ଓଡିଶାର ରାଜ୍ୟପାଳ ଭାବେ ଶପଥ ନେଲେ ଗଣେଶୀ ଲାଲ
ଭୁବନେଶ୍ୱର: ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ପ୍ରଫେସର ଗଣେଶୀ ଲାଲ ଆଜି ଅପରାହ୍ଣ ୬.୧୦ ମିନିଟରେ ଶପଥ ଗ୍ରହଣ କରିଛନ୍ତି। ରାଜଭବନର ଅଭିଷେକ ହଲରେ ଆୟୋଜିତ ଏକ ଆନୁଷ୍ଠାନିକ ଉତ୍ସବରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ବିନୀତ ସରଣ ପ୍ରଫେସର ଲାଲଙ୍କୁ ଶପଥ ପାଠ କରାଇଥିଲେ। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଭାରତର ରାଷ୍ଟ୍ରପତିଙ୍କ ନିଯୁକ୍ତି ପତ୍ର ପାଠ କରିବା ପରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।
ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ହାଇକୋର୍ଟର ବହୁ ବିଚାରପତି, ଓଡ଼ିଶା ଏବଂ ହରିଆଣା ମନ୍ତ୍ରିମଣ୍ଡଳର ଅନେକ ସଦସ୍ୟ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା, ବିଜେପି ବିଧାୟକ ଦଳ ନେତା, ରାଜ୍ୟ ବିଜେପି ସଭାପତି, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବିରିଷ୍ଠ ଅଧିକାରୀ, ପୁଲିସ ମହା ନିର୍ଦେଶକ, ରାଜ୍ୟପାଳଙ୍କ ପ୍ରମୁଖ ସଚିବ, ନୂତନ ରାଜ୍ୟପାଳଙ୍କ ସହଧର୍ମିଣୀ ଓ ହରିଆଣାରୁ ଆସିଥିବା ତାଙ୍କ ପରିବାରର ବହୁ ସଦସ୍ୟ ଓ ଶୁଭେଚ୍ଛୁ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ଥିଲେ।
ଉତ୍ସବ ପରେ ଓଡ଼ିଶା ପୁଲିସ ବାହିନୀ ପକ୍ଷରୁ ରାଜ୍ୟପାଳଙ୍କୁ ଗାର୍ଡ ଅଫ ଅନର ସହିତ ତୋପ ସଲାମୀ ଦିଆଯାଇଥିଲା।
ନୂତନ ରାଜ୍ୟପାଳ ଶ୍ରୀ ଲାଲ ଗଣିତ ପ୍ରଫେସର ଥିଲେ। ୧୯୯୬-୯୯ ପର୍ଯ୍ୟନ୍ତ ସେ ହରିୟାଣା ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ।