ଗୁର୍ଜର ସଂରକ୍ଷଣ ଆନ୍ଦୋଳନ ମେ’ ୨୩କୁ ଘୁଞ୍ଚିଲା

0

ଜୟପୁର : ଗୁର୍ଜର ସମାଜର ସଂରକ୍ଷଣ ଦାବି ଆନ୍ଦୋଳନକୁ ମେ’ ୨୩ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ପାଞ୍ଚ ପ୍ରତିଶତ ସଂରକ୍ଷଣ ଦାବିରେ ଗୁର୍ଜର ସମାଜ ମେ’ ୧୫ରେ ଆନ୍ଦୋଳନ କରିବ ବୋଲି ଘୋଷଣା କରିଥିଲା। ଏ କ୍ରମରେ ମଙ୍ଗଳବାର ଅପରାହ୍ନରୁ ଅଡ୍ଡା ଗ୍ରାମଠାରେ ଗୁର୍ଜର ସମାଜର ମହାପଞ୍ଚାୟତ ଆରମ୍ଭ ହୋଇଥିଲା। ଏହି ସମୟରେ ପ୍ରବଳ ବେଗରେ ପବନ ବହିବା ସହ ଝଡ଼ ବର୍ଷା ହୋଇଥିଲା। ଏହାର କିଛି ସମୟ ପରେ ଗୁର୍ଜର ସଂରକ୍ଷଣ ଆନ୍ଦୋଳନ ସଂଘର୍ଷ ସମିତିର ସଭାପତି କର୍ଣ୍ଣଲ କିରୋଡି ସିଂହ ବୋଂସଲା ଆନ୍ଦୋଳନକୁ ମେ’ ୨୩ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଗଲା ବୋଲି ଘୋଷଣା କରିଥିଲେ। କିରୋଡି ସଂହ ଘୋଷଣା କରିଥିଲେ ଯେ ସଂରକ୍ଷଣ ଆନ୍ଦୋଳନରେ ସହିଦ୍‍ ଲୋକଙ୍କୁ ପିଲୁପୁରାଠାରେ ମେ’ ୨୩ରେ ଶ୍ରଦ୍ଧାଞ୍ଜଳି ଦିଆଯିବ ଓ ସେଠାରୁ ଆନ୍ଦୋଳନ ଆରମ୍ଭ ହେବ। ଜୟପୁରଠାରେ ସୋମବାର ଗୁର୍ଜର ସଂରକ୍ଷଣ ଆନ୍ଦୋଳନ ସମିତି ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ହୋଇଥିବା ଆନ୍ଦୋଳନ ବିଫଳ ହୋଇଛି। ରାତି ପର୍ଯ୍ୟନ୍ତ ରାଜ୍ୟ ମନ୍ତ୍ରୀ ଓ ସମିତିର ପ୍ରତିନିଧିମାନେ ଆଲୋଚନା କରିଥିଲେ ମଧ୍ୟ କୌଣସି ସମାଧାନର ବାଟ ବାହରିନାହିଁ। ଉଲ୍ଲେଖ ଯେ ରାଜସ୍ଥାନରେ ପଛୁଆ ବର୍ଗଙ୍କ ପାଇଁ ୨୧% ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ପାଇଁ ୧୬% ସଂରକ୍ଷଣ ବ୍ୟବସ୍ଥା ରହିଛି। ତେବେ ରାଜ୍ୟ ସରକାର ବିଧାନସଭାରେ ୨୦୧୭ ଅକ୍ଟୋବର ୨୬ରେ ଏକ ବିଲ୍‍ ପ।ରିତ କରି ଗୁର୍ଜର, ଗାଡ଼ିୟା, ଲୁହାର, ବଂଜାରା, ରେବାରି ରାଇକା, ଗଡ଼ାରିୟା ଏବଂ ଗୋଡ଼ାଲିୟା ସମେତ ଅନ୍ୟ ପଛୁଆ ବର୍ଗର ଜାତିଙ୍କୁ ଅଧିକ ୫% ସଂରକ୍ଷଣ ଦେଇଥିଲେ। ଏହି ପଛୁଆ ବର୍ଗର ଜାତିଙ୍କୁ ସ୍ୱତନ୍ତ୍ର ପଛୁଆ ବର୍ଗର ମାନ୍ୟତା ଦିଆଯାଇଛି। ଏହି ସଂରକ୍ଷଣରୁ ପଛୁଆ ବର୍ଗର ସଂରକ୍ଷଣ ୨୧%ରୁ ୨୬%କୁ ବୃଦ୍ଧି ପାଇଥିଲା ଓ ରାଜସ୍ଥାନର ମୋଟ ସଂରକ୍ଷଣ ସୁପ୍ରିମକୋର୍ଟର ମାର୍ଗଦର୍ଶିକାକୁ ଉଲ୍ଲଙ୍ଘନ କରି ୫୪%ରେ ପହଞ୍ଚିଯାଇଥିଲା। ପରେ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ଏହା ଉପରେ ରୋକ୍‍ ଲଗାଇଥିଲେ ଓ ସଂରକ୍ଷଣ ଯେପରି ୫୦%ରୁ ଅଧିକ ନହୁଏ ତାହା ସୁନିଶ୍ଚିତ କରିବାକୁ କହିଥିଲେ।

Leave A Reply