ଦେଶ ପାଇଁ ଓଡ଼ିଆ ଝିଅ ଗୀତାଞ୍ଜଳି ଆଦର୍ଶ

0

ଭୁବନେଶ୍ୱର:ଢ଼େଙ୍କାନାଳ ଜଲା କପିଳାସ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ଗୀତାଞ୍ଜଳି ମାର୍ଣ୍ଡିି ନୂଆଦିଲ୍ଲୀରେ ଆୟୋଜିତ ‘ନାଇନ ମୁଭମେଣ୍ଟସ ମେନଷ୍ଟ୍ରୁଆଲ ଆୱାରନେସ କନକ୍ଲେଭ’ରେ ଭାଗ ନେଇ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ଏହି କନକ୍ଲେଭର ଏକ ପ୍ୟାନେଲ ଆଲୋଚନାରେ ୧୦ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଗୀତାଞ୍ଜଳି ଋତୁ ସ୍ରାବ ବା ମାସିକ ଧର୍ମ ସମୟରେ ସ୍କୁଲରେ ଛାତ୍ରୀଙ୍କ ଅନୁପସ୍ଥିତି ଉପରେ ଆଲୋଚନା କରିଥିଲେ । ତାଙ୍କୁ ନାଇନ ଫାଉଣ୍ଡେସନ ପକ୍ଷରୁ ପୁରସ୍କାର ବାବଦରେ ୫ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ୧୫ ବର୍ଷ ବୟସର ଏହି ଛାତ୍ରୀଙ୍କ ଭାବ ବିନିମୟ ସମାଜ ପାଇଁ ଏକ ମାର୍ଗଦର୍ଶନ ପାଲଟିଛି । ସାମାଜିକ ଅନ୍ଧବିଶ୍ୱାସ ଓ ମାସିକ ଧର୍ମ ସମ୍ପର୍କିତ ଭ୍ରାନ୍ତ ଧାରଣାକୁ ଦୂରେଇ ଦେଇ ବାଳିକା ଶିକ୍ଷା କିଭଳି ସମ୍ଭବ ତାହା ଓଡ଼ିଆ ଝିଅ ଗୀତାଞ୍ଜଳି ପ୍ରମାଣ କରିବା ସହ ଅନ୍ୟ ଛାତ୍ରୀମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।
ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଜାତି କଲ୍ୟାଣ ବିଭାଗ ପରିଚାଳିତ ଆବାସିକ ବିଦ୍ୟାଳୟରେ ସେ ଅଧ୍ୟୟନ କରୁଥିଲେ । ତାଙ୍କୁ ଏହି କନକ୍ଲେଭରେ ଯୋଗ ଦେବାକୁ ମନୋନୀତ କରାଯାଇଥିଲା । ଏହି କନକ୍ଲେଭରେ ଗୀତାଞ୍ଜଳି କହିଥିଲେ, ତାଙ୍କ ବିଦ୍ୟାଳୟର ଜୀବନ ଦକ୍ଷତା ଶ୍ରେଣୀରେ ମାସିକ ଧର୍ମ ବିଷୟରେ ସଚେତନତା ସହିତ ଏ ପ୍ରସଙ୍ଗରେ ବୁଝିବା ଯଥେଷ୍ଟ ସହାୟକ ହୋଇଛି । ମାସିକ ଧର୍ମ ବାଳିକାମାନଙ୍କ କ୍ଷେତ୍ରରେ ଏକ ସ୍ୱାଭାବିକ ପ୍ରକିୟା । ଅନ୍ଧବିଶ୍ୱାସ ଓ ଅସ୍ୱାସ୍ଥ୍ୟକର ଅଭ୍ୟାସ ଦ୍ୱାରା ବାଳିକାମାନଙ୍କ ଆତ୍ମସମ୍ମାନ ଓ ଆତ୍ମମର୍ଯ୍ୟାଦା ପ୍ରଭାବିତ ହୋଇଥାଏ । ମାସିକ ଧର୍ମ ସମୟରେ ବିଦ୍ୟାଳୟରେ ଅନୁପସ୍ଥିତ ରହିବାର ଆବଶ୍ୟକତା ନଥିବା ସେ କହିଥିଲେ । ବିଦ୍ୟାଳୟରେ ଜୀବନ ଦକ୍ଷତା ଶିକ୍ଷା ସହିତ ସରକାରଙ୍କ ଦ୍ୱାରାଯୋଗାଇ ଦିଆଯାଉଥିବା ସାନିଟାରୀ ନାପକିନ ଛାତ୍ରୀ ଉପସ୍ଥାନ ବୃଦ୍ଧି କରିବ ବୋଲି ସେ ପ୍ରକାଶ କରିଥିଲେ ।
ପ୍ୟାନେଲ ଆଲୋଚନାରେ ଗୀତାଞ୍ଜଳି ୟୁଏନଏଫପି ଏସିଆ ପାସିଫିକ ଆଞ୍ଚଳିକ କାର୍ଯ୍ୟାଳୟର ଉପ ନିର୍ଦେଶକ ଜେନିଫର ବଟଲରଙ୍କ ସହିତ ମାସିକ ଧର୍ମ ସମୟରେ ସ୍କୁଲରେ ଛାତ୍ରୀମାନେ ଅନୁପସ୍ଥିତ ରହିବା ଉପରେ ଆଲୋଚନା କରିଥିଲେ । ଏଥିରେ ଅଭିନେତ୍ରୀ ସାବନା ଆଜମୀ, ଜାତିସଂଘର ପୂର୍ବତନ ସେକ୍ରେଟାରୀ ଲକ୍ଷ୍ମୀ ପୁରୀ, ରୟାଲ କମନୱେଲ୍‌ଥ ସୋସାଇଟିର ମୁଖ୍ୟ ଶିବାନୀ ୱାଜିର ପାସରିଚ ପ୍ରମୁଖଙ୍କ ସହିତ ଗୀତାଞ୍ଜଳି ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଭାବ ବିନିମୟ କରିଥିଲେ । କନକ୍ଲେଭରେ ମୁଖ୍ୟ ଅତିଥି ସୁପରଷ୍ଟାର ଅକ୍ଷୟ କୁମାର ଗୀତାଞ୍ଜଳିଙ୍କ ସହ ଆଲୋଚନା କରିଥିଲେ ।
ରାଜ୍ୟ ସରକାର ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନରତ ପ୍ରାୟ ୧୭ ଲକ୍ଷ ଛାତ୍ରୀଙ୍କୁ ସାନିଟାରୀ ନାପକିନ ଯୋଗାଇ ଦେବା ପାଇଁ ‘ଖୁସି’ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ମାସିକ ଧର୍ମ ସମୟରେ ସେମାନଙ୍କ ସ୍ୱାସ୍ଥ୍ୟରକ୍ଷା ଓ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ସାନିଟାରୀ ନାପକିନ ବଣ୍ଟନ କରାଯାଉଛି । ଏହାଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ ରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି ସହ ବିଦ୍ୟାଳୟରେ ଛାତ୍ରୀଙ୍କ ଉପସ୍ଥାନ ହାର ବୃଦ୍ଧି ପାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି ।

Leave A Reply