ସିଧା ଜେଲ, ଅର୍ଥାତ ଆମେ ସଭ୍ୟ ସମାଜରେ ନାହେଁ : ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ : କୌଣସି ବି ଗରଫଦାରୀ ନିରପେକ୍ଷ ଏବଂ ଉଚିତ୍‍ ଆଇନଗତ ପ୍ରକ୍ରିୟାରେ ହେବା ଆବଶ୍ୟକ ବୋଲି ଏସସି/ଏସଟି ଆଇନ ମାମଲାରେ ଦେଶର ସର୍ବୋଚ୍ଚ ଆଦାଲତ ନିଜ ରାୟର ପୁନର୍ବିଚାର କରିବା ଅବସରରେ କହିଛନ୍ତି। ବୁଧବାର ବିଚାରପତି ଏ. କେ. ଗୋଏଲ ଏବଂ ୟୁ. ୟୁ. ଲଲିତଙ୍କ ଖଣ୍ଡପୀଠ ଏସ୍‍ସି/ଏସ୍‍ଟି ଅତ୍ୟାଚାର ନିରୋଧୀ ଆଇନ ନେଇ ସୁପ୍ରିମକୋର୍ଟଙ୍କ ରାୟ ଉପରେ ମଧ୍ୟବର୍ତ୍ତୀକାଳନୀ ଆଦେଶ ଦେବାକୁ ମନା କରିଦେଇଛନ୍ତି । ଅର୍ଥାତ ସୁପ୍ରିମକୋର୍ଟଙ୍କ ରାୟ ବଳବତ୍ତର ରହିବ। ଖଣ୍ଡପୀଠ କହିଛନ୍ତି ଯେ ଯେଉଁ ନିୟମ ଅଛି, ତାକୁ ଧାରା-୨୧ (ଜୀବନଧାରଣ ଅଧିକାର) ପରିସରରେ ଦେଖିବାକୁ ପଡ଼ିବ। ଏହି ଧାରାରେ ଥିବା ନାଗରିକଙ୍କ ମୌଳିକ ଅଧିକାରକୁ ବି ସୁରକ୍ଷା ଦେବାକୁ ପଡ଼ିବ। କେହି ଏହି ଅଧିକାରୁ ହ୍ରାସ୍‍ କରିପାରିବ ନାହିଁ କି ଲୋକଙ୍କୁ ବଞ୍ଚିତ କରିପାରିବ ନାହିଁ। ତେଣୁ ନିରପେକ୍ଷ ତଦନ୍ତ ପ୍ରକ୍ରିୟା ବିନା କାହାକୁ କେମିତି ଗିରଫ କରାଯାଇପାରିବ ବୋଲି ଅଦାଲତ ପ୍ରଶ୍ନ କରିଥିଲେ। ଏହାସହ ନିରପେକ୍ଷ ତଦନ୍ତ ପ୍ରକ୍ରିୟା ବିନା କୌଣସି ବ୍ୟକ୍ତିଙ୍କୁ ଗିରଫ କରାଗଲେ ଆମେ ସଭ୍ୟ ସମାଜରେ ନାହେଁ ଧରାଯିବ ବୋଲି ଖଣ୍ଡପୀଠ କହିଛନ୍ତି।
ଅପରପକ୍ଷରେ କେନ୍ଦ୍ରର ପକ୍ଷ ରଖି ଆଟର୍ଣ୍ଣି ଜେନେରାଲ କେକେ ଭେଣୁଗୋପାଳ କହିଥିଲେ ଯେ ଧାରା-୨୧ ଜବୀନ ଧାରଣ ଅଧିକାର ପରିସର ବହୁତ ବଡ଼। ଏହା ମଧ୍ୟରେ ଭୋଜନ, ରୋଜଗାର, ସ୍ୱାସ୍ଥ୍ୟ, ସ୍ୱଚ୍ଛ ପରିବେଶ ଓ ପରିମଳ ଆଦି ୨୧ଟି ଅଧିକାର ରହିଛି। ଏକ ବିକାଶଶୀଳ ଦେଶରେ ଜଣେ ନାଗରିକର ସମସ୍ତ ଅଧିକାରକୁ ସୁନିଶ୍ଚିତ କରିବା ସମ୍ଭବ ନୁହେଁ। ରୋଜଗାରର ଅଧିକାର ରହିଛି, କିନ୍ତୁ ସରକାର ରୋଜଗାର ଦେବା ପାଇଁ ପ୍ରୟାସ କରନ୍ତି। ଏଭଳି ଭାବେ ଲକ୍ଷାଧିକ ଲୋକଙ୍କ ପାଖରେ ରୋଜଗାର ମାଧ୍ୟମ ନାହିଁ ଆଉ ସମସ୍ତଙ୍କୁ ରୋଜଗାର ଦେବା ସମ୍ଭବ ନୁହେଁ। ସୁପ୍ରିମକୋର୍ଟ କହିଥିଲେ ଯେ ଅଧିକାର ବ୍ୟବହାର ସରକାର କରନ୍ତୁ, କିନ୍ତୁ କାହାଠୁ ମୌଳିକ ଅଧିକାର ଛଡ଼ାଇ ନିଆଯାଇପାରିବ ନାହିଁ। ଧାରା-୨୧ରେ ଜୀବଧ ଧାରଣ ସହ ସ୍ୱଚ୍ଛନ୍ଦତାର ଅଧିକାର ରହିଛି ଓ ଏହାକୁ କମ୍‍ କିମ୍ବା ଅଧିକ କରାଯାଇ ହେବନାହିଁ।
ମାର୍ଚ୍ଚ ୨୦ରେ ସୁପ୍ରିମକୋର୍ଟ ଏସସି/ଏସଟି ଆଇନର ଦୁରୁପଯୋଗ ରୋକିବାକୁ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ। ସର୍ବୋଚ୍ଚ ଅଦାଲତ କହିଥିଲେ ଯେ ଏସସି/ଏସଟି ଆଇନ ଅନୁଯାୟୀ ସରକାରୀ କର୍ମଚାରୀଙ୍କ ବିରୋଧରେ ଦାୟର ହେଉଥିବା ମାମଲାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଇପାରିବ ନାହିଁ। ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ (ଡିଏସପି) ପାହ୍ୟାର ଜଣେ ପୁଲିସ ଅଧିକାରୀ ଅଭିଯୋଗର ତଦନ୍ତ କରିବା ପରେ ଅଭିଯୁକ୍ତ ସରକାରୀ କର୍ମଚାରୀଙ୍କୁ ଗିରଫ କରାଯିବ। ସେହିପରି ଅଭିଯୁକ୍ତ ସରକାରୀ କର୍ମଚାରୀଙ୍କୁ ଗିରଫ କରିବାକୁ ହେଲେ ତାଙ୍କ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ନେବାକୁ ପଡିବ। ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଏପ୍ରିଲ ୨ରେ ଦଳିତ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇ ଦେଶବ୍ୟାପୀ ହିଂସାକାଣ୍ଡ ଭିଆଯାଇଥିଲା। ଏଥିରେ ୧୧ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ରାୟ ସମୀକ୍ଷା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବେଦନ କରିଛନ୍ତି। ଆବେଦନରେ କେନ୍ଦ୍ର ସରକାର ଉଲ୍ଲେଖ କରିଛନ୍ତି ଯେ ଯଦିଓ ତଥ୍ୟ ଏବଂ ପ୍ରମାଣରୁ ଆଇନର ଅନୁଚିତ ବ୍ୟବହାର ହୋଇଥିବା ଜଣାପଡିଛି, ତଥାପି କେବଳ ଏହି କାରଣକୁ ଭିତ୍ତି କରି ଆଇନକୁ କୋହଳ କରାଯାଇପାରିବ ନାହିଁ। ଆଇନ କୋହଳ ହେବା କାରଣରୁ ଅଭିଯୁକ୍ତ ଜାମିନରେ ମୁକୁଳି ଦଳିତ ପୀଡ଼ିତଙ୍କୁ ଶୁଣାଣିରୁ ଦୂରେଇ ରଖିବାକୁ ଧମକ ଦେବେ।

Leave A Reply