ଚାକିରି ଆଳ ଦେଖାଇ ବିଧବାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ
ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ବାଇଗଡ଼ିଆ ଗାଁରେ ଜଣେ ବିଧବାଙ୍କୁ ଚାକିରି ଆଳ ଦେଖାଇ ଗଣଦୁଷ୍କର୍ମ କରାଯିବା ଘଟଣା ସାଧାରଣରେ ଚାଞ୍ଚଲ୍ୟ ଖେଳି ଯାଇଛି। କିଛିମାସ ପୂର୍ବରୁ ଉକ୍ତ ଗାଁରେ ଝାଡ଼ାବାନ୍ତି ବ୍ୟାପି କୁନା ସିଂଙ୍କର ମୃତ୍ୟୁ ଘଟିଥିଲା। ବିଧବା ସ୍ତ୍ରୀ ଜଣକ ପେଟ ପୋଷିବାକୁ ଛଟପଟ ହେଉଥିବା ବେଳେ ସେହି ଗାଁର ରେଙ୍ଗ ସିଂର ପୁଅ ବାପୁନୁ (୧୯) ଆସି ତାଙ୍କୁ ଖନ୍ତାପଡ଼ାର ଏକ କାରଖାନାରେ ଚାକିରି ଯୋଗାଡ଼ କରିବା ଏବଂ ୨ଜଣ ମାଲିକ ଦେଖା କରିବାକୁ ଆସିଛନ୍ତି ବୋଲି କହି ପ୍ରଲୋଭିତ କରିଥିଲା। ଏନେଇ ବିଧବା ଜଣକ ବାପୁନୁର ଭିଣୋଇ ତପନ ସିଂ (୨୫) ଓ କୁନ୍ଥା ସିଂ (୩୨)ଙ୍କ ସହ ପରିଚିତ କରାଇ ଦେଇଥିଲା। ସମ୍ପୃକ୍ତା ବିଧବାଙ୍କୁ ଅଭିଯୁକ୍ତ ତପନ ଓ କୁନ୍ଥା ଚାକିରିରେ ଭର୍ତ୍ତି କରାଇଦେବେ କହି ରାତି ୧୦ଟାରେ ବାଇକରେ ବସାଇ ଖନ୍ତାପଡ଼ା ଆଡ଼କୁ ନେଇ ଯାଇଥିଲେ। କିନ୍ତୁ ଗଡ଼ଭଙ୍ଗପଦା ପୋଖରୀ ନିକଟରେ ଅଭିଯୁକ୍ତ ଦ୍ୱୟ ତାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ବିଧବା ଜଣକ ଯେତେ କାକୁତି ମିନତି ହୋଇଥିଲେ ହେଁ ସେମାନେ ତାଙ୍କୁ ଛାଡ଼ି ନଥିଲେ। ଏହି ସମୟରେ ସେହି ରାସ୍ତା ଦେଇ ଏକ ଟ୍ରକ ଯିବାରୁ ତାଙ୍କୁ ଅନ୍ଧାରରେ ଛାଡ଼ି ପଳାଇ ଯାଇଥିଲେ। ଏ ସମ୍ପର୍କରେ ଗାଁରେ କହିବା ପରେ ବୈଠକ ବସିଥିଲା। କିନ୍ତୁ ଅଭିଯୁକ୍ତ ଦ୍ୱୟ ସେଠାରେ ନ ଆସିବାରୁ ମଙ୍ଗଳବାର ଗାଁର ମହିଳାମାନଙ୍କୁ ନେଇ ସମ୍ପୃକ୍ତା ପୀଡ଼ିତା ନୀଳଗିରି ଥାନାରେ ଦ୍ୱାରସ୍ଥ ହୋଇଛନ୍ତି। ପୁଲିସ ପକ୍ଷରୁ ଏନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ମଙ୍ଗଳବାର ରାତି ୧୦ଟାରେ ଅଭିଯୁକ୍ତ ବାପୁନୁ ଓ ତପନକୁ ନୀଳଗିରି ପୁଲିସ ଗିରଫ କରିଥିବା ବେଳେ କୁନ୍ଥା ଫେରାର ରହିଥିବା ସୂଚନା ମିଳିଛି।
Comments are closed.