ଆଜିଠୁ ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ

0

ନୂଆଦିଲ୍ଲୀ: ବେତନ ସଂଶୋଧନ ଦାବି ନେଇ ବୁଧବାର ଠାରୁ ବ୍ୟାଙ୍କ କର୍ମଚାରୀମାନେ ଦେଶବ୍ୟାପୀ ଦୁଇଦିନିଆ ଧର୍ମଘଟ କରିବାକୁ ଯାଉଛନ୍ତି। ୟୁନାଇଟେଡ୍‍ ଫୋରମ୍‍ ଅଫ୍‍ ବ୍ୟାଙ୍କ ୟୁନିଅନ୍ସ (ୟୁଏଫ୍‍ବିୟୁ)ର ଡାକରାରେ ବ୍ୟାଙ୍କ ଅଧିକାରୀ ଏବଂ କର୍ମଚାରୀମାନେ ଏହି ଧର୍ମଘଟରେ ସାମିଲ ହେବେ। ୨୦୧୭ ନଭେମ୍ବର ପହିଲାଠାରୁ ଦେଶରେ ବ୍ୟାଙ୍କ କର୍ମଚାରୀଙ୍କ ବେତନ ସଂଶୋଧନ ହୋଇପାରିନାହିଁ। ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) କର୍ମଚାରୀଙ୍କ ବେତନରେ ୨% ବୃଦ୍ଧି ଘଟାଇବା ନେଇ ପୂର୍ବରୁ ଦେଇଥିବା ପ୍ରସ୍ତାବକୁ ସଂଘ ଅଗ୍ରାହ୍ୟ କରିଥିଲା। ଅନ୍ୟପକ୍ଷରେ ଧର୍ମଘଟ ଟାଳିବା ଲାଗି ଅତିରିକ୍ତ ଶ୍ରମ ଆୟୁକ୍ତ ରଞ୍ଜନ ବର୍ମାଙ୍କ ପକ୍ଷରୁ କରାଯାଇଥିବା ପ୍ରୟାସ ମଧ୍ୟ ଫସର ଫାଟିଛି। ଶ୍ରୀ ବର୍ମାଙ୍କ ନେତୃତ୍ୱରେ ୟୁଏଫ୍‍ବିୟୁ , ଆଇବିଏ ଏବଂ ଅର୍ଥ ମନ୍ତ୍ରାଳୟର ଅଧିକାରୀଙ୍କୁ ନେଇ ଧର୍ମଘଟ ଏଡାଇବା ଲାଗି ଏକ ଆପୋଷ ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ବୈଠକରେ କୌଣସି ପ୍ରକାର ସହମତି ହୋଇପାରିନାହିଁ। ଯଦିବା କର୍ମଚାରୀ ସଂଘର ଦାବି ଉପରେ ପୁନର୍ବିଚାର କରିବା ନେଇ ଆଇବିଏ କହିଛି ତେବେ ଏ ନେଇ କୌଣସି ପ୍ରକାର ସୁଦୃଢ ପ୍ରସ୍ତାବ ମିଳି ନ ଥିବାରୁ ଧର୍ମଘଟ ଚାଲିବ ବୋଲି ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ(ଏଆଇବିଇଏ)ର ସାଧାରଣ ସମ୍ପାଦକ ସି.ଏଚ୍‍. ଭେଙ୍କଟଚ୍ଚଲମ୍‍ କହିଛନ୍ତି। ୧୦ ଲକ୍ଷରୁ ଅଧିକ ରାଷ୍ଟ୍ରାୟତ୍ତ ଏବଂ ଘରୋଇ ବ୍ୟାଙ୍କ କର୍ମଚାରୀ ଏହି ଧର୍ମଘଟରେ ସାମିଲ ହେବେ। ତେବେ ଏହି ଦୁଇଦିନିଆ ଧର୍ମଘଟ ପ୍ରଭାବରେ ଦେଶରେ ଦୈନନ୍ଦିନ ବ୍ୟାଙ୍କିଙ୍ଗ କାରବାର ପ୍ରଭାବିତ ହେବ। ମାସ ଶେଷ ରହୁଥିବାରୁ କର୍ମଚାରୀମାନେ ବେତନ ଉଠାଣ ଜନିତ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଏହାଛଡା କ୍ରମାଗତ ଭାବେ ଦୁଇ ଦିନ ଧର୍ମଘଟ ହେଉଥିବା ଦୃଷ୍ଟିରୁ ଏଟିଏମ୍‍ଗୁଡିକରେ ଟଙ୍କା ଅଭାବ ଭଳି ସମସ୍ୟା ମଧ୍ୟ ଦେଖାଦେଇପାରେ।

Leave A Reply