ଆନ୍ତର୍ଜାତିକ ସମ୍ମିଳନୀ ପାଇଁ ଅଖଣ୍ଡ ମନୋନୀତ, ୪ରେ ଯିବେ ଆର୍ମେନିଆ

0

ପିପିଲି:ରାଜ୍ୟର ଜଣାଶୁଣା ମାନବାଧିକାର କର୍ମୀ ଶ୍ରୀଅଖଣ୍ଡ ଆର୍ମେନିଆରେ ହେବାକୁ ଥିବା ଅନ୍ତର୍ଜାତୀୟ ଡିଜିଟାଲ୍ କ୍ୟାମ୍ପେନିଂ ତାଲିମ କାର୍ଯ୍ୟକ୍ରମ ପାଇଁ ମନୋନୀତ ହୋଇଛନ୍ତି । ଅବିଭକ୍ତ ଋଷ୍ ଗଣରାଜ୍ୟର ଏକ ସ୍ୱାଧୀନ ରାଷ୍ଟ୍ର ଆର୍ମେନିଆର ରାଜଧାନୀ ୟେରେବାନ୍ ଠାରେ ଆସନ୍ତା ଜୁନ୍ ୫ରୁ ୭ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଏହି ତାଲିମ କାର୍ଯ୍ୟକ୍ରମ ଚାଲିବ । ଆନ୍ତର୍ଜାତିକ ମାନବାଧିକାର ସଂସ୍ଥା ‘ସିଭିକସ୍’ ପକ୍ଷରୁ ଏସିଆ ଓ ୟୁରୋପ ମହାଦେଶରୁ ୧୦ ଜଣ ଲେଖାଏଁ ସାମାଜିକ କର୍ମୀଙ୍କୁ ନେଇ ଏହି ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଡିଜିଟାଲ୍ ମାଧ୍ୟମକୁ ବିଭିନ୍ନ ଦେଶର ମାନବାଧିକାର କର୍ମୀମାନେ ବ୍ୟବହାର କରିବା ଓ ଏ କ୍ଷେତ୍ରରେ ସୁରକ୍ଷା ଓ ନିରାପତ୍ତା ଆଦି ବିଷୟରେ ଅବଗତ ହେବା ଏହି ତାଲିମ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ପ୍ରାର୍ଥୀମାନଙ୍କର ସମସ୍ତ ଖର୍ଚ୍ଚ ଆୟୋଜକ ସଂସ୍ଥା ବହନ କରୁଛି । ଅଖଣ୍ଡ ଗତ ଦଶବର୍ଷରୁ ଅଧିକ ସମୟ ଧରି ମାନବାଧିକାର ସୁରକ୍ଷା ଦିଗରେ କାମ କରିଆସୁଛନ୍ତି। ବିଭିନ୍ନ ମାନବାଧିକାର ପ୍ରସଙ୍ଗରେ ସେ ଜାତୀୟ ମାନବାଧିକାର କମିଶନ, ରାଜ୍ୟ ମାନବାଧିକାର କମିଶନଙ୍କ ସମେତ ଅନ୍ୟାନ୍ୟ କମିଶନଙ୍କ ଦୃଷ୍ଟି ଆକର୍ଷଣ କରି ସରକାରୀ କର୍ତ୍ତୃପକ୍ଷମାନଙ୍କୁ ଉତ୍ତରଦାୟୀ କରାଇବା ସହ ସମାଜର ଦୁର୍ବଳବର୍ଗଙ୍କୁ ନ୍ୟାୟ ପ୍ରଦାନ ପାଇଁ କାମ କରି ଆସୁଛନ୍ତି। ସେ ଏବେ ସିଭିଲ ସୋସାଇଟି ଫୋରମ୍ ଅନ୍ ହ୍ୟୁମାନ ରାଇଟସ୍ର ୱାର୍କିଂ ଗ୍ରୁପ ସଦସ୍ୟ ଅଛନ୍ତି। ଏହା ପୂର୍ବରୁ ୨୦୧୭ ମାର୍ଚ୍ଚ ମାସରେ ଅନ୍ତର୍ଜାତୀୟ ନେତୃତ୍ୱ କାର୍ଯ୍ୟକ୍ରମ ଜରିଆରେ ଶ୍ରୀଅଖଣ୍ଡ ତିନି ସପ୍ତାହ ପାଇଁ ଆମେରିକା ଯାଇଥିଲେ।

Leave A Reply