ନୂଆଦିଲ୍ଲୀ : ବିପର୍ଯ୍ୟୟ ଜନିତ ବିପଦ ଲାଘବ କରିବା ପାଇଁ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନରେ ଥିବା ନେହରୁ
ଯୁବ କେନ୍ଦ୍ର ସଙ୍ଗଠନ (ଏନୱାଇକେଏସ)ର ସ୍ୱେଚ୍ଛାସେବୀମାନେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ) ସହ ମିଶି ଏକ ବିପର୍ଯ୍ୟୟ ମୁକାବିଲା ଦଳ ଗଠନ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପଦକ୍ଷେପ ଅନ୍ତର୍ଗତ ବ୍ଲକସ୍ତରୀୟ ବିପର୍ଯ୍ୟୟ ମୁକାବିଲା ଦଳ ଗଠନ କରିବା ପାଇଁ ଏନୱାଇକେଏସ ପ୍ରସ୍ତାବ ଦେଇଛି। ସ୍ୱେଚ୍ଛାସେବୀଙ୍କର ଏହି ଦଳ ଏନଡିଆରଏଫ, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଅଧିକାରୀ (ଏସଡିଏମଏ) ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ (ଡିଡିଏମଏ) ସହ ମିଶି
ଏନଡିଆରଏଫ ଦ୍ୱାରା ଚୟନ କରାଯାଇଥିବା ବିପର୍ଯ୍ୟୟ ବିପଦ ଥିବା ଜିଲ୍ଲାମାନଙ୍କରେ ବିଭିନ୍ନ ଦଫାରେ କାର୍ଯ୍ୟ କରିବେ।
ଯେକୌଣସି ବିପର୍ଯ୍ୟୟ ଦ୍ୱାରା ଜୀବନ ହାନିକୁ ରୋକିବା ଏବଂ କ୍ଷୟକ୍ଷତିକୁ ନିୟନ୍ତ୍ରଣ କରିବା ପାଇଁ ତୁରନ୍ତ କାର୍ଯ୍ୟକ୍ରମ ଆବଶ୍ୟକ। ଏଥିପାଇଁ ପ୍ରଭାବିତ ଅଞ୍ଚଳରେ ସ୍ୱେଚ୍ଛାସେବୀ ପ୍ରଥମେ ଏହାର ମୁକାବିଲା କରିବା ଆବଶ୍ୟକ ଏବଂ ଏହା ସ୍ୱତଃପ୍ରବୃତ ଭାବେ ହୋଇଥାଏ। ଏହି ସ୍ୱେଚ୍ଛାସେବୀମାନେ ତୁରନ୍ତ ମୁକାବିଲା କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥା’ନ୍ତି। ପୋଲିସ ସମେତ ଏନଡିଆରଏଫ, ଏସଡିଏମଏ ତଥା ଅନ୍ୟାନ୍ୟ ସେବା ଦଳ ବିପଦ ସ୍ଥଳରେ ପହଁଚିବା ପାଇଁ କିଛି ସମୟ ନେଇଥା’ନ୍ତି। ଏପରି ସ୍ଥଳେ ସ୍ୱେଚ୍ଛାସେବୀ ଦଳ କେବଳ ପ୍ରାରମ୍ଭିକ ଉଦ୍ଧାର ଓ ସହାୟତା କାର୍ଯ୍ୟ କରିନଥା’ନ୍ତି ବରଂ ପ୍ରଭାବିତ ଅଞ୍ଚଳ ଏବଂ ସେଠାରେ ପହଞ୍ଚିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ମଧ୍ୟରେ ଏକ ସମ୍ପର୍କର ସେତୁ ଭାବେ କାର୍ଯ୍ୟ କରିଥା’ନ୍ତି। ଏହା ଦ୍ୱାରା ସରକାରୀ କାର୍ଯ୍ୟକ୍ରମ ସଫଳ ଓ ସଶକ୍ତ ହୋଇଥାଏ। ଅନୁରୂପ ଭାବେ ଦୁର୍ଗମ ସ୍ଥାନରେ ଜରୁରି ସେବା ପହଞ୍ଚିବା ବିଳମ୍ବ ହେଲେ ସ୍ୱେଚ୍ଛାସେବୀମାନେ ଗୁରୁତ୍ୱପୂର୍ଣ୍ଣ ସେବା କାର୍ଯ୍ୟ କରିଥା’ନ୍ତି।
ପ୍ରାରମ୍ଭିକ ଭାବେ ଏନୱାଇକେଏସ ଦ୍ୱାରା ବ୍ଲକସ୍ତରୀୟ ବିପର୍ଯ୍ୟୟ ମୁକାବିଲା ଦଳ ଗଠନ କରାଯିବ। ପାଇଲଟ ପ୍ରକଳ୍ପ ଭାବେ୨୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୩୨ଟି ବିପର୍ଯ୍ୟୟ ପ୍ରବଣ ଜିଲ୍ଲାରେ ବ୍ଲକସ୍ତରୀୟ ବିପର୍ଯ୍ୟୟ ମୁକାବିଲା ଦଳ ଗଠନ ହେବ। ଏଥିପାଇଁ ଦେଶବ୍ୟାପୀ ୨୯୫ଟି ବ୍ଲକକୁ ଚୟନ କରାଯାଇଛି। ଏନେଇ ୮,୮୫୦ ସ୍ୱେଚ୍ଛାସେବୀଙ୍କୁ ୨୦୧୯-୨୦ରେ ଏନଡିଆରଏଫର ୧୨ ବାଟାଲିୟନରେ ୬ ଦିନିଆ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏ ସଂକ୍ରାନ୍ତରେ ଏନୱାଇକେଏସ ଓ ଏନଡିଆରଏଫ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଆଗାମୀ ୫ ବର୍ଷ ମଧ୍ୟରେ ସ୍ୱେଚ୍ଛାସେବୀଙ୍କ ସଂଖ୍ୟାରେ ବୃଦ୍ଧି କରାଯିବ। ୨୦୨୪ ସୁଦ୍ଧା ଏନୱାଇକେଏସର ୫୦,୦୦୦ରୁ ଅଧିକ ସ୍ୱେଚ୍ଛାସେବୀ ଏହି ପ୍ରଶିକ୍ଷଣ ଗ୍ରହଣ କରିବେ ବୋଲି ଆଶା କରାଯାଉଛି।
ବିପର୍ଯ୍ୟୟ ମୁକାବିଲା ଲାଗି ଏନଡିଆରଏଫ ସହ ନେହରୁ ଯୁବ ସଂଗଠନର ବୁଝାମଣା
Popular Categories



