ସରିଲା ଅଖନିର୍ମାଣ
ପୁରୀ : ପରମ୍ପରା ଅନୁଯାୟୀ ଅକ୍ଷୟତୃତୀୟାଠାରୁ ଶ୍ରୀନଅର ସମ୍ମୁଖରେ ଆରମ୍ଭ ହୋଇଛି ତିନି ରଥ ନିର୍ମାଣ କାର୍ଯ୍ୟ। ରବିବାର ସୁଦ୍ଧା ତିନି ରଥର ୨୧ ଅଖ ନିର୍ମାଣ ଶେଷ ହୋଇଛି। ୪୨ ଚକରେ ଏହି ଅଖ ସଂଯୋଗ କରାଯିବ। ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ୧୬ ଚକ ପାଇଁ ୮ଅଖ, ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥର ୧୪ଟି ଚକ ପାଇଁ ୭ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ୧୨ଟି ଚକ ପାଇଁ ୬ଟି ଅଖ ସଂଯୋଗ ହେବ। ଶନିବାରଠାରୁ ଦଣ୍ଡା କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମେ ୫ଦଣ୍ଡା କାର୍ଯ୍ୟ ଶେଷହେଲେ ପାର୍ଶ୍ବରେ ଲାଗିବା ପାଇଁ ୪ଦଣ୍ଡା କାର୍ଯ୍ୟ କରାଯିବ। ଧଉଁରା ଓ ସାହାଜ କାଠରେ ଏହି ଦଣ୍ଡା ନିର୍ମାଣ କରାଯାଉଛି। ଏବେ ପାର୍ଶ୍ବ ମୁହାଣ୍ଟରେ ଖୋଦେଇ କାର୍ଯ୍ୟ ଚାଲିଛି। ଶ୍ରୀଜଗନ୍ନାଥଙ୍କ ରଥ ପାଇଁ ୪୦ଫୁଟିଆ ୯ଖଣ୍ଡ କାଠରେ ବିଶ୍ୱକର୍ମମାନେ କଟା କାର୍ଯ୍ୟ କରୁଛନ୍ତିି। ସେହିପରି ବଳଭଦ୍ରଙ୍କ ରଥପାଇଁ ୯ଟିରୁ ୫ଦଣ୍ଡା ହଣା ଚାଲିଛି। ଅନ୍ୟ ୪ଟିର କାର୍ଯ୍ୟ ରବିବାରଠାରୁ ଆରମ୍ଭ ହୋଇଛି। ସୁଭଦ୍ରାଙ୍କ ରଥପାଇଁ ଦଣ୍ଡା ନିର୍ମାଣ ଲାଗି କାଠ କଟାଯାଉଛି। ଏହାସହ ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ୱଜ ରଥର ୧୪ନାହାକା ପାଇଁ କାଠ କଟାଯାଉଛି। ନନ୍ଦିଘୋଷର ୧୦ଟି କାଠ ମଧ୍ୟରୁ ୪ଟିର କାର୍ଯ୍ୟ ଶେଷ ହୋଇଛି। ଚାରି ନାହାକା ଚତୁଃପାର୍ଶ୍ବରେ ବୁଲିବ ୧୪ ନାହାକା। ଦଣ୍ଡା ନିର୍ମାଣ ସରିଲେ ତିନି ରଥର ଫ୍ରେମ୍ ପଡିବ। ୫ଟି ମୁଖ୍ୟ ଦଣ୍ଡାକୁ ମାପଚୁପ କରାଯିବ। ସେଥିରେ ଦୁଇପାର୍ଶ୍ବରେ ୨ଟି ଲେଖାଏଁ ମୁହାଣ୍ଟ ସଂଯୋଗ କରାଯିବ। ୩ଟି ଜଳଯନ୍ତ୍ର ଓ ୨ଟି ଗୁଜ ଖୁଣ୍ଟଭଳି ଦିଆଯାଇ ତା’ଉପରେ ନିରାଡି ସଂଯୋଗ କରାଯିବ। ଏହାପରେ ପାର୍ଶ୍ବରେ ଆଉ ୨ଗୋଟି ଦଣ୍ଡା ଲଗାଯିବ। ପରେ ସେଗୁଡିକୁ ଚିହ୍ନଟ କରାଯାଇ ସେସବୁକୁ ଖୋଲି ଦିଆଯିବ। ଚିହ୍ନଟ ହୋଇଥିôବା ଦଣ୍ଡା ସେହି ଅନୁସାରେ ରଥରେ ଖଞ୍ଜାଯିବ।
ତାଳଧ୍ୱଜ ରଥର ଜଳଯନ୍ତ୍ର କାମ ଜାରି ରହିଛି। ଜଳଯନ୍ତ୍ରରେ ପାର୍ଶ୍ୱ ଦେବଦେବୀଙ୍କୁ ସ୍ଥାପନ କରାଯାଏ। ତାଳଧ୍ୱଜ ଓ ନନ୍ଦିଘୋଷ ରଥପାଇଁ ୧୯ଟି ଲେଖାଏଁ ଓ ଦେବଦଳନ ରଥପାଇଁ ୧୫ଟି ଜଳଯନ୍ତ୍ର ଏବଂ ଗୁଜ ଲାଗିଥାଏ। ଗୁଜରେ ମୂର୍ତ୍ତି ଖୋଦେଇ କାମରେ ବ୍ୟସ୍ତ ଅଛନ୍ତି ରୂପକାର ସେବାୟତ। ତିନି ରଥ ପାଇଁ ଯୋଖା କାମ ଜାରି ରହିଛି। ନନ୍ଦିଘୋଷ ରଥର ୧୬ଟି କୋଣରେ ୧୬ଟି ଯୋଖା ଲଗାଯିବ। ନାହାକା, ଗୁଜ, କୁଡୁକା, ଓରା ଓ ଖମ୍ବି ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଦୋଳବେଦୀ କୋଣରେ କମାର ସେବକ କଣ୍ଟାକବ୍ଜା ନିର୍ମାଣ କରୁଛନ୍ତି। ଏବେ ପୋଖରିଆ କଣ୍ଟା ସହ ଦଣ୍ଡା କଣ୍ଟା ଓ ଗୟଳ କଣ୍ଟା ନିର୍ମାଣ ଚାଲିଛି। ଏହା ତୁମ୍ବ ଭିତରେ ଅଖ ଓ ଦଣ୍ଡା ସଂଯୋଗ ପାଇଁ ବାଡିଆ ହେବ। ମହାରଣାଙ୍କ ଦ୍ୱାରା ବିନ୍ଧ କାର୍ଯ୍ୟ ଚାଲିଛି। ମୁହାଣ୍ଟ, ଚଉତା ବିନ୍ଧ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନାଟଗୁଡୁ ଓ ପଟାଗୁଜ ପାଇଁ କାମ ଆରମ୍ଭ ହୋଇଛି।