ଓସିଏ ପକ୍ଷରୁ ପ୍ରଶିକ୍ଷକ ଓ ମନୋନୟନକାରୀଙ୍କ ନାମ ଘୋଷଣା

0

କଟକ :  ଓଡ଼ିଶା କ୍ରିକେଟ ଆସୋସିଏସନ୍‍ (ଓସିଏ) ୨୦୧୮-୧୯ ଘରୋଇ ସିଜିନ୍‍ ଲାଗି ବିଭିନ୍ନ ଦଳର ପ୍ରଶିକ୍ଷକ, ମନୋନୟନକାରୀ ଓ ସପୋର୍ଟ ଷ୍ଟାଫ୍‍ଙ୍କ ନାମ ଶନିବାର ବିଧିବଦ୍ଧ ଭାବେ ଘୋଷଣା କରିଛି। ଦିନକ ତଳେ ‘ସମାଜ’ରେ ପ୍ରକାଶିତ ଖବର ଅନୁସାରେ ଗୋଟିଏ ବର୍ଷର ବ୍ୟବଧାନ ପରେ ରାଜ୍ୟର ପ୍ରଥମ ଆନ୍ତର୍ଜାତିକ କ୍ରିକେଟର ଦେବାଶିଷ ମହାନ୍ତି ଓଡ଼ିଶା ରଣଜୀ ଟ୍ରଫି ଦଳର ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ପୂର୍ବତନ ଟେଷ୍ଟ ଓପ୍‍ନର ଶିବସୁନ୍ଦର ଦାସଙ୍କ ସ୍ଥାନରେ ଦେବାଶିଷଙ୍କୁ ରଣଜୀ ଦଳର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ୱ ମିଳିଛି। ପୂର୍ବରୁ କ୍ରମାଗତ ୬ ବର୍ଷ ପୂର୍ବତନ ଭାରତୀୟ ପେସ୍‍ ବୋଲର ଦେବାଶିଷ ଓଡ଼ିଶା ରଣଜୀ ଟ୍ରଫି ଦଳର ପ୍ରଶିକ୍ଷକ ଦାୟିତ୍ୱ ନିର୍ବାହ କରି ସାରିଛନ୍ତି।
ଓଡ଼ିଶାର ପୂର୍ବତନ ରଣଜୀ ଟ୍ରଫି ଅଧିନାୟକ ନିରଞ୍ଜନ ବେହେରା ଓଡ଼ିଶା ୧୯ ବର୍ଷରୁ କମ୍‍ କ୍ରିକେଟ ଦଳର ନୂତନ ପ୍ରଶିକ୍ଷକ ଦାୟିତ୍ୱ ପାଇଛନ୍ତି। ଗତବର୍ଷ ପୂର୍ବତନ ଭାରତୀୟ ରେଳବାଇ ଅଫ୍‍ସ୍ପିନର କୁଳମଣି ପରିଡ଼ା ୧୯ ବର୍ଷରୁ କମ୍‍ ଦଳର ପ୍ରଶିକ୍ଷକ ଥିଲେ। ସିଜିନ୍‍ ଅଧାରୁ କୁଳମଣି ଦାୟିତ୍ୱରୁ ଓହରିଯିବାରୁ ପୂର୍ବତନ ରଣଜୀ ସ୍ପିନର ସୌରଭ ସୈଗଲ ପ୍ରଶିକ୍ଷକ ଦାୟିତ୍ୱରେ ଥିଲେ।  ଓଡ଼ିଶା ୨୩ ବର୍ଷରୁ କମ୍‍ ଦଳର ପ୍ରଶିକ୍ଷକ ଭାବେ ସୁରେଶ କୁମାର ସ୍ଥାନ ବଜାୟ ରଖିଛନ୍ତି। ତେବେ ଓଡ଼ିଶା ୧୬ ବର୍ଷରୁ କମ୍‍ ଦଳର ପ୍ରଶିକ୍ଷକ ବଦଳିଛନ୍ତି। ଗତ କିଛିବର୍ଷ ହେଲା ପୂର୍ବତନ ରଣଜୀ ଓପ୍‍ନର ସୁବ୍ରତ ବେହେରାଙ୍କ ସ୍ଥାନରେ କେ.ଭି. ପ୍ରସାଦ ୧୬ ବର୍ଷରୁ କମ୍‍ ଦଳର ପ୍ରଶିକ୍ଷକ ହୋଇଛନ୍ତି। ରଶ୍ମିତା ମହାନ୍ତି ସିନିୟର ମହିଳା ଓ ୨୩ ବର୍ଷରୁ କମ୍‍ ମହିଳା ଦଳର ପ୍ରଶିକ୍ଷକ ଦାୟିତ୍ୱ ବଜାୟ ରଖିଥିବା ବେଳେ ଇତିଶ୍ରୀ ପଟ୍ଟନାୟକ ୧୯ ବର୍ଷରୁ କମ୍‍ ମହିଳା ଦଳର କୋଚ୍‍ ରହିଛନ୍ତି।
