BJD Bijuli 480×75 Mob

ମୋଦୀଙ୍କୁ ‘ଗ୍ଲୋବାଲ ଗୋଲକିପର’ ପୁରସ୍କାର

BJD Bijuli 480×75 Mob

ନ୍ୟୁୟର୍କ : ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଗ୍ଲୋବାଲ ଗୋଲକିପର’ ପୁରସ୍କାର ପ୍ରଦାନ କରାଯାଇଛି। ମଙ୍ଗଳବାର ନ୍ୟୁୟର୍କରେ ଜାତିସଂଘର ସାଧାରଣ ଅଧିବେଶନ ସମୟରେ ଏହି ପୁରସ୍କାର ପ୍ରଦାନ ସମାରୋହ ଆୟୋଜିତ ହୋଇଥିଲା। ଯେଉଁ ଭାରତୀୟମାନେ ସ୍ୱଚ୍ଛ ଭାରତ ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିଣତ କରିଛନ୍ତି ଏବଂ ଏହାକୁ ତାଙ୍କ ଦୈନନ୍ଦିନ ଜୀବନର ଏକ ଅଂଶବିଶେଷ ଭାବେ ପରିଣତ କରିଛନ୍ତି, ପ୍ରଧାନମନ୍ତ୍ରୀ ସେମାନଙ୍କ ଉଦ୍ଦେଶ୍ୟରେ ଏହି ପୁରସ୍କାରକୁ ଉତ୍ସର୍ଗ କରିଥିଲେ। ଭାରତର ଜନସାଧାରଣଙ୍କ ପାଇଁ ସ୍ୱଚ୍ଛ ଭାରତ ମିଶନ ସଫଳ ହୋଇଛି। ସେମାନେ ଏହାକୁ ଜନ ଆନ୍ଦୋଳନରେ ପରିଣତ କଲେ ଯାହାଫଳରେ କି ଇପ୍ସିତ ଫଳ ମିଳିଲା ବୋଲି ପୁରସ୍କାର ପାଇବା ପରେ ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି।
ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଏହି ପୁରସ୍କାର ଗ୍ରହଣ କରିବା ଏକ ତାତ୍ପର୍ଯ୍ୟପୂର୍ଣ୍ଣ ମୁହୂର୍ତ୍ତ ବୋଲି ମୋଦୀ ପ୍ରକାଶ କରିଥିଲେ। ମହାତ୍ମା ଗାନ୍ଧୀଙ୍କ ସ୍ୱଚ୍ଛ ଭାରତ ସ୍ୱପ୍ନକୁ ପୂରଣ କରିବାରେ ଭାରତ ଅନେକ ପ୍ରଗତି କରିଥିବା ସେ କହିଥିଲେ। ଗତ ୫ ବର୍ଷ ମଧ୍ୟରେ ୧୧ କୋଟିରୁ ଊର୍ଦ୍ଧ୍ବ ଶୌଚାଳୟ ନିର୍ମାଣ ହୋଇଛି ଯାହାକି ଏକ ରେକର୍ଡ। ଏହି ମିଶନ ବିଶେଷକରି ଦେଶରେ ଗରୀବ ଓ ମହିଳାମାନଙ୍କୁ ଲାଭ ପ୍ରଦାନ କରିଛି ବୋଲି ମୋଦୀ ପ୍ରକାଶ କରିଛନ୍ତି। ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟଗତ ଲାଭ ସହିତ ୧୧ କୋଟି ପାଇଖାନାର ନିର୍ମାଣ ଦ୍ୱାରା ଗ୍ରାମାଞ୍ଚଳରେ ଅର୍ଥନୈତିକ କାର୍ଯ୍ୟଧାରାକୁ ବଳ ମିଳିଛି ବୋଲି ସେ କହିଥିଲେ। ବିଶ୍ୱବ୍ୟାପୀ ସ୍ୱଚ୍ଛତା କଭରେଜ ସମ୍ବନ୍ଧରେ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଅନ୍ୟ ଦେଶମାନଙ୍କ ସହ ଭାରତ ଏହାର ଅଭିଜ୍ଞତା ଓ ଅନୁଭବ ବାଣ୍ଟିବା ପାଇଁ ପ୍ରସ୍ତୁତ ଅଛି ଯାହାଫଳରେ ସ୍ୱଚ୍ଛତା କଭରେଜ କ୍ଷେତ୍ରରେ ଏକ ସାମଗ୍ରୀକ ପଦକ୍ଷେପ ଗ୍ରହଣ କରାଯାଇ ପାରିବ। ଫିଟ ଇଣ୍ଡିଆ ଓ ଜଳ ଜୀବନ ମିଶନ ଆଦି ଆନ୍ଦୋଳନ ମାଧ୍ୟମରେ ମିଶନ ମୋଡରେ ପ୍ରତିଶେଧକ ସ୍ୱାସ୍ଥ୍ୟସେବା ଦିଗରେ ଭାରତ ପଦକ୍ଷେପ ଗ୍ରହଣ କରୁଛି ବୋଲି ମଧ୍ୟ ମୋଦୀ ପ୍ରକାଶ କରିଥିଲେ।

Comments are closed.