ନୂଆଦିଲ୍ଲୀ: ଏନସିପି ମୁଖ୍ୟ ଶରଦ ପୱାରଙ୍କ ପୁତୁରା ଅଜିତ ପୱାରଙ୍କ ପାଇଁ ଅଡୁଆ ବଢ଼ିବାରେ। ତାଙ୍କ ନାମରେ ଏକାଧିକ ଦୁର୍ନୀତି ମାମଲା ରହିଥିବାବେଳେ କୌଣସି ମାମଲା ପ୍ରତ୍ୟାହାର ହୋଇ ନ ଥିବା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମନ୍ତବ୍ୟ ଦେବା ପରେ ଅଜିତଙ୍କ ପାଇଁ ସମସ୍ୟା ବଢ଼ିବାରେ ବୋଲି ଆଶଙ୍କା ଉପୁଜିଛି। ରାଜ୍ୟ ପୁଲିସ କିମ୍ବା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା, ଯେଉଁମାନେ ମାମଲାଗୁଡ଼ିକର ତଦନ୍ତ କରୁଛନ୍ତି ସେମାନେ ତଦନ୍ତ ଜାରି ରଖିବେ ବୋଲି ଶାହ ସଙ୍କେତ ଦେଇଛନ୍ତି।
ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅଜିତ ପୱାର, ଶରଦ ପୱାର ଏବଂ ତାଙ୍କର ଅନେକ ସହଯୋଗୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାର ତଦନ୍ତ ଚାଲିଛି। ଏମାନଙ୍କୁ ପଚରାଉଚରା ପାଇଁ ଖୁବ୍ଶୀଘ୍ର ସମନ ଜାରି କରାଯାଇପାରେ। ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଜାରି ରହିଥିବାବେଳେ ଗତ ଶନିବାର ଅଜିତ ପୱାର ଯେତେବେଳେ ବିଜେପିକୁ ସମର୍ଥନ କରି ସରକାର ଗଢ଼ିବାରେ ସହଯୋଗ କରିଥିଲେ ସେତେବେଳେ ଚର୍ଚ୍ଚା ଜୋର ଧରିଥିଲା ଯେ ତାଙ୍କ ନାମରେ ରହିଥିବା ଏକାଧିକ ମାମଲା ପ୍ରତ୍ୟାହାର କରାଯାଇପାରେ। ଏସବୁ ମାମଲା ଭିତରେ ଜଳସେଚନ ବିଭାଗରେ ୭୦ ହଜାର କୋଟି ଟଙ୍କାର ଦୁର୍ନୀତି ମାମଲା ବି ରହିଛି। ୧୯୯୯ରୁ ୨୦୦୯ ମଧ୍ୟରେ ଏହି ଦୁର୍ନୀତି ହୋଇଥିବା ସାମ୍ନାକୁ ଆସିଥିଲା। ଅଭିଯୋଗର ତଦନ୍ତ ସମୟରେ ଦୁର୍ନୀତି ନିରୋଧୀ ବ୍ୟୁରୋ(ଏସିବି) ୨୦୧୮ରେ ଏହି ଦୁର୍ନୀତି ପାଇଁ ଅଜିତ ପୱାରଙ୍କୁ ଦାୟୀ କରିଥିଲା। ମହାରାଷ୍ଟ୍ର ଦୁର୍ନୀତି ନିରୋଧୀ ବ୍ୟୁରୋ ପକ୍ଷରୁ ମୁମ୍ବଇ ହାଇକୋର୍ଟରେ ବି ଏହା ଦର୍ଶାଯାଇଥିଲା। ଦୁର୍ନୀତି ଅଭିଯୋଗର ତଦନ୍ତ ସମୟରେ ଅଜିତ ପୱାରଙ୍କ ସମେତ ଅନେକ ସରକାରୀ ଅଧିକାରୀଙ୍କ ସମ୍ପୃକ୍ତି ରହିଥିବା ସାମ୍ନାକୁ ଆସିଛି।
ସେହିପରି ପ୍ରବର୍ତ୍ତନ ନିର୍ଦେଶାଳୟର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ଅଜିତ ପୱାର, ଶରଦ ପୱାର ଏବଂ ସେମାନଙ୍କର ଅନେକ ସହଯୋଗୀଙ୍କ ବିରୋଧରେ ଆର୍ଥିକ ଅନିୟମିତତା ମାମଲା ରୁଜୁ ହୋଇଛି। ଇଡି ପକ୍ଷରୁ ଶଦର ପୱାର, ତାଙ୍କ ପୁତୁରା ଅଜିତ ପୱାରଙ୍କ ବିରୋଧରେ ୨୫ ହଜାର କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ନେଇ ମାମଲା ରୁଜୁ ହୋଇଥିଲା।
ସେହିପରି ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କ ଦୁର୍ନୀତି ମାମଲାରେ ବି ଅଜିତ ପୱାର ଏବଂ ଅନ୍ୟ ପଦାଧିକାରୀଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ୨୦୦୭ ଏବଂ ୨୦୧୧ ମଧ୍ୟରେ ସମବାୟ ବ୍ୟାଙ୍କର ୧ ହଜାର କୋଟିରୁ ଅଧିକ ଟଙ୍କା କ୍ଷତି ହୋଇଥିଲା। ସରକାରୀ ଚିନି କାରଖାନା ପାଇଁ ଋଣ ପ୍ରଦାନରେ ହୋଇଥିବା ଅନିୟମିତତାରେ ଅଜିତ ଏବଂ ଅନ୍ୟମାନଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଯାଇଥିଲା।