ସିନିୟର (ରଣଜୀ ଓ ୨୩ ବର୍ଷରୁ କମ୍‍) ମନୋନୟନ କମିଟିରେ ୨ଟି ପରିବର୍ତ୍ତନ କରାଯାଇଛି। ଅବକାଶ ଖଟୁଆ ଓ ଧୀରେନ୍ଦ୍ର ରାଉତଙ୍କ ସ୍ଥାନରେ ରଶ୍ମିରଞ୍ଜନ ପରିଡ଼ା ଓ ରାକେଶ ମହାନ୍ତିଙ୍କୁ ସାମିଲ କରାଯାଇଛି। କମିଟିରେ ଥିବା ଅନ୍ୟ ସଦସ୍ୟମାନେ ହେଲେ ବିଷ୍ଣୁଦେବ ମହାନ୍ତି (ଅଧ୍ୟକ୍ଷ) ଓ ଶୁଭାଶିଷ ଭୂୟାଁ। ଜୁନିୟର (୧୯ ଓ ୧୬ ବର୍ଷରୁ କମ୍‍) ମନୋନୟନ କମିଟିରେ ମଧ୍ୟ ୨ଟି ପରିବର୍ତ୍ତନ କରାଯାଇ ରାକେଶ ମହାନ୍ତି ଓ ଜଗଦ୍ଦୀଶ ଚନ୍ଦ୍ର ରାଉତରାୟଙ୍କ ସ୍ଥାନରେ ସୁବ୍ରତ ବେହେରା ଓ ଜଗନ୍ନାଥ ଦାସଙ୍କୁ ସ୍ଥାନ ମିଳିଛି। କମିଟିର ଅନ୍ୟ ସଦସ୍ୟ ହେଲେ ଦୀପକ ମଙ୍ଗରାଜ (ଅଧ୍ୟକ୍ଷ), ସୁବାସ ମହାନ୍ତି ଓ ଶୋଭନ ଦେବ। ମହିଳା ମନୋନୟନ କମିଟିରୁ ସନ୍ତୋଷ ଦାସ ଓ ଅଙ୍କିତା ଦାସଙ୍କ ସ୍ଥାନରେ ଧୀରେନ୍ଦ୍ର ରାଉତ ଓ ଗୀତା ସାମନ୍ତରାୟଙ୍କୁ ସାମିଲ କରାଯାଇଛି। ଏହି କମିଟିରେ ଥିବା ଅନ୍ୟ ସଦସ୍ୟ ହେଲେ ବିଧାନ ଚନ୍ଦ୍ର ରାଉତ (ଅଧ୍ୟକ୍ଷ), ଅରୁଣ ନାୟକ ଓ ସୁଧାଂଶୁବାଳା ସାହୁ। ଓଡ଼ିଶା କ୍ରିକେଟ ଏକାଡେମୀର ପ୍ରଶିକ୍ଷଣ ଷ୍ଟାଫ୍‍ରେ ପରିବର୍ତ୍ତନ କରାଯାଇଛି। ଶିବସୁନ୍ଦର ଦାସ ପୁଣିଥରେ ଏକାଡେମୀର ବୈଷୟିକ ନିର୍ଦେଶକ ଦାୟିତ୍ୱ ପାଇଛନ୍ତି। ମାନସ ରାୟ ଓ ରଶ୍ମିରଞ୍ଜନ ଦାସ ପ୍ରଶିକ୍ଷକ ଭାବେ ଥିବା ବେଳେ ସହକାରୀ ପ୍ରଶିକ୍ଷକ ଅଛନ୍ତି ହୃଷିକେଶ ବାଙ୍ଗାରୀ, କଳିଙ୍ଗ ଦାସ ଓ ପ୍ରଭାତ ନାୟକ। ଅବିନାଶ ଦାସ ଫିଜିଓ ଓ ମହେଶ ମଲ୍ଲ ଟ୍ରେନର ଦାୟିତ୍ୱ ବଜାୟ ରଖିଛନ୍ତି।
ବିଭିନ୍ନ ଦଳର ଟ୍ରେନର ଭାବେ ଅଧିକାଂଶ ସେମାନଙ୍କ ଦାୟିତ୍ୱ ବଜାୟ ରଖିଛନ୍ତି। ସେମାନେ ହେଲେ ମନୋଜ ବିଶ୍ୱାଳ (ରଣଜୀ), ପୂର୍ଣ୍ଣେନ୍ଦୁ ଜେନା (୨୩ ବର୍ଷରୁ କମ୍‍), ଜଗତ ରଞ୍ଜନ ଦାସ (୧୯ ବର୍ଷରୁ କମ୍‍), ସୌର୍ଯ୍ୟରଞ୍ଜନ ରାୟ (୧୬ ବର୍ଷରୁ କମ୍‍), ଶ୍ୱେତା ସାମନ୍ତରାୟ (ମହିଳା)। ବିଭିନ୍ନ ଦଳର ଫିଜିଓ ତାଲିକାରେ ମଧ୍ୟ ପରିବର୍ତ୍ତନ ହୋଇନାହିଁ। ବିଭିନ୍ନ ଫିଜିଓ ହେଲେ ଶୁଭକାନ୍ତ ସାହୁ (ରଣଜୀ), ବିଶ୍ୱଜିତ ମହାପାତ୍ର (୨୩ ବର୍ଷରୁ କମ୍‍), ସୋମୁ ମଲ୍ଲିକ (୧୯ ବର୍ଷରୁ କମ୍‍), ଦିନେଶ ସାହୁ (୧୬ ବର୍ଷରୁ କମ୍‍), ଅପର୍ଣ୍ଣା ମିଶ୍ର (ସିନିୟର ମହିଳା) ଏବଂ ବିଦ୍ୟୁତ୍‍ପ୍ରଭା ଦାସ (ଜୁନିୟର ମହିଳା)। ପଙ୍କଜ ପଟ୍ଟନାୟକ କ୍ୟୁରେଟର, ଡାନିଏଲ୍‍ ରାଉତ ସଂଯୋଜକ ଓ ଅଞ୍ଜନ କୁମାର ଖୁଣ୍ଟିଆ ମିଡିଆ ମ୍ୟାନେଜର ପଦ ବଜାୟ ରଖିଛନ୍ତି।

Leave A Reply