‘ଦଳ ଓ ମୋ ପାଇଁ ଭାରତ ସର୍ବଦା ପ୍ରଥମ’

0

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ସରକାର ମେ ୨୬ତାରିଖ, ଶନିବାର ପ୍ରଥମ ପାଳିର ଚତୁର୍ଥ ବର୍ଷ ପୂରଣ କରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଏକାଧିକ ଟ୍ୱିଟ୍‍ ଜରିଆରେ ନିଜ ସରକାରର ସଫଳତା ବର୍ଣ୍ଣନା କରିଛନ୍ତି। ‘ତାଙ୍କ ପାଇଁ ଓ ତାଙ୍କ ଦଳ ପାଇଁ ଭାରତ ସର୍ବଦା ପ୍ରଥମ’ ବୋଲି ସେ ଉଲ୍ଲେଖ କରିଛନ୍ତି। ଗତ ଚାରି ବର୍ଷର ବିକାଶଧାରା ଏକ ‘ଜନ ଆନ୍ଦୋଳନ’ରେ ପରିଣତ ହୋଇଛି। ଭାରତର ବିକାଶରେ ପ୍ରତ୍ୟେକ ନାଗରିକ ନିଜର ଅବଦାନ ରଖୁଥିବାର ଅନୁଭବ କରୁଛନ୍ତି। ୧୨୫ କୋଟି ଦେଶବାସୀ ବିକାଶଧାରାକୁ ଶୀର୍ଷକୁ ଉତ୍ଥିତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ତିନି ମିନିଟ୍‍ର ଏକ ଭିଡିଓ ଟ୍ୱିଟ୍‍ କରିଛନ୍ତି; ଯେଉଁଥିରେ ତାଙ୍କ ସରକାରର ସଫଳତା ବର୍ଣ୍ଣନା କରାଯାଇଛି। ଏହାଛଡ଼ା ଶେଷ ବର୍ଷ ପାଇଁ ନୂଆ ସ୍ଲୋଗାନ୍‍ ‘ସାଫ୍‍ ନିୟତ, ସହି ବିକାଶ’(ସ୍ପଷ୍ଟ ଉଦ୍ଦେଶ୍ୟ, ସଠିକ୍‍ ବିକାଶ) ଉଲ୍ଲେଖ କରିବା ସହ ‘ନୂଆ ଭାରତ’ ଗଠନ ପାଇଁ ସର୍ବଶ୍ରେଷ୍ଠ ଆଗ୍ରହ ଓ ସମ୍ପୂର୍ଣ୍ଣ ସାଧୁତା ସହିତ ଦୂରଦୃଷ୍ଟି ସମ୍ପନ୍ନ ଜନାଭିମୁଖୀ କାର୍ୟ୍ୟକ୍ରମ ଗ୍ରହଣ କରାଯାଉଛି। ଏହା ଦ୍ୱାରା ସରକାରଙ୍କ ପ୍ରତି ଲୋକଙ୍କ ଭରାସ ବୃଦ୍ଧି ପାଉଥିବା ସେ ଦର୍ଶାଇଛନ୍ତି। ଏହାଛଡ଼ା ୨୦୧୪ର ‘ଅବ୍‍ କି ବାର୍‍ ମୋଦି ସରକାର’ ଶୈଳୀରେ ‘୨୦୧୯ରେ ପୁନର୍ବାର ମୋଦି ସରକାର’ ଭଳି ନୂଆ ସ୍ଲୋଗାନ୍‍ ମଧ୍ୟ ଜାରି କରିଛନ୍ତି। ଏଥିସହିତ ସେ ମେ ୨୬ଠାରୁ ଜୁନ୍‍ ୧୧ ପର୍ୟ୍ୟନ୍ତ ସରକାରଙ୍କ ସଫଳତା ଅଭିଯାନ ଆରମ୍ଭ କରିଛନ୍ତି। ଦଳର ସମସ୍ତ ମନ୍ତ୍ରୀ ଓ ବରିଷ୍ଠ ନେତାମାନେ ଦେଶ ତମାମ ବୁଲି ଲୋକଙ୍କୁ ସଫଳତା ଓ ଆଗକୁ ଥିବା କାର୍ୟ୍ୟକ୍ରମ ସମ୍ପର୍କରେ ଅବଗତ କରିବେ ବୋଲି ସେ ଟ୍ବିଟ୍‌ କରିଛନ୍ତି।

Leave A Reply