ସାହସିକତା ପାଇଁ ପୁରସ୍କାର : ତସିଫ, ସୋଏବ ଓ ଅବୁଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

0

ଭୁବନେଶ୍ୱର : ପୋଖରୀରେ ବୁଡ଼ି ଯାଉଥିବା ଜଣେ ବାଳକର ଜୀବନ ରକ୍ଷା କରିଥିବା ଦୁଇ ବାଳକଙ୍କ ସମେତ ଉଦ୍ଧାର ହୋଇଥିବା ବାଳକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି।
ନିକଟରେ ଅନୁଷ୍ଠିତ ଗଣେଶ ପୂଜାରେ ବାଳକଟି ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲେ। ଗତ ସେପ୍ଟେମ୍ବର ୨ତାରିଖରେ ଯାଜପୁର ସଡ଼କପୁର ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ୬ବର୍ଷର କୁନି ବାଳକ ଅବୁଲ ରୁମନ ଖାଁ ସ୍କୁଲରୁ ଫେରୁଥିବାବେଳେ ରାସ୍ତା କଡ଼ରେ ଥିବା ଏକ ପୋଖରୀରେ ଖସିପଡ଼ିଥିଲେ। ପିଲାଟି ବୁଡ଼ିଯାଉଥିବା ସମୟରେ ଫଜଲପୁର ଗଁାର କୋରେଇ ହାଇସ୍କୁଲର ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଦୁଇ ଜଣ ବାଳକ ସେକ ତସିଫ ରାଜା ଓ ମହମ୍ମଦ ସୋଏବ ବୁଡ଼ି ଯାଉଥିବା ବାଳକକୁ ଦେଖି ନିଜ ଜୀବନକୁ ଖାତିର ନ କରି ପାଣିକୁ ଡେଇଁପଡ଼ି ତାକୁ ଉଦ୍ଧାର କରିଥିଲେ। ସେମାନଙ୍କ ସାହସିକତା ଯୋଗୁଁ ଗୋଟିଏ ମୂଲ୍ୟବାନ ଜୀବନ ରକ୍ଷା ପାଇଥିଲା। ତସିଫ ଓ ସୋଏବଙ୍କ ସାହସିକତାର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଡିକ୍ସନାରୀ, ବ୍ୟାକରଣ ପୁସ୍ତକ, ଅନ୍ୟାନ୍ୟ ପାଠ୍ୟ ଉପକରଣ ଓ ଚକୋଲେଟ ଆଦି ଉପହାର ଦେଇଥିଲେ। କୁନି ବାଳକ ଅବୁଲଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ପାଠ୍ୟ ଉପକରଣ ଓ ଚକୋଲେଟ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, କୋରେଇ ବିଧାୟକ ଅଶୋକ ବଳ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଆର. ବାଲକ୍ରିଷ୍ଣନ ଓ ଅନ୍ୟ ବରିଷ୍ଠ ଅଧିକାରୀ, ତିନି ବାଳକଙ୍କ ପରିବାର ବର୍ଗ ଉପସ୍ଥିତ ଥିଲେ।

Leave A Reply