www.samajalive.in
Sunday, December 14, 2025
14.1 C
Bhubaneswar

ଜମି ଉଚ୍ଛେଦକୁ ବିରୋଧ କରି ବିଧାୟକଙ୍କ ସମେତ ଶତାଧିକ ଗିରଫ

ତାଳଚେର : ତାଳଚେର ବ୍ଲକର ଗୋପାଳ ପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଭାଲୁଗାଡ଼ିଆ ନାଏକ ସାହିର ଜମିହରା ପ୍ରଜାଙ୍କୁ ଥଇଥାନ ଓ ନିଯୁକ୍ତି ନଦେଇ ଏମସିଏଲ କର୍ତ୍ତୃପକ୍ଷ ପୁଲିସ ସହାୟତାରେ ତରବରିଆଭାବେ ମଙ୍ଗଳବାର ସକାଳୁ ଜମିି ଉଚ୍ଛେଦ ପ୍ରକିୟା ଆରମ୍ଭ କରିଥିଲେ। ଏହାକୁ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଓ ଜମିହରା ପ୍ରଜାମାନେ ତୀବ୍ର ବିରୋଧ କରି ଉଚ୍ଛେଦ କାର୍ଯ୍ୟରେ ବାଧା ଦେଇଥିଲେ। ପୁଲିସ ସେମାନଙ୍କୁ ଘଟଣାସ୍ଥଳକୁ ଚାଲିଯିବାକୁ କହିବା ସତ୍ତ୍ବେ ନଯିବାରୁ ବିଧାୟକ ଶ୍ରୀ ପ୍ରଧାନଙ୍କ ସମେତ ଶତାଧିକ ପ୍ରଜାଙ୍କୁ ଗିରଫ କରି ହିଙ୍ଗୁଳା କୋଇଲା ଖଣି ପ୍ରକଳ୍ପ କାର୍ଯ୍ୟାଳୟଠାରେ ରଖିଛିି। ଏହି ଘଟଣା ପ୍ରଚାରିତ ହେବା ମାତ୍ରେ ବିଧାୟକଙ୍କ ସମର୍ଥକ ଏବଂ କ୍ଷତିଗ୍ରସ୍ତ ପ୍ରଜାମାନେ ତାଳଚେରରେ ଥିବା ୧୦ଟି କୋଇଲା ଖଣିକୁ ବନ୍ଦ କରିଦେବା ସହିତ କୋଇଲା ଉତ୍ପାଦନ ଓ ପରିବହନ ଅଚଳକରି ଦେଇଛନ୍ତି। ତାଳଚେରର ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ବ୍ୟାଙ୍କ୍‍, ଖଣି କାର୍ଯ୍ୟାଳୟ ଓ ବିଭିନ୍ନ କଲେଜ ଇତ୍ୟାଦିକୁ ବନ୍ଦ କରିଦେଇଛନ୍ତି। ଏହାଛଡ଼ା ଆନ୍ଦୋଳନକାରୀମାନେ ବିଭିନ୍ନ ରାସ୍ତାରେ ଟାୟାରଜାଳି ରାସ୍ତା ଅବରୋଧ କରିଛନ୍ତି।
ପ୍ରକାଶ ଯେ ଭାଲୁଗାଡ଼ିଆ ଗ୍ରାମର ହରିଜନ ସାହିରେ ଜମିହରା ପ୍ରଜାଙ୍କ ଘର ଓ ଜମିକୁ ଖଣି କର୍ତ୍ତୃପକ୍ଷ ଉଚ୍ଛେଦ କରି କୋଇଲା ଉତ୍ତୋଳନ କରିବାକୁ ନିଷ୍ପତ୍ତିି ନେଇଥିବା ବେଳେ ଏଥିନେଇ କ୍ଷତିପୂରଣ ଓ ଥଇଥାନ କରିବାକୁ ଗ୍ରାମବାସୀ ବହୁ ବାର ଖଣି କର୍ତ୍ତୃପକ୍ଷଙ୍କ ନିକଟରେ ୫ବର୍ଷହେବ ଦାବି ଉପସ୍ଥାପନ କରି ଆସୁଥିଲେ। ସେମାନଙ୍କୁ ଏପର୍ଯ୍ୟନ୍ତ ଥଇଥାନ ନକରି ଏମ୍‍ସିଏଲ୍‍ କର୍ତ୍ତୃପକ୍ଷ ପୁଲିସ ପ୍ରଶାସନ ସହାୟତାରେ ଜୋର ଜବରଦସ୍ତ ବସ୍ତି ଉଚ୍ଛେଦ ଆଜି ସକାଳୁ କରୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତାଳଚେରବାସୀ ଦେଶର ବିକାଶ ଦିଗରେ ଜାତୀୟ ସ୍ୱାର୍ଥପାଇଁ ନିଜର ଭିଟାମାଟି ତଥା ବାସଗୃହକୁ ଉତ୍ସର୍ଗ କରୁଛନ୍ତି। ତେବେ ଜମିହରା ପ୍ରଜାଙ୍କ ସମସ୍ୟାର ସମାଧାନ ନକରି ପୁଲିସ ଏମସିଏଲର ହାତବାରିସି ପାଲଟିଛି ବୋଲି ବିଧାୟକ ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ଏମସିଏଲ ଯେଉଁ ଧାରାରେ ତାଳଚେର ବିସ୍ଥାପିତଙ୍କୁ ଅଣଦେଖା କରୁଛି ତାର ଉପଯୁକ୍ତ ଜବାବ ଦିଆଯିବ ବୋଲି ବିଧାୟକ ଶ୍ରୀ ପ୍ରଧାନ ଚେତାବନୀ ଦେଇଛନ୍ତି।
ମଙ୍ଗଳବାର ସନ୍ଧ୍ୟାରେ ଆନ୍ଦୋଳନକାରୀମାନେ ତାଳଚେର ବାଇପାସ୍‍ ଛକଠାରେ ଟାୟାର ଜାଳି ଜାତୀୟ ରାଜପଥକୁ ବନ୍ଦ କରିଦେଇଥିବାରୁ ଯାନବାହାନ ଚଳାଚଳ ବନ୍ଦ ହୋଇପଡ଼ିଛି। ରିପୋର୍ଟ ଲେଖାହେଲା ବେଳେକୁ ଭାଲୁଗାଡ଼ିଆ ଗ୍ରାମର ୮୦ରୁ ଊର୍ଦ୍ଧ୍ବ ପରିବାରର ଘର ଓ ଜମି ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ଏହି ଆନ୍ଦୋଳନ ତୀବ୍ରତର ହେବାର ସୂଚନା ମିଳିଛି। ଖଣି ଅଞ୍ଚଳ ପ୍ରବଳ ଉତ୍ତେଜନା ଦେଖାଦେଇଥିବାରୁ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories