୪୮ ଘଣ୍ଟାରେ ଲଘୁଚାପ

0

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ଗଜପତି, ରାୟଗଡ଼ା, ସୁନ୍ଦରଗଡ଼, କୋରାପୁଟ ଓ ଗଞ୍ଜାମର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଘଡ଼ଘଡ଼ି ସମୟରେ ବାହାରକୁ ନ ଯିବା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କତା ଜାରି କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଗୁରୁଣ୍ଡିଆ, ଜୟପୁର, ମୋହନା ପ୍ରଭୃତି ଅଞ୍ଚଳରେ ୧ରୁ ୨ ସେମି ବର୍ଷା ହୋଇଛି। କୋରାପୁଟର ଲମତାପୁଟରେ ଶନିବାର ଅପରାହ୍ଣରେ କୁଆପଥର ବୃଷ୍ଟି ଏବଂ ଘଡ଼ଘଡ଼ି ସହ ବର୍ଷା ହୋଇଥିବା ଖବର ମିଳିଛି।
ପଶ୍ଚିମ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଥିବାବେଳେ ଉପକୂଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ପାରଦ ୩୫ରୁ ୩୭ ଡିଗ୍ରୀ ମଧ୍ୟରେ ରହୁଥିଲେ ବି ଅସହ୍ୟ ଗୁଳୁଗୁଳି ପରିସ୍ଥିତିକୁ ଅସମ୍ଭାଳ କରିଦେଇଛି। ବାୟୁରେ ଆର୍ଦ୍ରତା ଅଧିକ ରହୁଥିବାରୁ ଗୁଳୁଗୁଳି ଅନୁଭୂତ ହେଉଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଶନିବାର ରାଜ୍ୟର ୬ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଟିଟିଲାଗଡ଼ ୪୩ ଡିଗ୍ରୀ ସହିତ ସବୁଠୁ ଉତ୍ତପ୍ତ ରହିଛି। ମାଲକାନଗିରି ଓ ବଲାଙ୍ଗୀରରେ ତାପମାତ୍ରା ୪୨ ଡିଗ୍ରୀ ରହିଛି। ଭବାନୀପାଟଣାରେ ୪୧.୨ ଡିଗ୍ରୀ, ସମ୍ବଲପୁରରେ ୪୦.୨ ଓ ସୋନପୁରରେ ୪୦.୬ ଡିଗ୍ରୀ ତାପମାତ୍ରା ରହିଛି। ଆସନ୍ତା ୨୮ ତାରିଖ ବେଳକୁ ପୂର୍ବ କେନ୍ଦ୍ର ବଙ୍ଗୋପସାଗର ଲଘୁଚାପ ସୃଷ୍ଟି ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply