ମୋଦି-ଶାହା ଯୋଡ଼ି ଦେଶ ପାଇଁ ବିପଜ୍ଜନକ: କଂଗ୍ରେସ

0

ନୂଆଦିଲ୍ଲୀ,୨୬ା୫: ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କ ଯୋଡ଼ି ଦେଶ ପାଇଁ କ୍ଷତିକାରକ ଓ ବିପଜ୍ଜନକ। ମୋଦି ସରକାର ଦେଶ ଓ ଜନତାଙ୍କ ପ୍ରତି ବିଶ୍ୱାସଘାତକତା କରିଥିବା ଲୋକେ ଅନୁଭବ କଲେଣି। ଗତ ଚାରି ବର୍ଷର ମୋଦି ସରକାର କେବଳ ପ୍ରତିଶୋଧ ପରାୟଣତା, ମିଛ, ଧୋକାବାଜି ଓ ବାକ୍‍ଚାତୁରୀରେ ପରିପୂର୍ଣ୍ଣ। ଏଭଳି ଅଭିଯୋଗ କରିଛି କଂଗ୍ରେସ। ଦେଶରେ ଏବେ କୁଶାସନ ଚାଲିଥିବା କଂଗ୍ରେସ ନେତାମାନେ ଅଭିଯୋଗ କରିଛନ୍ତି। ଏଥିସହିତ ଏନ୍‍ଡିଏ ସରକାରର ବିଫଳତା ସେମାନେ ବର୍ଣ୍ଣନା କରିଛନ୍ତି।
ଏନ୍‍ଡିଏ ସରକାରର ଚାରି ବର୍ଷ ପୂର୍ତ୍ତି ଦିବସକୁ ଶନିବାର କଂଗ୍ରେସ ପକ୍ଷରୁ ବିଶ୍ୱାସଘାତ ଦିବସ ପାଳନ କରାଯାଉଥିବା ଅବସରରେ ଦଳର ବରିଷ୍ଠ ନେତା ଗୁଲାମନବି ଆଜାଦ, ଅଶୋକ ଗେହଲଟ, ରଣଦୀପ ସୂର୍ୟ୍ୟେୱାଲା ଓ ମହିଳା କଂଗ୍ରେସ ସଭାନେତ୍ରୀ ସୁସ୍ମିତା ଦେବଙ୍କ ଦ୍ୱାରା ସର୍ବଭାରତୀୟ କଂଗ୍ରେସ କାର୍ୟ୍ୟାଳୟଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଦଳ ପକ୍ଷରୁ ‘ଇଣ୍ଡିଆ ବଟ୍ରେଡ୍‍’(ଭାରତ ଧୋକାର ଶିକାର) ନାମକ ପୁସ୍ତିକା ଉନ୍ମୋଚନ କରାଯାଇଥିଲା। ମୋଦିଙ୍କ ଶାସନରେ ଦେଶବାସୀ ଅସୁରକ୍ଷିତ ମନେ କରୁଛନ୍ତି; ସବୁ ଦିଗରେ ହିଂସା ଓ ବିଦ୍ୱେଷର ବାତାବରଣ ସୃଷ୍ଟି ହୋଇଛି। ସେଥିପାଇଁ ଲୋକେ ନିଦ୍ରାହୀନ ରାତି ବିତାଉଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ। ଦଳିତ, ଆଦିବାସୀ, ସଂଖ୍ୟାଲଘୁ, ମହିଳାଙ୍କ ଉପରେ ନିର୍ୟାତନା ବୃଦ୍ଧି ପାଇଥିବାବେଳେ ଦେଶରେ କେହି ହେଲେ ସୁରକ୍ଷିତ ନଥିବା ସେମାନେ ଦର୍ଶାଇଥିଲେ। ଇଂରାଜୀ ଓ ହିନ୍ଦୀରେ ମୁଦ୍ରିତ ଏହି ପୁସ୍ତିିକାରେ ପ୍ରଧାନମନ୍ତ୍ରୀଙ୍କୁ ୪୦ଟି ପ୍ରଶ୍ନ ପଚରାଯାଇଛି। ଏହାଛଡ଼ା ଦେଶର ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଏକ କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟ ଉନ୍ମୋଚନ କରାଯାଇଥିଲା। ଯୁବକଂଗ୍ରେସ ସଭାପତି କେଶବ ଯାଦବ ଏହି ସରକାର ଅମଳରେ ଯୁବଗୋଷ୍ଠୀଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇଯାଇଥିବା ଅଭିଯୋଗ କରିଥିଲେ।

Leave A Reply