର୍ମାଣ କରାଯାଇଥିଲେ ମଧ୍ୟ କିଛି ଅଂଶ ବାଦ ଦେଲେ ୯୦ଭାଗ ରାସ୍ତା ଚାଷ ଜମି ସହିତ ମିଶି  ଯାଇଛି। ଯାହାଫଳରେ ଲୋକମାନେ ଯାତାୟତ ନିମନ୍ତେ ନାନା ଦୁର୍ଦଶା ଭୋଗ କରୁଛନ୍ତି।

ଗାଁରେ ଶତ ପ୍ରତିଶତ ନିମ୍ନ ଆୟ ବର୍ଗର ପରିବାର ବସବାସ କରୁଥିଲେ ମଧ୍ୟ ବିଜୁ ପକ୍କା ଘର , ପ୍ରଧାନମନ୍ତ୍ରୀ ଆବାସ ଯୋଜନା , ସ୍ୱଛ ଭାରତ ମିଶନରେ ପାଇଖାନା ଯେପରି ଏମାନଙ୍କ ପାଇଁ ଗ୍ରାମବାସୀଙ୍କ ପାଇଁ  ସାତସପନ ପାଲଟିଛି । ଫଳରେ ଗାଁର ୯୮ ଭାଗ ପରିବାର ଝାଟିମାଟି ନଡାଛପର ଘରେ ବସବାସ କରୁଥିବା ବେଳେ ଶତପ୍ରତିଶତ ଲୋକ ଶୈାଚ କରୁଛନ୍ତି ଖୋଲା ପଡଆରେ। ୨୦୧୨ ମସିହାରେ ଗାଁରେ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲେ ମଧ୍ୟ ଆବଶ୍ୟକୀୟ ଶ୍ରେଣୀଗୃହ ନଥିବାରୁ ଗୋଟିଏ କୋଠରୀରେ ୫ଟି ଶ୍ରେଣୀର ଛାତ୍ରଛାତ୍ରୀ ଅଧ୍ୟୟନ କରିବା ସହ ଅଫିସ୍‍ କାର୍ଯ୍ୟ ଚାଲୁଛି। ଉଚ୍ଚ ଶିକ୍ଷା ପାଇଁ ଗାଁରେ କୈାଣସି ସୁବିଧା ନଥିବାରୁ ଦୀର୍ଘ ୨/୩କିମି ନିକଟସ୍ଥ ତଳଦୁମୁକା ଓ ନାନ୍ଦପୁର ଗାଁକୁ ଛାତ୍ରଛାତ୍ରୀମାନେ ଆସିଥାନ୍ତି । ଗାଁକୁ ସବୁଦିନିଆ ରାସ୍ତା ନଥିବାରୁ ବର୍ଷାଋତୁ ୪ମାସ ନାନା ଦୁର୍ଦଶା ଭୋଗ କରିବା ସହ  ଗାଁର ପିଲାମାନଙ୍କ ପାଠପଢାରେ ଡୋରୀ ବନ୍ଧା ହୋଇଯାଏ ବୋଲି କହନ୍ତି କେତେକ ଗ୍ରାମବାସୀ । ଏପରି ସମସ୍ୟା ବାବଦରେ ସ୍ଥାନୀୟ ସରପଞ୍ଚ ଓ ପ୍ରଶାସନକୁ ଜଣାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ସ୍ୱଛ ଭାରତ ଯୋଜନାରେ ଘରେ ଘରେ ପାଇଖାନା ମିଳିବା କଥା ହେଲେ ସେ ଯୋଜନା କେବେ ଆମ ଗାଁ ପାଇଁ ଆସିବ ତାହା ପ୍ରଶାସନକୁ ହିଁ ଜଣା ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।

Leave A Reply