ଭାରତୀୟଙ୍କ ପସନ୍ଦ: ଏସି ଟ୍ରେନ୍ ନା ବିମାନ ଯାତ୍ରା?
ନୂଆଦିଲ୍ଲୀ: ନିମ୍ନ ମଧ୍ୟବିତ୍ତ, ମଧ୍ୟବିତ୍ତ ବହୁଳ ଭାରତରେ ଲୋକେ କେଉଁଥିରେ ଯାତ୍ରା କରିବାକୁ ପସନ୍ଦ କରନ୍ତି? ବିଳାସପୂର୍ଣ୍ଣ ଏସି ଟ୍ରେନ୍ରେ ନା ବିମାନରେ? କେନ୍ଦ୍ର ସରକାରଙ୍କ ତଥ୍ୟାନୁଯାୟୀ ଭାରତୀୟମାନେ ଏସି ଟ୍ରେନ୍ ତୁଳନାରେ ବିମାନରେ ଯିବା ପାଇଁ ଅଧିକ ପସନ୍ଦ କରନ୍ତି। ସରକାରୀ ସୂଚନା ଅନୁଯାୟୀ, ଗତ ତିନି ବର୍ଷ ମଧ୍ୟରେ ଭାରତରେ ବିମାନ ଯାତ୍ରା ୧୮ ରୁ ୨୦ ପ୍ରତିଶତ ହାରରେ ବୃଦ୍ଧି ପାଇଛି। ଆଗାମୀ ୧୫ ରୁ ୨୦ ବର୍ଷ ଭିତରେ ଏହି ସଂଖ୍ୟାକୁ ପାଞ୍ଚଗୁଣ ବୃଦ୍ଧି କରିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଯୋଜନା କରିଛି। ଏବେ ଦୈନିକ ୫୫୦ ବିମାନ ଭାରତୀୟ ଆକାଶରେ ଚଳାଚଳ କରୁଥିବାବେଳେ ଏହାକୁ ୧୦୦୦କୁ ବୃଦ୍ଧି କରିବା ପାଇଁ ଯୋଜନା କରାଯାଇଛି। ଲୋକଙ୍କ ଚାହିଦା ଓ ପସନ୍ଦକୁ ଦୃଷ୍ଟିରେ ରଖି ଦୁର୍ଗମ ଅଞ୍ଚଳକୁ ବିମାନ ଚଳାଚଳ ଆରମ୍ଭ କରିବାକୁ କେନ୍ଦ୍ର ସରକାର ଉଡାନ୍ ନାମରେ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି।