୧୪ ଲେନ୍ ବିଶିଷ୍ଟ ଦିଲ୍ଲୀ-ମିରଟ ଏକ୍ସପ୍ରେସୱେ ଉଦ୍ଘାଟନ ଆଜି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅର୍ଥାତ ରବିବାର ନୂଆଦିଲ୍ଲୀ-ମିରଟ ଏକ୍ସପ୍ରେସୱେ ରାଜପଥକୁ ଉଦ୍ଘାଟନ କରିବେ। ଦିଲ୍ଲୀର ନିଜାମୁଦ୍ଦିନ ପୋଲରୁ ଉତ୍ତର ପ୍ରଦେଶ ସୀମା ପର୍ୟ୍ୟନ୍ତ ଏହି ରାଜପଥ ନିର୍ମାଣ କରାଯାଇଛି। ମୋଦି ଖୋଲା ଜିପ୍ରେ ଏହି ରାଜପଥ ଉପରେ ଯାତାୟାତ କରିବା ସହ ଉପସ୍ଥିତ ଜନତାଙ୍କୁ ଅଭିବାଦନ ଜଣାଇବେ। ୮.୩୬୦ କିମି ଦୈର୍ଘ୍ୟ ବିଶିଷ୍ଟ ଏହି ରାଜପଥ ରେକର୍ଡ ୧୮ ମାସ ମଧ୍ୟରେ ନିର୍ମିତ ହୋଇଛି। ଏହି ୧୪ ଲେନ୍ ବିଶିଷ୍ଟ ସଡକ ନିର୍ମାଣରେ ୮୪୧.୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ମୁଖ୍ୟ ସଡକ (ଏକ୍ସପ୍ରେସୱେ) ୬ ଲେନ ବିଶିଷ୍ଟ ହୋଇଥିବାବେଳେ ୪+୪ ସର୍ଭିସ ଲେନ୍ ଏହାକୁ ସଂଯୋଗ କରୁଛି। ୧୪ ଲେନ ବିଶିଷ୍ଟ ସଡକ ନିର୍ମିତ ହେବାରେ ଏହା ହେଉଛି ଦେଶରେ ପ୍ରଥମ। ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ଏହି ସଡକର ଉଭୟ ପାର୍ଶ୍ବରେ ୨.୫ ମିଟର ଚଉଡାର ସାଇକଲ ଟ୍ରାକ୍ ସମେତ ଯମୁନା ନଦୀ ପୋଲ ଉପରେ ଏକ ବଗିଚା, ସୌରଶକ୍ତି ଚାଳିତ ଆଲୋକ ବ୍ୟବସ୍ଥା କରାଯାଇଛି। ଦିଲ୍ଲୀରୁ ମିରଟ ଓ ଉତ୍ତର ପ୍ରଦେଶ/ଉତ୍ତରାଖଣ୍ଡର ଅନ୍ୟାନ୍ୟ ସ୍ଥାନ ପର୍ୟ୍ୟନ୍ତ ଯୋଗାଯୋଗ ବ୍ୟବସ୍ଥାକୁ ଉନ୍ନତ କରିବା ଳକ୍ଷ୍ୟରେ ଏହି ସଡକ ନିର୍ମାଣ କରାଯାଇଛି। ସାମଗ୍ରିକ ଯୋଜନା ଅନୁଯାୟୀ ଏହି ଦିଲ୍ଲୀ-ମିରଟ ଏକ୍ସପ୍ରେସୱେ ପ୍ରକଳ୍ପ ମୋଟ ୮୨ କିମି ଦୈର୍ଘ୍ୟ ବିଶିଷ୍ଟ ହେବ। ଏଥିପାଇଁ ମୋଟ ୪୯୭୫.୧୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହି ପ୍ରକଳ୍ପ ଶେଷ ହେଲେ ଦିଲ୍ଲୀ-ମିରଟ ମଧ୍ୟରେ ୯୮.୬ କିମି ଦୂରତ୍ୱକୁ ମାତ୍ର ଏକ ଘଣ୍ଟାରେ ଅତିକ୍ରମ କରିହେବ।